ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟାପ୍ତ ବିଦ୍ୟୁତ ଉପଲବ୍ଧ ଥିବା ସତ୍ତ୍ବେ ଗ୍ରୀଷ୍ମକାଳରେ ଘନ ଘନ ବିଦ୍ୟୁତ କାଟ୍ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଖୋଦ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଦଳ ମତ ନିର୍ବିଶେଷରେ ବିଧାୟକମାନେ ଶକ୍ତି ବିଭାଗ ସଂକ୍ରାନ୍ତ ବିଧାନସଭା ଗୃହ କମିଟି ବୈଠକରେ ଏ ସଂକ୍ରାନ୍ତରେ ଆପତ୍ତି ଉଠାଇଥିଲେ ହେଁ, ଘରୋଇ ଆବଣ୍ଟନ କଂପାନିମାନେ ଖାତିର କରୁ ନାହାନ୍ତି । କେବଳ ସେତିକି ନୁହେଁ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦିନରେ ବିଦ୍ୟୁତ୍ କାଟ୍ ନ କରିବା ଲାଗି ଦେଇଥିବା ନିର୍ଦେଶର ବି ସାମାନ୍ୟତମ ପ୍ରଭାବ ପଡ଼ିନାହିଁ । ଏହାକୁ ନେଇ ପୂରା ଓଡ଼ିଶାରେ (ବିଶେଷକରି ଗ୍ରାମାଞ୍ଚଳରେ) ଜନ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ନୂଆଦିଲ୍ଲୀସ୍ଥିତ ଶକ୍ତି, ପରିବେଶ ଓ ଜଳ ପରିଷଦ ଘରୋଇ କ୍ଷେତ୍ରରେ ଶକ୍ତି ବ୍ୟବହାର ସଂପର୍କରେ ତାର ରିପୋର୍ଟ ପ୍ରକାଶ କରିଛି । କାଉନସିଲ୍ ଅନ୍ ଏନର୍ଜି, ଏନ୍ଭାୟରନମେଣ୍ଟ ଏଣ୍ଡ ଵାଟର୍, ୨୦୨୦ ମସିହା ରିପୋର୍ଟରେ କୁହାଯାଇଛି ଯେ ଭାରତବର୍ଷରେ କୌଣସି ରାଜ୍ୟ ପାଵାର କଟ୍ରୁ ମୁକ୍ତ ନୁହେଁ । ହେଲେ ଉଦ୍ବେଗର ବିଷୟଟି ହେଉଛି ଯେ ଓଡ଼ିଶାର ଗ୍ରାମାଞ୍ଚଳର ପାଵାର କଟ୍ ଜାତୀୟ ହାରାହାରି ପାଵାର୍ କଟ୍ ସମୟ ଅବଧି ଠାରୁ ଅଧିକ ରହିଛି । ଜାତୀୟସ୍ତରରେ ସହରାଞ୍ଚଳରେ ଦିନକୁ ହାରାହାରି ୧ ଘଣ୍ଟା ୪୦ ମିନିଟ୍ ପାଵାର୍ କଟ୍ ହେଉଛି; ଗ୍ରାମାଞ୍ଚଳରେ ଏହା ୪ ଘଣ୍ଟା ଅଟେ । ଓଡ଼ିଶାରେ କିନ୍ତୁ ଗ୍ରାମାଞ୍ଚଳରେ ଦୈନିକ ୪ ଘଣ୍ଟା ୧୦ ମିନିଟ୍ ବିଦ୍ୟୁତ୍ କାଟ୍ ହେଉଥିବା ବେଳେ ସହରାଞ୍ଚଳରେ ଜାତୀୟ ହାରଠାରୁ ସାମାନ୍ୟ କମ୍ ଅର୍ଥାତ୍ ୧ ଘଣ୍ଟା ୩୦ ମିନିଟ୍ ପାଖାପାଖି ଲୋକ ଅନ୍ଧାରରେ ରହୁଛନ୍ତି ।
