ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଗାଏବ୍‌, ଏପ୍ରିଲ ୨ ରୁ ଛାତ୍ରଛାତ୍ରୀଙ୍କୁ ମିଳୁନି ଅଣ୍ଡା

କଟକ : ଦେଢ ମାସ ହେଲା କଟକ-ଭୁବନେଶ୍ବର ମହାନଗର ଏବଂ ଏହି ଦୁଇ ମହାନଗରର ଉପକଣ୍ଠରେ ଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆଉ ଅଣ୍ଡା ମିଳୁନି । କୋଭିଡ୍ ପରିସ୍ଥିତି ଯୋଗୁଁ ପାଖାପାଖି ଦୁଇ ବର୍ଷ ଶ୍ରେଣୀ ଗୃହ ଶିକ୍ଷାଦାନ ବନ୍ଦ ରହିବା ପରେ ପୁଣିଥରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବା ପରଠାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ୨୦୨୧, ସେପ୍ଟେମ୍ବର ୨୫ ତାରିଖରେ ସରକାର ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ କରି ପ୍ରଥମେ ୮ମ ଶ୍ରେଣୀ ଖୋଲିଲେ । ପରେ ୬ଷ୍ଠ/୭ମ ଓ ପ୍ରଥମରୁ ପଂଚମ ଶ୍ରେଣୀ ଶିକ୍ଷାଦାନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଆରମ୍ଭ ହେଲା । କିନ୍ତୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆରମ୍ଭ ହେଲା ୨୦୨୨, ଏପ୍ରିଲ ୨ ତାରିଖରୁ । ସେହି ଦିନ ଠାରୁ କଟକ-ଭୁବନେଶ୍ବର ପିଲାଙ୍କୁ କିନ୍ତୁ ମଧ୍ୟାହ୍ନ ଭୋଜନରେ ଆଉ ଅଣ୍ଡା ମିଳୁ ନାହିଁ । ଯଦିଓ ଗ୍ରାମାଞ୍ଚଳରେ ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀମାନେ ଯେଉଁଠୁ ଯେମିତି ଯୋଗାଡ଼ କରି ପିଲାଙ୍କୁ ଅଣ୍ଡା ‌ଖାଇବାକୁ ଦେଉଛନ୍ତି, ସହରୀ ପିଲା କିନ୍ତୁ ଅଣ୍ଡା ଖାଇବାରୁ ଦେଢ ମାସ ହେଲା ବଂଚିତ ହେଲେଣି ।

ତଥ୍ୟ ଅନୁଯାୟୀ କଟକ, ଭୁବନେଶ୍ବର ମହାନଗର ଓ ଏହାର ଉପକଣ୍ଠରେ ଥିବା ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ବ ନେଇଛି ଅକ୍ଷୟ ପାତ୍ର ଫାଉଣ୍ଡେସନ୍ । ଫାଉଣ୍ଡେସନ ପକ୍ଷରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇ ସ୍କୁଲରେ ଯୋଗାଇ ଦିଆଯାଏ । ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ ବାରରେ ଭାତ-ଡାଲମା, ଭାତ-ସୋୟାବିନ୍ ତରକାରୀ, ଭାତ-ଚଣା ତରକାରୀ, ଭାତ-ମିକ୍ସ ଡାଲି, ଖଟା ଇତ୍ୟାଦି ପ୍ରସ୍ତୁତ କରି ସ୍କୁଲକୁ ପିଲା ସଂଖ୍ୟା ଅନୁଯାୟୀ ଯୋଗାଇ ଦିଆଯାଏ । କୋଭିଡ୍ ପୂର୍ବରୁ ପିଲା ସଂଖ୍ୟା ଅନୁଯାୟୀ ସ୍କୁଲକୁ ଅଣ୍ଡା ଗୋଟା ୫ ଟଙ୍କା ହିସାବରେ ସରକାର ଟଙ୍କା ଯୋଗାଇ ଦେଉଥିଲେ ଏବଂ ଶିକ୍ଷକମାନେ ସେହି ଟଙ୍କାରେ ଅଣ୍ଡା କିଣି ତାହାକୁ ସିଝାଇ ସପ୍ତାହକୁ ଦୁଇ ଥର ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦେଇ ଆସୁଥିଲେ । କିନ୍ତୁ କୋଭିଡ୍ ପରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ପରଠାରୁ ସରକାର ଆଉ ଟଙ୍କା ଦେଉ ନାହାନ୍ତି କି ସହରୀ ପିଲା ଅଣ୍ଡା ଖାଇ ପାରୁ ନାହାନ୍ତି ।

