ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ତ ହୋଇପାରନ୍ତି ଆବେଦନକାରୀ

ପୁରୀ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଥମିବାର ନା ନେଉନାହିଁ । ମାମଲାଟି ଓଡିଶା ହାଇକୋର୍ଟରେ ବିଚାରଧୀନ ଥିଲାବେଳେ ଆଜି ସୁପ୍ରିମକୋର୍ଟର ଦ୍ଵାରସ୍ତ ହୋଇପାରନ୍ତି ଆବେଦନକାରୀ ।

ତେବେ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୩ ତାରିଖରେ ସୁପ୍ରିମକୋର୍ଟରେ କ୍ୟାଭିଏଟ୍‌ ଦାଖଲ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକଟ୍‌ ଅନ ରେକର୍ଡ ଗୌରଭ ଖାନ୍ନାଙ୍କ ଦ୍ବାରା ଏହି କ୍ୟାଭିଏଟ ଦାଖଲ ହୋଇଛି ।

ଶ୍ରୀମନ୍ଦିର ଚାରିପଟେ ଖନନ ଓ ନିର୍ମାଣ ବିବାଦ ସମ୍ପର୍କିତ ଦିଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ କୌଣସି ରହିତାଦେଶ ଜାରି କରିନଥିଲେ । ରହିତାଦେଶ ଜାରି କରାଯାଇନଥିବାରୁ ନିର୍ମାଣ କାର୍ଯ୍ୟ ଜାରିରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏଭଳି ସ୍ଥିତିରେ କାଳେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ଏହି ଆଶଙ୍କା କରି ରାଜ୍ୟ ସରକାର ହାଇକୋର୍ଟଙ୍କ ୨୦୨୨ ମେ ୯ ଡବ୍ଲୁପିସି ଆଦେଶ ପରିପେକ୍ଷୀରେ ଆଗୁଆ କ୍ୟାଭିଏଟ ଫାଇଲ କରିଥିବା ଜଣାପଡ଼ିଛି ।

କ୍ୟାଭିଏଟ୍‌ ଫାଇଲ କରିବା ଅର୍ଥ ରାଜ୍ୟ ସରକାରଙ୍କ ପକ୍ଷ ନଶୁଣି ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନେବେନାହିଁ । ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଏଥିପାଇଁ ନୋଟିସ ଦେଇ ଜବାବ ଦାଖଲ କରିବାକୁ ସମୟ ଦେଇପାରନ୍ତି ।

Leave a Reply

Your email address will not be published. Required fields are marked *