ରାଉରକେଲା : ଦିନଥିଲା ପଡ଼ିଆକୁ ଓହ୍ଲାଇବା ମାତ୍ରେ ଦର୍ଶକଙ୍କ ତାଳିମାଡ଼ରେ କମ୍ପି ଉଠୁଥିଲା ଫୁଟବଲ ପଡ଼ିଆ । ବିଚକ୍ଷଣ କ୍ରୀଡ଼ା କୌଶଳ ଓ ଉତ୍କୃଷ୍ଟ ପ୍ରଦର୍ଶନ ଆଗରେ ହାର ମାନୁଥିଲା ପ୍ରତିପକ୍ଷ ଖେଳାଳିଙ୍କ ରଣକୌଶଳ । ବର୍ଷବର୍ଷ ଧରି ସନ୍ତୋଷ ଟ୍ରଫି, ସୁବ୍ରୋତୋ କପ୍ ଆଦି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ । ଏମିତିକି ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପକ୍ଷରୁ ଆନ୍ତଃ ଜିଲ୍ଲା ପ୍ରତିଯୋଗିତାରେ ଭାଗନେଇ ଗୌରବ ଆଣିଥିଲେ । କେବଳ ଏତିକି ନୁହେଁ, ବହୁ ପ୍ରତିଷ୍ଠିତ ଫୁଟବଲ କ୍ଲବ ପକ୍ଷରୁ ମଧ୍ୟ ଖେଳିଥିଲେ । ବିଡ଼ମ୍ବନା, ଏକାଧିକବାର ରାଜ୍ୟକୁ ପ୍ରତିନିଧିତ୍ୱ କରିଥିବା ସତ୍ତ୍ୱେ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ମିଳିନଥିଲା । ଫଳରେ ପରିବାର ପ୍ରତିପୋଷଣ ପାଇଁ ସେମାନେ ଖେଳ ଛାଡ଼ି ଏବେ ଦିନ ମଜୁରିଆ ପାଲଟିଯାଇଛନ୍ତି । ତିନି ତିନି ଜଣ ଜାତୀୟ ଫୁଟବଲ ଖେଳାଳି ଏବେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । କିଏ ରଙ୍ଗମିସ୍ତ୍ରୀ ପାଲଟିଯାଇଥିବା ବେଳେ କିଏ ପାଇପ୍ ମିସ୍ତ୍ରି, ପୁଣି କିଏ ସେଣ୍ଟ୍ରିଂ କାମରେ ଦିନ ମଜୁରିଆଭାବେ ମୂଳ ଲାଗୁଛନ୍ତି । ଏମାନେ ହେଉଛନ୍ତି ରାଉରକେଲାର ଶଙ୍ଖ ମାରାଣ୍ଡି, କିଶୋର ତନ୍ତୀ ଓ ତୁଳସୀ ଏକ୍କା ।
ରାଉରକେଲା ଉପକଣ୍ଠ ବନ୍ଧମୁଣ୍ଡା ତିଲକାନଗରର ଶଙ୍ଖ ମାରାଣ୍ଡି ହେଉଛନ୍ତି ଚର୍ଚ୍ଚିତ ଓ ଉଚ୍ଚକୋଟୀର ଫୁଟବଲ ଖେଳାଳି । ୨୦୦୫ ମସିହାରେ ସୁନ୍ଦରଗଡ଼ସ୍ଥ ସାଇ ଛାତ୍ରାବାସରେ ଫୁଟବଲ ପ୍ରଶିକ୍ଷଣ ନେବାଠାରୁ ୨୦୨୦ ପର୍ଯ୍ୟନ୍ତ ସେ ଏକାଧିକ କୃତିତ୍ବ ଅର୍ଜନ କରିଛନ୍ତି । ସ୍କୁଲ ଜାତୀୟ ପ୍ରତିଯୋଗିତା, ରୁରାଲ ନ୍ୟାସନାଲ ପ୍ରତିଯୋଗିତା, ୨୧ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତାରେ ସେ ବହୁବାର ପଡ଼ିଆକୁ ଓହ୍ଲାଇଥିଲେ । ୨୦୧୩-୧୪ ଓ ୨୦୧୪-୧୫ରେ ଦୁଇ ଦୁଇଥର ସନ୍ତୋଷ ଟ୍ରଫି, ଦୁଇଥର ସୁବ୍ରୋତୋ କପ୍ ସମେତ ଆଇ-ଲିଗ୍ ଖେଳିଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୦୯-୧୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସୁବ୍ରୋତୋ କପ୍ରେ ସେ ୧୫ଟି ଗୋଲ୍ ସ୍କୋର୍ କରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଏତଦ୍ବ୍ୟତୀତ ସେ କ୍ଲବ୍-୭୩(ଭୁବନେଶ୍ବର), ସମଲେଶ୍ବରୀ ସ୍ପୋର୍ଟିଂ(ସମ୍ବଲପୁର)ରୁ ଖେଳିଥିଲେ । ସେତେବେଳେ ଶଙ୍ଖଙ୍କୁ ବିଭିନ୍ନ ପ୍ରତିଷ୍ଠିତ ଫୁଟବଲ କ୍ଲବ, ଯଥା- ମୋହନ ବଗାନ(କୋଲକତା), ଡେମ୍ପୋ କ୍ଲବ(ଗୋଆ), ଟାଟା ଫୁଟବଲ ଏକାଡେମୀ ଆଦିରୁ ଖେଳିବାକୁ ନିମନ୍ତ୍ରଣ ମିଳିଥିଲା; କିନ୍ତୁ ସେ ଉକ୍ତ କ୍ଲବରେ ଯୋଗଦେବାକୁ ମନା କରିଦେଇଥିଲେ । ଏମିତିକି ଶଙ୍ଖ ଆର୍ଏସ୍ପି ପକ୍ଷରୁ ଆନ୍ତଃ ଇସ୍ପାତ କାରଖାନା ଫୁଟବଲ ପ୍ରତିଯୋଗିତା, ଆନ୍ତଃ ଜିଲ୍ଲା ପ୍ରତିଯୋଗିତାରେ ଖେଳିଥିଲେ । ଏତେସବୁ ଉପଲବ୍ଧି ସତ୍ତ୍ବେ ତାଙ୍କ ଉପରେ ସରକାରଙ୍କ କୃପାଦୃଷ୍ଟି ନ ପଡ଼ିବାରୁ ସେ ଏବେ ଜଣେ ଠିକାଦାରଙ୍କ ଅଧୀନରେ ରଙ୍ଗମିସ୍ତ୍ରି ଭାବେ କାର୍ଯ୍ୟରତ । ବୃଦ୍ଧ ବାପା-ମାଙ୍କ ସମେତ ୪ ଭାଇଙ୍କ ଭରଣପୋଷଣ ପାଇଁ ସେ ଏବେ ଫୁଟବଲ ଖେଳରେ ଡୋରୀ ବାନ୍ଧି ଦେଇଛନ୍ତି ।
ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ହୋଇଥିବା ଅନ୍ୟତମ ଜାତୀୟ ଫୁଟବଲ ଖେଳାଳି ହେଉଛନ୍ତି ଝୀରପାଣି ପୁନର୍ବସତି କଲୋନି ନିବାସୀ କିଶୋର ତନ୍ତୀ । କିଶୋର ୧୯୯୨ ମସିହାରୁ ୨୦୦୭ ପର୍ଯ୍ୟନ୍ତ ଆନ୍ତଃ ଜିଲ୍ଲା, ଆନ୍ତଃ ଇସ୍ପାତ କାରଖାନା, ଫେଡେରେସନ କପ୍, କଳିଙ୍ଗ କପ୍ରେ ପ୍ରତିନିଧିତ୍ବ କରିଥିଲେ । ୧୯୯୮ ଓ ୨୦୦୨ ମସିହାରେ ସନ୍ତୋଷ ଟ୍ରଫି ଖେଳିଥିଲେ । ସେ କିଛି ବର୍ଷଧରି ଜୋବ୍ରା ଦୁର୍ଗା କ୍ଲବ(କଟକ) ପକ୍ଷରୁ ମଧ୍ୟ ଖେଳିଥିଲେ । ଅନ୍ୟ ପ୍ରତିଭାବାନ ଖେଳାଳିଙ୍କ ଭଳି ତାଙ୍କ ପାଖରେ ମଧ୍ୟ ସରକାରୀ ସହାୟତା ପହଞ୍ଚିପାରିନଥିଲା । ଫଳରେ ଭାଗ୍ୟକୁ ଆଦରି ସେ ୨୦୦୭ ମସିହାରେ ଫୁଟବଲରୁ ଅବସର ନେଇଥିଲେ । ବର୍ତ୍ତମାନ ପତ୍ନୀ ଝରଣା, ପୁଅ ରାହୁଲର ଭରଣପୋଷଣ ପାଇଁ ସେ ଦିନ ମଜୁରିଆଭାବେ କାର୍ଯ୍ୟରତ । ସେଣ୍ଟ୍ରିଂ କାମ ପାଇଁ ଯିଏ ଡାକିଲା, ତାଙ୍କ ସହ କାମ କରନ୍ତି କିଶୋର ।