ଏଭଳି ବ୍ୟବସ୍ଥାରେ କଟକ ସଦର ବ୍ଲକ ଅଧୀନରେ ଥିବା ୧୩୨ଟି ସ୍କୁଲର ୧୦ ହଜାର ୫୫୦ ଛାତ୍ରଛାତ୍ରୀ, କଟକ ମହାନଗର ଅଞ୍ଚଳରେ ଥିବା ୧୫୩ଟି ସ୍କୁଲର ୨୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଅଣ୍ଡାରୁ ବଂଚିତ ହୋଇଛନ୍ତି । ଭୁବନେଶ୍ବର ଅଞ୍ଚଳରେ ଏହି ସଂଖ୍ୟା ୪୦ ହଜାରରୁ ଅଧିକ ହେବ ବୋଲି କୁହାଯାଉଛି । ସରକାର କାହିଁକି ଆଉ ସହରୀ ପିଲାଙ୍କୁ ଅଣ୍ଡା ଦେଉ ନାହାନ୍ତି, ସେ ଉତ୍ତର ଅବଶ୍ୟ ଶିକ୍ଷା ଅଧିକାରୀ ମାନଙ୍କ ନିକଟରେ ନାହିଁ । ସରକାରୀ ନିର୍ଦ୍ଦେଶ ନ ଆସିବା ଯାଏ ସେମାନେ ନାଚାର ବୋଲି କହୁଛନ୍ତି । ଅଣ୍ଡା ଯୋଗାଇବା ଦାୟିତ୍ବ ବି ଅକ୍ଷୟ ପାତ୍ର ଫାଉଣ୍ଡେସନର ନୁହେଁ । କିନ୍ତୁ ଏହି ଦେଢ ମାସ ହେଲା କଟକ-ଭୁବନେଶ୍ବର ପିଲାଙ୍କୁ ଅଣ୍ଡା ନ ଦେଇ ସରକାର ଅବଶ୍ୟ ୪୮ ଲକ୍ଷ ଟଙ୍କା ସଂଚୟ କରି ପାରିଛନ୍ତି ।

କିନ୍ତୁ ମଧ୍ୟାହ୍ନ ଭୋଜନରେ ଅଣ୍ଡାକୁ ନେଇ ଏଭଳି ଅବସ୍ଥା ଏବେ ଅଭିଭାବକ ମହଲରେ ଅସନ୍ତୋଷର କାରଣ ‌ହୋଇଛି । ସେପଟେ ମୁଣ୍ଡପିଛା ହାରାହାରି ୫ ଟଙ୍କା ୪୨ ପଇସାରେ ପ୍ରାଥମିକ ଛାତ୍ରଛାତ୍ରୀ ଓ ୮ ଟଙ୍କା ୧୦ ପଇସାରେ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଭାତ-ଡାଲମା, ଭାତ-ସୋୟାବିନ ଆଉ ଭାତ-ଅଣ୍ଡା ପ୍ରସ୍ତୁତ କରି ମଧ୍ୟାହ୍ନ ଭୋଜନରେ ଦେବାକୁ ଗ୍ରାମାଞ୍ଚଳର ଶିକ୍ଷକ/ଶିକ୍ଷୟିତ୍ରୀ ନା‌କେଦମ୍ ହେଉଥିବା ବେଳେ ଏପଟେ ସହରରେ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଗାଏବ ଘଟଣା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅକଳରେ ପକାଇଛି । ଅଭିଭାବକଙ୍କୁ ସନ୍ତୋଷଜନକ ଉତ୍ତର ଦେଇ ନ ପାରି ସେମାନେ ଏବେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି ।

Leave a Reply

Your email address will not be published. Required fields are marked *