ବଣାଇ : ଭାରତୀୟ ଜନତା ପାର୍ଟି ବଣାଇ ସାଂଗଠନିକ ଜିଲ୍ଲା ଏବଂ ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତି ପକ୍ଷରୁ ବ୍ରାହ୍ମଣୀ ନଦୀର ସୁରକ୍ଷା ନିମନ୍ତେ ଗତକାଲି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଵଣାଇ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବଣାଇ ସହରର ହୃଦୟ ବୋଲାଉଥିବା ବ୍ରାହ୍ମଣୀ ନଦୀ ବିଗତ କିଛି ବର୍ଷ ଧରି ବିଭିନ୍ନ କଳକାରଖାନାର ପ୍ରଦୂଷଣ ଦୌରାତ୍ମରେ ପେଶି ହୋଇ ବର୍ତ୍ତମାନ ନିଜର ସତ୍ତା ହରାଇ ବସିଥିବା ବେଳେ, ସ୍ଥାନୀୟ ପ୍ରଶାସନ ପ୍ରଦୂଷଣ ରୋକିବା ଦିଗରେ ନିରବଦ୍ରଷ୍ଟା ସାଜିଥିବା ଦେଖାଯାଉଛି । ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ଵରେ ଗଢ଼ିଉଠିଥିବା ସ୍ପଞ୍ଜ ଆଇରନ କାରଖାନାରୁ ନିର୍ଗତ କଳାଧୂଆଁ ସମ୍ପୁର୍ଣ୍ଣ ନଦୀ ଶଯ୍ୟାକୁ ପ୍ରଦୂଷିତ କରୁଥିବା ବେଳେ, ନଦୀର ଜଳ ସହ ସମସ୍ତ ପରିବେଶକୁ ଦୂଷିତ କରୁଛି । ନଦୀର ଗୋଟିଏ ପଟେ ଭାସ୍କର ପ୍ଲାଣ୍ଟ ଏବଂ ଅନ୍ୟ ପାର୍ଶ୍ବରେ ସୁରେନ୍ଦ୍ର ମାଇନିଙ୍ଗ ବ୍ରାହ୍ମଣୀ ନଦୀ ଶଯ୍ୟାରେ ଗଭୀର କୂଅ ଖୋଳି ନଦୀର ଜଳ ସ୍ରୋତକୁ ନିଜ କବଳରେ ରଖି ନିଜର ବ୍ୟବସାୟୀକ କାର୍ଯ୍ୟରେ ବ୍ୟବହାର କରିବା ଯୋଗୁଁ ଧିରେଧିରେ ନଦୀର ଜଳ ସ୍ରୋତ ସ୍ଥିର ହୋଇ ନିଜର ସତ୍ତା ହରାଇ ବସିଛି । ତା’ ସହିତ ବ୍ରାହ୍ମଣୀ ନଦୀ ଶଯ୍ୟାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲିଘାଟ କରି ଗଭୀର ଗାତ ଖୋଳି ମେସିନ ଦ୍ବାରା ଆବଶ୍ୟକତା ଠାରୁ ଅଧିକ ବାଲି ଉତ୍ତୋଳନ କରିବା ଦ୍ୱାରା ସଂପୂର୍ଣ୍ଣ ପରିବେଶ ଉପରେ ଏହାର କ୍ଷତିକାରକ ପ୍ରଭାବ ଦେଖିବାକୁ ମିଳିଛି ।

ତେଣୁ ଏ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବ୍ରାହ୍ମଣୀ ନଦୀର ସୁରକ୍ଷା ନିମନ୍ତେ ଵଣାଇ ବିଜେପି ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯିବା ସହିତ ନଦୀର ସୁରକ୍ଷା ପାଇଁ ସରକାର କୈାଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ବୋଲି ଜିଲ୍ଲା ସଭାପତି ଅନୀଲ ବାର୍ଲା ପ୍ରକାଶ କରିଛନ୍ତି । ତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ମନୋଜ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାହାସ ବିହାରି ପ୍ରଧାନ, ଜିଲ୍ଲା ପ୍ରବକ୍ତା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ମଣ୍ଡଳ ସଭାପତି ହେମନ୍ତ କୁମାର ସାହୁ, ବାସୁଦେବ ସାହୁ, ଓଵିସି ମୋର୍ଚ୍ଚା ସଭାପତି ଆଲ୍ଲାଦ କୁମାର ବଢେଇ, ମହିଳା ମୋର୍ଚ୍ଚା ସଭାନେତ୍ରୀ ରୁତୁମତୀ ସେନାପତି, ଦିବ୍ୟମଞ୍ଜରୀ ଶେଖର ଦେଓଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।