ଶଙ୍ଖ ଓ କିଶୋରଙ୍କ ଭଳି ରାଉରକେଲା କଣ୍ଟାଧର ବସ୍ତି ନିବାସୀ ତୁଳସୀ ଏକ୍କାଙ୍କ ଭାଗ୍ୟ ମଧ୍ୟ ଫିଟିପାରିନି । ୧୯୯୫ ରୁ ୨୦୦୫ ମସିହା ଯାଏଁ ସେ ପଡ଼ିଆକୁ ଓହ୍ଲାଇଥିଲେ । ଉକ୍ତ ସମୟରେ ସନ୍ତୋଷ ଟ୍ରଫି(୧୯୯୮-୯୯) ସମେତ ସେ ଦୁଇଥର ୧୯ ବର୍ଷରୁ କମ୍ ଓ ୨୧ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତା, କଳିଙ୍ଗ କପ୍ରେ ରାଜ୍ୟର ପ୍ରତିନିଧିତ୍ବ କରିଥିଲେ । ଏତଦ୍ବ୍ୟତୀତ ସେ ଆର୍ଏସ୍ପି, ଜୋବ୍ରା ଦୁର୍ଗା କ୍ଲବ(କଟକ), ସି.ପି. କ୍ଲବ(କୋଲକତା) ପକ୍ଷରୁ ମଧ୍ୟ ଖେଳିଥିଲେ। ତେବେ ଏକାଧିକ କୃତିତ୍ବ ସତ୍ତ୍ବେ ତାଙ୍କ ଉପରେ ରାଜ୍ୟ ସରକାର କିମ୍ବା ଆର୍ଏସ୍ପିର ଶୁଭଦୃଷ୍ଟି ପଡ଼ିପାରିନଥିଲା । ଫଳରେ ସେ ବର୍ତ୍ତମାନ ଜଣେ ପାଇପ୍ ମିସ୍ତ୍ରିଭାବେ ଗୁଜୁରାଣ ମେଣ୍ଟାଉଛନ୍ତି । ଦିନସାରା ବୁଲିବୁଲି କାମ କରିବାପରେ ଯାହା ମିଳୁଛି, ସେଥିରେ ପତ୍ନୀ ଅନୀତା ଓ ଝିଅ ଅନନ୍ୟାଙ୍କ ଭରଣପୋଷଣରେ ଲଗାଉଛନ୍ତି । ଏହି ତିନି ଖେଳାଳିଙ୍କ ଭାଗ୍ୟ ପ୍ରାୟ ଏକା ପ୍ରକାର । ଗୋଲ୍ପରେ ଗୋଲ୍ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନାମୀଦାମୀ ଫୁଟବଲ କ୍ଲବ ପକ୍ଷରୁ ଖେଳିବାର ନିମନ୍ତ୍ରଣ ବି ପାଇଥିଲେ । କିନ୍ତୁ ଓଡ଼ିଶାକୁ ପ୍ରତିନିଧିତ୍ବ କରିବାର ସଦିଚ୍ଛା ଓ ଓଡ଼ିଶାରେ ରହି ଫୁଟବଲର ବିକାଶ ପାଇଁ ପ୍ରୟାସ ଜାରି ରଖିବାର ମହତ ଉଦ୍ଦେଶ୍ୟ ଯୋଗୁ ସେମାନେ ଲୋଭନୀୟ ଅଫର୍ଗୁଡ଼ିକୁ ସହୃଦୟତାର ସହ ଏଡ଼ାଇ ଦେଇଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ ସେମାନଙ୍କୁ ପ୍ରୋତ୍ସାହନ ମିଳିନଥିଲା; ଫଳରେ ଏବେ ଦିନମଜୁରିଆଭାବେ କାଳାତିପାତ କରୁଛନ୍ତି ।
