ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବନ୍ଦ ହୋଇଛି ଉତ୍ପାଦନ । ୩ ଦିନ ପାଇଁ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ ଦୈନିକ ୭୨ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ନହୋଇ ୧୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ବ କ୍ଷତି ହେବ ବୋଲି ଜଣାପଡ଼ିଛି । ପ୍ରକଳ୍ପ ଅଧୀନସ୍ଥ ଜଲାପୁଟ, ମାଛକୁଣ୍ଡ ଡି-ଡ୍ୟାମ୍ ଏବଂ ଟିପି ଡ୍ୟାମ୍ ଭଳଭଣ୍ଡାରର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଏଭଳି ଜଟିଳ ତଥା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଅନକାଡେଲି ପଞ୍ଚାୟତରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସରକାରଙ୍କ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପ ରହିଛି । ପୂର୍ବରୁ ଚୁକ୍ତି ଅନୁସାରେ ଏହି ପ୍ରକଳ୍ପର ୭୦ ପ୍ରତିଶତ ଅଧିକାର ଆନ୍ଧ୍ର ଏବଂ ୩୦ ପ୍ରତିଶତ ଅଧିକାର ଓଡ଼ିଶା ନିକଟରେ ରହିଥିଲା । ତେବେ ଚୁକ୍ତି ଅବଧି ଶେଷ ହେବାପରେ ଉଭୟ ରାଜ୍ୟର ସମାନ ଅଧିକାର ରହିଛି । ବର୍ତ୍ତମାନ ଏହି ପ୍ରକଳ୍ପକୁ ଆନ୍ଧ୍ର ଜଳ ବିଦ୍ୟୁତ ନିଗମ ଏବଂ ଏପି ଜେନକୋ ପରିଚାଳନା କରୁଛି । ସେହିପରି ଓଡ଼ିଶା ପକ୍ଷରୁ ଟାଟା କଂପାନିକୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ୭୦ ବର୍ଷ ପୁରୁଣା ପ୍ରକଳ୍ପ ହୋଇଥିବାରୁ ମରାମତି ଏବଂ ନୂତନ ନିର୍ମାଣର ଆବଶ୍ୟକତା ରହିଛି । ଏଥିପାଇଁ ଟାଟା କଂପାନିର ମେକାନିକ୍ ପ୍ରକଳ୍ପ ଅନୁଧ୍ୟାନ କରୁଛନ୍ତି । ବାସ୍ତବ ସ୍ଥିତି ଜାଣିବା ପାଇଁ ଜଲାପୁଟ ମୁଖ୍ୟ ଜଳଭଣ୍ତାର, ମାଛକୁଣ୍ତ ଡି-ଡ୍ୟାମ୍ ଓ ଟିପି ଡ୍ୟାମ୍ ନିରୀକ୍ଷଣ କରୁଛନ୍ତି । ତେଣୁ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନକୁ ତିନି ଦିନ ପାଇଁ ବନ୍ଦ କରାଯାଇଛି । ମାଛକୁଣ୍ତ ଡି-ଡ୍ୟାମ୍ ଏବଂ ଟିପି ଡ୍ୟାମ୍ରୁ ଜଳକୁ ନିଷ୍କାସନ କରି ଶୁଖାଇ ଦିଆଯାଇଛି ।
ଭଳଭଣ୍ଡାର ସଂପୂର୍ଣ୍ଣ ଶୁଖିବା ପରେ ଟାଟା କମ୍ପାନି କର୍ମଚାରୀ ଡ୍ୟାମ୍ର ସମସ୍ତ ଗେଟ୍ ଯାଞ୍ଚ କରିବେ । ଗେଟ୍ ଗୁଡ଼ିକ କିଭଳି କାମ କରୁଛି, ମରାମତିର ଆବଶ୍ୟକତା ରହିଛି ନା ନାହିଁ ଆଦି ତଦାରଖ କରିବେ । ଡି-ଡ୍ୟାମ୍ରୁ ଟିପି ଡ୍ୟାମ୍କୁ ସଂଯୋଗ କରୁଥିବା କେନାଲର ସ୍ଥିତି ମଧ୍ୟ ଅନୁଧ୍ୟାନ କରିବା ସହ ସମସ୍ତ ସୁରକ୍ଷା ପାଚେରି ଗୁଡିକର ଯାଞ୍ଚ କରିବେ । ମଙ୍ଗଳବାର ଡି-ଡ୍ୟାମ୍ ଓ ଟିପି ଡ୍ୟାମ୍କୁ ଶୁଖାଇ ଦିଆଯାଇଥିବା ବେଳେ ବୁଧବାର ଦିନ ଡ୍ୟାମ୍ ଗୁଡିକର ସିଭିଲ କାର୍ଯ୍ୟଗୁଡିକର ଯାଞ୍ଚ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ୬ଟି ଟର୍ବାଇନ୍ ରହିଛି । ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା ୧୨୦ ମେଗାୱାଟ୍ ହୋଇଥିବା ବେଳେ ଦୁଇଟି ଟର୍ବାଇନ୍ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମରାମତି ଜାରି ରହିଛି । ଅନ୍ୟ ୪ଟି ଟର୍ବାଇନ୍ରୁ ଦୈନିକ ୭୨ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଥିଲା । ତେବେ, ଉତ୍ପାଦନ ବନ୍ଦ ରହିଥିବାରୁ ଦୈନିକ ୧୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ରାଜସ୍ବ କ୍ଷତ ହେଉଥିବା ଜଣାପଡ଼ିଛି । ଉତ୍ପାଦନ ବନ୍ଦ ରହିଲେ ସୁଦ୍ଧା ବିଦ୍ୟୁତ ଯୋଗାଣ ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପ୍ରକଳ୍ପର ଡେପୁଟି ସହକାରୀ ଯନ୍ତ୍ରୀ (ମେକାନିକାଲ୍) ବ୍ରଜସୁନ୍ଦର ପାଢ଼ୀ କହିଛନ୍ତି ।