ଉକ୍ତ ରିପୋର୍ଟ କହୁଛି ଯେ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ପାଵାର୍ କଟ୍ ହେଉଛି । ସେଠାରେ ଗ୍ରାମାଞ୍ଚଳରେ ଦୈନିକ ଆଠ ଘଣ୍ଟା ଏବଂ ସହରାଞ୍ଚଳରେ ଚାରି ଘଣ୍ଟା ପାଵାର କଟ୍ କରାଯାଉଛି । ଓଡ଼ିଶା ଠାରୁ ଅଧିକ ପାଵାର କଟ୍ ଝାଡ଼ଖଣ୍ଡ, ହରିୟାଣା, ଆସାମ, ବିହାର, ରାଜସ୍ଥାନ, ଛତିଶଗ଼ଡ଼ ଭଳି ରାଜ୍ୟରେ ହେଉଛି । ଏ କ୍ଷେତ୍ରରେ ଉଲ୍ଲେଖନୀୟ ଦିଗଟି ହେଉଛି, ବିକଶିତ ରାଜ୍ୟରେ ପାଵାର୍ କଟ୍ ପରିମାଣ ଯଥେଷ୍ଟ କମ୍ । ଦିଲ୍ଲୀରେ ସବୁଠାରୁ କମ୍ ସମୟ ପାଵାର କଟ୍ କରିବାକୁ ପଡ଼ୁଛି । ଏଠାରେ ଦୈନିକ ପାଵାର କଟ୍ ଅବଧି ମାତ୍ର ୩୦ ମିନିଟ୍ ରହିଛି । ସେହିଭଳି ଜାତୀୟ ହାରାହାରି ପାଵାର କଟ୍ ଠାରୁ ଯଥେଷ୍ଟ କମ୍ ସମୟ ପାଵାର୍ କଟ୍ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ତାମିଲନା଼ଡୁ, ଗୁଜରାଟ, କେରଳରେ ହେଉଛି । କେରଳରେ ପାଵାର କଟ୍ ସମୟ ଦିଲ୍ଲୀ ପରେ ତଳଆଡୁ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଗୁଜରାଟ ଏହି ଧାରାରେ ତୃତୀୟରେ ରହିଛି । କେଉଁଠି ନା କେଉଁଠି ଏହି ଚିତ୍ର ସୂଚାଇ ଦେଉଛି ଯେ ଭାରତ ଶକ୍ତି କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରୁନାହିଁ । ବିକଶିତ ରାଜ୍ୟଗୁଡିକ ଜାତୀୟ ହାରାହାରି ପାଵାର କଟ୍ ଠାରୁ କମ୍ ସମୟ ବିଦ୍ୟୁତ୍ କାଟ୍ କରୁଥିବା ବେଳେ ପଛୁଆ ରାଜ୍ୟଗୁଡିକ ଜାତୀୟ ହାରାହାରି ପାଵାର କଟ୍ ଠାରୁ ଅଧିକ କରୁଛନ୍ତି ।
ଏହି ରିପୋର୍ଟ କିନ୍ତୁ ଓଡ଼ିଶା କ୍ଷେତ୍ରରେ ଆଉ ଏକ ରହସ୍ୟର ଉନ୍ମୋଚନ କରିଛି । ବିଦ୍ୟୁତ୍ ଆବଣ୍ଟନ କଂପାନି କିଭଳି ଅଘୋଷିତ ଭାବେ ବିଦ୍ୟୁତ୍ କାଟ୍ କରିଚାଲିଛନ୍ତି, ଏହାର ପର୍ଦାଫାଶ ହୋଇଛି । ଘନ ଘନ ବିଦ୍ୟୁତ୍ କାଟ୍ ହେଉଥିବା ବେଳେ କଂପାନିମାନେ ଏହାକୁ ଅସ୍ବୀକାର କରି ଚାଲିଛନ୍ତି । ଲୋକେ ଫୋନ୍ କଲେ କେତେବେଳେ ମରାମତି ଚାଲିଛି ବୋଲି କୁହାଯାଉଛି, ଆଉ କେବେ ଅଧିକାରୀମାନେ ଫୋନ୍ ଧରନ୍ତି ନାହିଁ ।
