ସରକାରୀ ହସ୍ପିଟାଲରେ ବନ୍ଦ ହେଉନି ଅଣସ୍ୱାସ୍ଥ୍ୟକର୍ମୀଙ୍କ ଚିକିତ୍ସା ସେବା

ଭୁବନେଶ୍ବର : ୨୦୨୧ ସେପ୍ଟେମ୍ବର ୯ ତାରିଖରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ଇଞ୍ଜେକସନ୍ ଦେଉଥିବା ଭିଡିଓ ଭାଇରାଲ ହେଲା । ଜଣେ ଅଣ ସ୍ବାସ୍ଥ୍ୟକର୍ମୀ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଏଭଳି ଚିକିତ୍ସା କରିବାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଅପବାଦ ମୁଣ୍ଡାଇଲା । ପରବର୍ତୀ ସମୟରେ ସଂପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ନିଜର ଚାକିରି ହରାଇବାକୁ ପଡ଼ିଲା ।

ପାଞ୍ଚଦିନ ତଳେ ଠିକ୍ ସମାନ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଏଠାରେ ଜଣେ ସୁଇପର ହାଡ଼ଭଙ୍ଗା ଚିକିତ୍ସା କରୁଥିବା ଫଟୋ ପଦାକୁ ଆସିଛି । ଏହା କେବଳ ଗୋଟିଏ ଦୁଇଟି ଘଟଣା ନୁହେଁ, ସରକାରୀ ଡାକ୍ତରଖାନା ଗୁଡ଼ିକରେ ଅନେକ ସମୟରେ ଅଣ ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି । ସ୍ଥାନୀୟ ସିଡିଏମ୍‌ଓ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଯଦିଓ ଅଣ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଚିକିତ୍ସାରେ ନିୟୋଜିତ ନ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶନାମା ରହିଛି । ହେଲେ ଖୋଲାଖୋଲି ଭାବେ ଏହାର ଉଲ୍ଲଂଘନ ହେଉଛି ।

ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଏଭଳି ଘଟଣା ଘଟିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାମାନଙ୍କୁ ଚିଠି ଜାରି ହୋଇଥିଲା । ଏଥିରେ କୌଣସି ପ୍ରକାର ଚିକିତ୍ସାରେ ଅଣ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ନ କରିବାକୁ କଡ଼ା ନିର୍ଦେଶନାମା ଜାରି କରିଥିଲେ ସ୍ବାସ୍ଥ୍ୟ ବିଭାଗର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ତଥାପି କେଉଁଠି ନାଁ କେଉଁଠି ଅଣ ସ୍ବାସ୍ଥ୍ୟକର୍ମୀଙ୍କ ବିନା ଚିକିତ୍ସା କାର୍ଯ୍ୟ ଆଗେଇ ପାରୁନାହିଁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଥିପାଇଁ ମୁଖ୍ୟତଃ ୨ଟି କାରଣକୁ ଦାୟୀ କରାଯାଇପାରେ । ଜିଲ୍ଲା ଓ ଗୋଷ୍ଠୀସ୍ତରରେ ସରକାରୀ ଡାକ୍ତରଖାନାରେ ବହୁତ ଡାକ୍ତରୀ ପଦବି ଖାଲି ପଡ଼ିଛି । ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରରେ ଜିଲ୍ଲାସ୍ତରରେ ୪୨ ପ୍ରତିଶତ ଡାକ୍ତରୀ ପଦବି ଖାଲିଥିବା ସ୍ବୀକାର କରିଛନ୍ତି । ଏହାସହ ଅନେକ ସ୍ଥାନରେ ଡାକ୍ତର ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁ ନାହାନ୍ତି । ଡ୍ୟୁଟି ସମୟରେ ଅନ୍ୟ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ଯାହା ଫଳରେ ଏଭଳି ପରିସ୍ଥିତି ଉପୁଜୁଛି । ୨୦୧୭ ମସିହାର ଏକ ରିପୋର୍ଟ ଅନୁସାରେ ଦେଶରେ ୧୯.୮ ପ୍ରତିଶତ ଲୋକ କ୍ବାକ୍‌ଙ୍କ ଚିକିତ୍ସାରେ ପ୍ରାଣ ହରାଉଛନ୍ତି । ମାତ୍ର ଓଡ଼ିଶାର ସ୍ଥିତି ଜାତୀୟ ହାରଠାରୁ ବେଶ୍‌ ଦୟନୀୟ ରହିଛି । ଏହି ସମୟରେ ଓଡ଼ିଶାରେ ୩୭.୨ ପ୍ରତିଶତ ଲୋକଙ୍କ କ୍ବାକ୍‌ଙ୍କ ଚିକିତ୍ସାରେ ପ୍ରାଣ ହରାଇଛନ୍ତି । ଗ୍ରାମାଞ୍ଚଳରେ ଏହି ହାର ଯଥେଷ୍ଟ ଅଧିକ ରହିଛି ।

ଆହୁରି ମଧ୍ୟ ରାଜ୍ୟର ଅନେକ ଜଣିକିଆ ସରକାରୀ ଡାକ୍ତରଖାନା ରହିଛି । ଯାହାକୁ କେବଳ ଫାର୍ମାସିଷ୍ଟ ହିଁ ପରିଚାଳନା କରୁଛନ୍ତି । ଅନେକ ସମୟରେ ଏସବୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ନେଇ ବିବାଦ ଉପୁଜିଛି । ଫାର୍ମାସିଷ୍ଟ କେଉଁ ପ୍ରକାର ଔଷଧ ଦେଇପାରିବେ ଓ କାହାକୁ ଦେଇପାରିବେ ନାହିଁ ସେ ସମ୍ପର୍କରେ ଗତବର୍ଷ ସେପ୍ଟେମ୍ବର ମାସରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଥିଲା । ପୂର୍ବରୁ ଫାର୍ମାସିଷ୍ଟମାନଙ୍କୁ ଯେଉଁ ଔଷଧ ତାଲିକା ଦିଆଯାଇଥିଲା ତହିଁରେ କେତେକ ସଂଶୋଧନ କରାଯାଇଥିଲା ।

ପୂର୍ବତନ ସ୍ବାସ୍ଥ୍ୟସେବା ନିର୍ଦେଶକ ଡାକ୍ତର ସେବା ମହାପାତ୍ର କହିଛନ୍ତି, ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା, ପିଏଚ୍‌ସି/ସିଏଚ୍‌ସି ଗସ୍ତ କଲେ ଏଭଳି ସମସ୍ୟା ଅନେକ ମାତ୍ରାରେ ଦୂର ହୋଇପାରିବ । କେବଳ ବିଭିନ୍ନ ପଦବି ସୃଷ୍ଟି କରାଯାଇ ପଦୋନ୍ନତି ଦେଲେ ଏହାର ସମାଧାନ ହୋଇପାରିବନି । ଏହାସହ ଯେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଘଟୁଛି, ସଂପୃକ୍ତ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌ରେ ଏ ସଂପର୍କରେ ଆଲୋଚନା କରାଯାଉ । କେଉଁ ପରିସ୍ଥିତିରେ ଅଣ ସ୍ବାସ୍ଥ୍ୟକର୍ମୀ ଜଣକ ରୋଗୀଙ୍କ ଚିକିତ୍ସା କଲେ ତାହାର ତର୍ଜମା ହେବା ଦରକାର । ସେହିପରି ଲୋକମାନେ ମଧ୍ୟ ଡାକ୍ତରଖାନାକୁ ଯିବା ସମୟରେ ତାଙ୍କୁ ଚିକିତ୍ସା କରୁଥିବା ବ୍ୟକ୍ତି ଜଣକ ଯଦି ଅଣ ସ୍ବାସ୍ଥ୍ୟକର୍ମୀ ବୋଲି ଜାଣୁଛନ୍ତି ତାହାଲେ ସେଠାରେ ଚିକିତ୍ସା କରିବା ଉଚିତ୍ ନୁହେଁ ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ କହିବାନୁଯାୟୀ, ସରକାରୀ ଡାକ୍ତରଖାନାରେ ଅଣ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ନ କରିବାକୁ ସରକାରୀ ନିର୍ଦେଶନାମା ରହିଛି । ଯେଉଁଠାରେ ଏହାର ଉଲ୍ଲଂଘନ ହେଉଛି ତାହାର ତଦନ୍ତ କରାଯାଇ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ଯେଉଁ ସ୍ଥାନରେ ଏଭଳି ଘଟଣା ନଜରକୁ ଆସିଛି ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେଣୁ ଚାନ୍ଦବାଲି ଘଟଣାରେ ସିଡିଏମ୍‌ଓଙ୍କ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇପାରିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *