ବିପଦପୂର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ଯାତ୍ରୀ ବିଶ୍ରାମ ଗୃହ, ପ୍ରଶାସନର ଆନ୍ତରିକତା ଅଭାବ

ବଣାଇ : ବଣାଇ ସହର ମୂଖ୍ୟ ରାସ୍ତାର ଚର୍ଚ୍ଚ ଛକ ନିକଟରେ ବହୁଦିନରୁ ନିର୍ମିତ ହୋଇଥିବା ଯାତ୍ରୀ ବିଶ୍ରାମ ଗୃହଟି ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ପରିତ୍ୟକ୍ତ ଓ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ପ୍ରତ୍ୟେକ ଦିନ ସେହି ରାସ୍ତା ଦେଇ ଵଣାଇର ସମସ୍ତ ଅଧିକାରୀ ଯିବାଆସିବା କରୁଥିଲେ ମଧ୍ୟ ସେଥିପ୍ରତି କାହାରି ନଜର ପଡୁନଥିବା ଦେଖିବାକୁ ମିଳିଛି । ବଣାଇ ବସଷ୍ଟାଣ୍ଡ ଠାରୁ ଦେଓଗାଁ ପର୍ଯ୍ୟନ୍ତ ରାସ୍ତାରେ କଚେରି ଛକ, କଲେଜ ଛକ, ବ୍ଲକ୍ ଛକ, ଚର୍ଚ୍ଚ ଛକ ପ୍ରଭୃତି ଅନେକ ପ୍ରମୁଖ ଛକ ରହିଥିଲେ ମଧ୍ୟ କୈାଣସି ଗୋଟିଏ ହେଲେ ଛକରେ ଯାତ୍ରୀ କିମ୍ବା ପଥଚାରୀମାନଙ୍କ ପାଇଁ ବିଶ୍ରାମ ଗୃହ ଖଣ୍ଡେ ନାହିଁ ।

ଫଳରେ ଦୂର ଦୂରାନ୍ତରୁ ଆସିଥିବା ଲୋକେ ଏ ଡହଡହ ଖରାରେ ବସ କିମ୍ବା ଅଟୋକୁ ଅପେକ୍ଷା କରିବା ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଯେଉଁ ଗୋଟିକ ବିଶ୍ରାମ ଗୃହ ଚର୍ଚ୍ଚ ଛକ ଠାରେ ରହିଛି ତା’ ଅବସ୍ଥା ନିଜେ ଆଖିରେ ନ ଦେଖିଲେ ବିଶ୍ବାସ କରି ପାରିବେନି । କାନ୍ଥ ସବୁ ଫାଟି ଆଁ କରିଥିବାବେଳେ, ଛାତରୁ ସିମେଣ୍ଟ ସବୁ ଖସି ଛଡ ଦେଖାଯାଉଛି । ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ କେତେବେଳେ ଯେ ଭୁଷୁଡି ନ ପଡ଼ିବ ତା’ କହିବା ମୁସ୍କିଲ । ତଥାପି ଜିବନକୁ ବାଜି ଲଗାଇ ପ୍ରତ୍ୟେକ ଦିନ ବସ୍ ଯାତ୍ରୀ, ପଥଚାରୀ, ବୃଦ୍ଧ, ବୃଦ୍ଧା, ସ୍କୁଲ ଛାତ୍ରଛାତ୍ରୀ ବସ୍ କିମ୍ବା ଅଟୋରେ ଯିବା ନିମନ୍ତେ ବାଧ୍ୟ ହୋଇ ସେହି ପରିତ୍ୟକ୍ତ ଭଙ୍ଗା ଗୃହରେ ବିଶ୍ରାମ ନେବାକୁ ବାଧ୍ୟ ହେଉଛନ୍ତି । ଖରାଦିନ ପରେ ବର୍ଷାଦିନ ଆସିଲେ ତା’ର ଦୂରବସ୍ଥା ଆହୁରି ଶୋଚନୀୟ ହୋଇପଡେ । ରାସ୍ତା ସଂପ୍ରସାରଣ ସମୟରେ ରାସ୍ତାର ଉଚ୍ଚତା ଅଧିକ ହୋଇଯିବା ଯୋଗୁଁ ବିଶ୍ରାମ ଗୃହଟି ପ୍ରାୟ ଅର୍ଦ୍ଧେକ ଅଂଶ ପୋତି ହୋଇଯିବା ଅବସ୍ଥାରେ ଅଛି । ଫଳରେ ବର୍ଷା ହେଲେ ରାସ୍ତାର ସମସ୍ତ ବର୍ଷା ଜଳ ବିଶ୍ରାମ ଗୃହରେ ପ୍ରବେଶ କରିଥାଏ । ଫଳରେ ସେଥିରେ ଆଶ୍ରୟ ନେଇଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେଣୁ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ଯଦି ମରାମତି କରାନଯାଏ, ତା’ ହେଲେ ଏହି ବିପଦପୂର୍ଣ୍ଣ ବିଶ୍ରାମ ଗୃହ ପାଇଁ କୈାଣସି ମୂହୁର୍ତ୍ତରେ ଧନ ଜୀବନ ନଷ୍ଟ ହେବାର ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *