ବଡ଼ମ୍ବା : ବଡ଼ମ୍ବାରେ ଜଣେ ଅଭ୍ୟାସଗତ ଚୋରକୁ ଚୋରୀ କରୁଥିବା ବେଳେ କାବୁ କରିଛନ୍ତି ଜଣେ ସାହାସି ଯୁବକ । ଘଟଣାଟି ଘଟିଛି ଏହି ବ୍ଲକ ଅନ୍ତର୍ଗତ ସୁନାପାଳ ଗ୍ରାମରେ । ମଙ୍ଗଳବାର ରାତି ପ୍ରାୟ ସାଢେ ୨ଟା ସମୟରେ ସୁନାପାଳ ଗ୍ରାମର ସ୍ୱର୍ଗତ ପଙ୍କଜ ରାଉତଙ୍କ ଘରର କାନ୍ଥ ସିନ୍ଧି (କଣା)କରି ଘରେ ପଶି ଚୋରୀ କରୁଥିଲା ସ୍ଥାନୀୟ ପରଜାପଡ଼ା ପଞ୍ଚାୟତ ପାଟିଆଢିପ ଗ୍ରାମର ସାଧୁଆ ବେହେରା । ନିଦରେ ଶୋଇଥିବା ସଂପୃକ୍ତ ଘରର ମହିଳାଙ୍କ ବେକରୁ ସୁନାଚେନ୍ ଚୋରୀ କରିବାକୁ ଉଦ୍ୟମ କରୁଥିବା ସମୟରେ ଘରଲୋକ ଉଠି ପଡ଼ିଥିଲେ । ସେହି ଘରର ପୁଅ ପବିତ୍ରମୋହନ ରାଉତ ଏହି ସମୟରେ ସାହାସ ଜୁଟାଇ ସଂପୃକ୍ତ ଚୋରକୁ ମାଡ଼ି ବସିଥିଲେ ।
ଚୋର ପବିତ୍ରଙ୍କୁ ଆଣିଥିବା ଛୁରୀରେ ଆକ୍ରମଣ କରିବା ସହ ମାରଧର କରିଥିଲା । ଉକ୍ତ ସମୟରେ ପାଟିତୁଣ୍ଡ ଶୁଣି ସାହିପଡ଼ିସା ପହଞ୍ଚିଯିବା ଫଳରେ ସଂପୃକ୍ତ ଚୋର ଖସି ପଳାଇବାକୁ ସକ୍ଷମ ହୋଇନଥିଲା । ଯଦିଓ ଏହି ଡକାୟିତି ଉଦ୍ୟମରେ ସାଥୀ ଚୋରମାନେ ଖସି ଯାଇଥିଲେ ତେବେ ଅଭିଯୁକ୍ତ ସାଧୁଆକୁ ଘରଲୋକ କାବୁ କରିଥିଲେ । ଘଟଣାପରେ ଥାନାକୁ ଖବର ଦେବାରେ ପୁଲିସ ଆସି ସିନ୍ଧି ଚୋର ସାଧୁଆକୁ ଘଟଣାସ୍ଥଳରୁ ଗିରଫ କରିଥିଲେ ।