ଶକ୍ତି ସମୀକ୍ଷକମାନଙ୍କର ଯୁକ୍ତି ହେଲା ଯେ ଓଡ଼ିଶାର ପ୍ରାକୃତିକ ସମ୍ପଦ ମହଜୁଦ ରହିଛି । ରାଜ୍ୟ ଶକ୍ତି କ୍ଷେତ୍ରରେ ଏକ ସୁବିଧାଜନକ ସ୍ଥିତିରେ ରହିଛି ଓ ବରଦାନ ବୋଲି କୁହାଯାଇପାରିବ । ହେଲେ ଏହାକୁ ଠିକ୍ ଭାବରେ ବ୍ୟବହାର କରାଯାଇପାରୁନାହିଁ । ଓଡ଼ିଶା ଶକ୍ତି କ୍ଷେତ୍ରରେ ସର୍ବ ଭାରତ ସ୍ତରରେ ଏକ ନମ୍ବର ହେବାର ଯୋଗ୍ୟତା ଥିଲେ ବି ପରିଚାଳନାଗତ ଅପାରଗତା ଏତେ ପ୍ରବଳ ହୋଇଛି ଯେ ପିକ୍ ସମୟରେ ପାୱାର କଟ୍ କରାଯାଉଛି । ଗ୍ରାମାଞ୍ଚଳ କଥା ନକହିବା ଭଲ । ସର୍ବ ଭାରତ ସ୍ତରରେ ଓଡ଼ିଶା ପାୱାର କଟ କରିବାରେ ଜାତୀୟ ହାରାହାରି ପାୱାର କଟ ଠାରୁ ଅଧିକ ରହିବା ଗୋଟିଏ ଲଜ୍ଜାଜନକ ଘଟଣା ।
ତଥ୍ୟ କହୁଛି ଯେ ଓଡ଼ିଶାରେ ଗ୍ରୀଷ୍ମ ଋତୁରେ ସର୍ବୋଚ୍ଚ ବିଦ୍ୟୁତ ଚାହିଦା ୫୫୦୦ ମେଗାଵାଟ୍ ରହୁଛି । ହେଲେ ରାଜ୍ୟରେ ବିଭିନ୍ନ ସୂତ୍ରରୁ ପ୍ରାୟ ୬୫୦୦ ମେଗାଵାଟ୍ ବିଦ୍ୟୁତ୍ ଉପଲବ୍ଧ ଅଛି । ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର କ୍ଷମତା ୨୧୦୦ ମେଗାଵାଟ୍ । ଏହି ସଂସ୍ଥା ଅତି କମରେ ୧୫୦୦ ମେଗାଵାଟ୍ (୧୮୦୦ ମେଗାଵାଟ୍ ବି ଉତ୍ପାଦନ କରିପାରେ) ବିଦ୍ୟୁତ୍ ଉତ୍ପାଦନ କରିବାର ସାମର୍ଥ୍ୟ ରଖେ । ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ସ୍ଥାପିତ କ୍ଷମତା ୧୭୪୦ ମେଗାଵାଟ୍ । ଏଠାରୁ ଅତି କମରେ ୧୨୭୦ ମେଗାଵାଟ୍ ବିଦ୍ୟୁତ ଉପଲବ୍ଧ ହେବା କଥା । ବେଦାନ୍ତ, ଜିଏମ୍ଆର୍, ଜିନ୍ଦଲ, ନବଭାରତ ଭଳି ବେସରକାରୀ ସ୍ବାଧୀନ ବିଦ୍ୟୁତ କେନ୍ଦ୍ରଗୁଡିକରୁ ରାଜ୍ୟ ଦୈନିକ ୯୬୦ ମେଗାଵାଟ୍ ବିଦ୍ୟୁତ ପାଇବାକୁ ହକ୍ଦାର୍ । କେବଳ ସେତିକି ନୁହେଁ, ଏହି ବିଦ୍ୟୁତ୍ ଅତି ସୁଲଭ ଦରରେ ଉପଲବ୍ଧ, ଯାହାକୁ ଆମେ ବର୍ଷ ବର୍ଷ ଧରି ହାତଛଡ଼ା କରିଆସିଛନ୍ତି । ଘରୋଇ କଂପାନିଙ୍କୁ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ରାଜ୍ୟର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ କେବଳ ମହଙ୍ଗା ବିଦ୍ୟୁତ ଦିଆଯାଇଛି ଏବଂ ଅନ୍ଧାରରେ ବି ରଖାଯାଇଛି । ସେହିଭଳି ଶିଳ୍ପମାନଙ୍କ ପାଇଁ ସ୍ଥାପିତ ନିଜସ୍ବ ବିଦ୍ୟୁତ କେନ୍ଦ୍ରଗୁଡିକରୁ ରାଜ୍ୟ ୫୫୦ ମେଗାଵାଟ୍ ପାଇପାରିବ । ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥାପିତ ଜଳ ଓ ତାପଜ ବିଦ୍ୟୁତ କେନ୍ଦ୍ରରୁ ୧୭୦୦ ମେଗାଵାଟ୍ ଏବଂ ଅକ୍ଷୟ ଶକ୍ତି ସୂତ୍ରରୁ ୪୫୦ ମେଗାଵାଟ୍ ସମୁଦାୟ ୨୧୫୦ ମେଗାଵାଟ୍ ବିଦ୍ୟୁତ ମିଳିବାର ସୁଯୋଗ ରହିଛି । ମୋଟାମୋଟି ଭାବେ ରାଜ୍ୟ ସୂତ୍ରରୁ ୪୩୫୦ ମେଗାଵାଟ୍ ଏବଂ କେନ୍ଦ୍ର ସୂତ୍ରରୁ ୨୧୫୦ ମେଗାଵାଟ୍ ଏହିଭଳି ଦୈନିକ ୬୫୦୦ ମେଗାଵାଟ୍ ଉପଲବ୍ଧ ଥିବା ବେଳେ ଏହାଠାରୁ ପାଖାପାଖି ହଜାରେ ମେଗାଵାଟ୍ରୁ କମ୍ ବିଦ୍ୟୁତ ଚାହିଦା ପିକ୍ ସମୟରେ ରହିଛି । ଏତେ ସୁବିଧାରେ ଥାଇ ବି ରାଜ୍ୟରେ ବିଦ୍ୟୁତ୍ କାଟ୍ କରାଯିବା ପ୍ରଶାସନିକ ଅପରାଗତା, ଦୂରଦୃଷ୍ଟିହୀନତା ଏବଂ ଏକ ବିଡ଼ମ୍ବନା ବୋଲି ହିଁ କୁହାଯାଇପାରିବ ।
କେବଳ ସେତିକି ନୁହେଁ, ଗତ ଦଶନ୍ଧିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୨୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହୋଇଛି, ଖାସ୍ ଭିତ୍ତିଭୂମିର ବିକାଶ ଲାଗି । ଏହାସତ୍ତ୍ବେ ମରାମତି, ରକ୍ଷଣାବେକ୍ଷଣ କାରଣରୁ ବିଦ୍ୟୁତ୍ କାଟ୍ ଏବଂ ବାଣିଜ୍ୟ ଓ ବିତରଣ ଜନିତ କ୍ଷତି (ହାରାହାରି ୨୮%) ସୂଚାଇ ଦେଉଛି ଯେ ସମୁଦାୟ କ୍ଷେତ୍ରଟି ଗୋଟିଏ ବଡ କେଳେଙ୍କାରୀ ଭିତରେ ଛନ୍ଦି ହୋଇଯାଇଛି । ଏହାର ଉଚ୍ଚସ୍ତରୀୟ ଅନୁସନ୍ଧାନ କରାଗଲେ, ସମ୍ଭବତଃ ଏହା ଗତ ଦଶନ୍ଧିର ସବୁଠୁ ବଡ ଦୁର୍ନୀତି ଭାବେ ଉଭା ହେବ ।
