ରାଉରକେଲା : ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀ ଜଳ ପରିଚାଳନା ଯୋଗୁ ରାଜ୍ୟରେ ନଦୀଗୁଡ଼ିକ ଶୁଷ୍କ ହେଉଛି । ବିଭିନ୍ନ କଳକାରଖାନା ଓ ଶିଳ୍ପଗୁଡ଼ିକୁ ଯେତିକି ପରିମାଣର ଜଳ ନେବାକୁ ଅନୁମତି ମିଳିଛି, ତା’ ଠାରୁ ଢ଼େର ଅଧିକ ଜଳ ନଦୀରୁ ଉଠାଉଛନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍କ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲା, ଇଦ୍ରାବତୀ, ଇବ୍, ନାଗାବଳୀ, ତେଲ ଆଦି ଛୋଟ ବଡ ନଦରୁ ଶିଳ୍ପ କାରଖାନାମାନେ ଜଳ ଉଠାଉଛନ୍ତି । ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ମନଇଚ୍ଛା ନଦୀଗୁଡ଼ିକୁରୁ ଜଳ ଉଠାଉଛନ୍ତି । ଠିକ୍ ଭାବେ ଜଳ କର ବିଭାଗୀୟ ଅଫିସ୍ରେ ଦାଖଲ କରୁଛନ୍ତି । ଅନେକ କଳକାରଖାନା ଉପରେ ଏବେ ବି ଲକ୍ଷ ଲକ୍ଷ ଟଙ୍କା ଜଳ କର ବାକି ପଡିଛି । ଏପରି ଭାବେ ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପ କାରଖାନାଗୁଡ଼ିକ ଉପରେ କୋଟି କୋଟି ଟଙ୍କାର ଜଳ କର ବାକି ପଡିଛି ।
ଜଳ କର ଆଦାୟ କରାଯାଉ ନାହିଁ କି ଏମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ସାଂଘାତିକ ସ୍ଥିତି ଉପୁଜିଛି । ଜିଲ୍ଲାରେ ପ୍ରବାହିତ ଇବ୍, ବ୍ରାହ୍ମଣୀ ସମେତ ଅନେକ ଛୋଟ ବଡ ନଦୀରୁ ଶିଳ୍ପ କାରଖାନା ଜଳ ଉଠାଉଛନ୍ତି । କେବଳ ଜଳ ଶୋଷୁ ନାହାନ୍ତି ବରଂ ନଦୀଗୁଡ଼ିକୁ ବିନା ଟ୍ରିଟ୍ମେଣ୍ଟରେ କଳକାରଖାନାରୁ ନିର୍ଗତ ବିଷାକ୍ତ ପାଣି ନଦୀଗୁଡ଼ିକୁ ଛାଡୁଛନ୍ତି । ଜିଲ୍ଲାରେ ସବୁଠୁ ବେଶି ପ୍ରଦୁଷିତ ହେଉଛି ବ୍ରାହ୍ମଣୀ ନଦୀ । ବଣାଇଁଗଡ, ଲହୁଣିପଡା, କଲୁଙ୍ଗା, ଲାଠିକଟା, ରାଜଗାଙ୍ଗପୁର ସମେତ ସୁନ୍ଦରଗଡ଼ ଅନ୍ୟ କିଛି ବ୍ଲକରେ ଏଭଳି ସାଂଘାତିକି ସ୍ଥିତି ଉପୁଜିଛି । ବର୍ଷ ବର୍ଷ ଧରି ଏଭଳି କାରଖାନା ମାଲିକମାନେ ଏଭଳି ବେଆଇନ କାର୍ଯ୍ୟ କରୁଥିଲେ ହେଁ ଉଭୟ ଜଳ ସମ୍ପଦ ଓ ପ୍ରଦୂଷଣ ବିଭାଗ ଆଖି ବୁଜିଦେଇଛନ୍ତି ।
ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ଦୁଇ ବିଭାଗ ସାହସ କରୁ ନାହାନ୍ତି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ନଦୀ ଜଳ ଦୂଷିତ ହେଉଥିବାରୁ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି । ସ୍ନାନ ପାଇଁ ମଧ୍ୟ ଅସ୍ବାସ୍ଥ୍ୟକର ହୋଇପଡିଛି । ଏଭଳି ଦୂଷିତ ନଦୀ ଜଳର ସ୍ନାନ କରିବା କାରଣରୁ ମଣିଷ ଓ ପଶୁପକ୍ଷୀ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି । କାରଖାନା ମାଲିକମାନେ ଧାର୍ଯ୍ୟ ପରିମାଣର ଜଳଠାରୁ ବହୁ ଅଧିକ ପରିମାଣର ଜଳ ନେଉଥିବାରୁ ନଦୀଗୁଡ଼ିକର ଜଳ ସଙ୍କଟ ଦେଖାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳରୁ ଲୁହାପଥର ଗୁଣ୍ଡ କରି ବଡ ବଡ ପାଇପ ଯୋଗେ ପାଣିରେ ମିଶାଇ ପାରାଦ୍ବୀପ ବନ୍ଦର ଓ କାରଖାନା ପର୍ଯ୍ୟନ୍ତ ପଠାଯାଉଛି । ଫଳରେ ସୁନ୍ଦରଗଡ଼ରେ ନଦୀଗୁଡ଼ିକ ଶୁଖିଗଲାଣି । ଗ୍ରୀଷ୍ମ ଦିନରେ ସ୍ଥିତି ଆହୁରି ସଙ୍ଗିନ ହୋଇପଡୁଛି ।
ନଦୀ ଜଳ ଶୁଖି ଯାଉଥିବାରୁ ଏହାର ପ୍ରଭାବ ଭୂତଳ ଜଳସ୍ତର ଉପରେ ପଡୁଛି । ପାହାଡିଆ ଅଞ୍ଚଳବାସୀଙ୍କୁ ଖରାଦିନେ ପାଣି ଟୋପେ ପାଇଁ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡୁଛି । ବଣଜଙ୍ଗଲର ପଶୁପକ୍ଷୀମାନେ ପିଇବାକୁ ପାଣି ନ ପାଇ ଜନବସତି ମୁହାଁ ହେଉଛନ୍ତି । ମାଛମାରି ଜୀବିକା ନିର୍ବାହ କରୁଥିବା ପରିବାର ରୋଜଗାର ହରାଉଛନ୍ତି । କେବଳ ଏତିକି ନୁହେଁ ବାଲିରକୁ ପରିଚାଳନା ଯୋଗୁ ଜିଲ୍ଲାର ନଦୀଗୁଡ଼ିକ ଖୁବଶୀଘ୍ର ଶୁଖିବାକୁ ବସିଲାଣି । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ବାଲି ପରିବହନକାରୀମାନଙ୍କୁ ଲାଇସେନ୍ସ ଦିଆଯାଉଛି । ବାଲି ମାଫିଆ ଓ ସ୍ଥାନୀୟ ତହସିଲଦାର, ଆରଆଇଙ୍କ ଭିତିରି ସଲାସୁତୁରାରୁ ସରକାର କେବଳ ରାଜସ୍ବ ହରାଉ ନାହାନ୍ତି ବରଂ ନଦୀ ଜଳ ଶୁଖୁଛି । ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ନଦୀ ବ୍ରାହ୍ମଣୀର ଏଭଳି ସ୍ଥିତିର ସୁଧାର ଆଣିବାକୁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ନ ହେଲେ ଆଗାମୀ ଦିନରେ ନଦୀ ପାର୍ଶ୍ବ ଅଞ୍ଚଳରେ ଘୋର ଜଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି । ସୁନ୍ଦରଗଡ଼ରେ ନଦୀ ଜଳ ସୁପରିଚାଳନା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ।
