ବେଳାଭୂମିରୁ ଘୁଞ୍ଚିଗଲାଣି ସମୁଦ୍ର, ଘାସରେ ଆଚ୍ଛାଦିତ ଚାନ୍ଦିପୁର ବେଳାଭୂମି

ବାଲେଶ୍ବର : ପରିବେଶ ବିଜ୍ଞାନୀଙ୍କ ମତରେ ଲବଣାକ୍ତ ସମୁଦ୍ର ବେଳାଭୂମିରେ ଘାସ କିମ୍ବା ତଦ୍‌ଜାତୀୟ ଗୁଳ୍ମ ଦେଖାଯିବା ଏକ ବିରଳ ଘଟଣା । କିନ୍ତୁ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସାମୁଦ୍ରିକ ବେଳାଭୂମିରେ ଏବେ ବିଭିନ୍ନ ଘାସଜାତୀୟ ଗଛ ମାଡ଼ିଗଲାଣି । ଆଗକୁ ଯଦି ସମୁଦ୍ର ପାଣି ନିୟମିତ ଭା‌ବେ କୂଳକୁ ନଆସେ, ତା’ ହେଲେ ଏହି ବିସ୍ତ୍ରିଣ୍ଣ ବେଳାଭୂମି ଘାସପଡ଼ିଆରେ ପରିଣତ ହେବ ବୋଲି ପରିବେଶବିତମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଚାନ୍ଦିପୁର ବେଳାଭୂମି ଅଞ୍ଚଳରେ ପୂର୍ବରୁ କେବେ ବି ଘାସଜାତୀୟ ଗଛ ଦେଖିବାକୁ ମିଳିନଥିଲା । ସମୁଦ୍ର ବେଳାଭୂମିରେ ଘାସ କଅଁଳୁ ନଥିବା ବେଳେ ଏବେ ଚାନ୍ଦିପୁରଠୁ ଆରମ୍ଭ କରି ନଦୀମୁହାଣ ବଳରାମଗଡ଼ି, ନାଉପାଳଗଡ଼ି ଅଞ୍ଚଳ ସବୁଜ ଘାସରେ ଆଚ୍ଛାଦିତ ହୋଇଗଲାଣି । ସମୁଦ୍ର କୂଳେ କୂଳେ ଘାସ ଉଠୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ସମୁଦ୍ରକୂଳକୁ ପ୍ରତିଦିନ ଜୁଆର ଆସୁଥିଲା । ଲୋକେ ସମୁଦ୍ରର ଉତ୍ତାଳ ଢେଉ ଦେଖିବା ଲାଗି ସଞ୍ଜ ଯାଏ ଅପେକ୍ଷା କରୁଥିଲେ । ଏବେ କାଁଭାଁ କେତେବେଳେ କେମିତି, ନହେଲେ କେବଳ ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ଜୁଆର ଆସୁଛି । ନିୟମିତ ଜୁଆର ଆସୁନଥିବାରୁ ମାଟିର ଲବଣାକ୍ତ ଭାଗ କମୁଛି ଓ ତା’ର ପ୍ରଭାବରେ ଘାସ ଉଠୁଥିବା ଅନୁମାନ କରାଯାଉଛି ।

ଏ ସଂପର୍କରେ ଫକୀରମୋହନ ବିଶ୍ବବିଦ୍ୟାଳୟର ପରି‌ବେଶ ବିଜ୍ଞାନ ପ୍ରଫେସର ସୂର୍ଯେନ୍ଦୁ ଦେ କହିଛନ୍ତି, ଚାନ୍ଦିପୁର ବେଳାଭୂମିରେ ଘାସ ଉଠିବା ଏକ ବିରଳ ଘଟଣା । କାରଣ ଅନ୍ୟ ସମସ୍ତ ସାମୁଦ୍ରିକ ବେଳାଭୂମି ଅପେକ୍ଷା ଏହା ଏକ ସମତଳ ବେଳାଭୂମି । ସମୁଦ୍ରର ଜୁଆର ପ୍ରତିଦିନ କୂଳ ଛୁଇଁ ପୁଣି ଗଭୀର ସମୁଦ୍ରକୁ ଫେରି ଯାଇଥାଏ । ସମୁଦ୍ରର ଲୁଣାପାଣିରେ ଘାସଜାତୀୟ ଗଛ କି ଗୁଳ୍ମ ଉଠିବା ସମ୍ଭବ ନୁହେଁ । ଯଦି ଏପରି ହୋଇଥିବ, ତା’ ହେଲେ ଏହା ମଧ୍ୟ ଏକ ଶୁଭ ସଙ୍କେତ । ଲୁଣିଜଳରେ କେଉଁ ପ୍ରକାର ଘାସ ବଢ଼ୁଛି, ସେ ସଂପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଏଥିସହିତ ଚାନ୍ଦିପୁର ବେଳାଭୂମି ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନରେ ବା ମାଟିରେ ଏକ ସୁନ୍ଦର ଉଦ୍ୟାନର ବ୍ୟବସ୍ଥା କରାଯାଇପାରିବ ।

ସେହିପରି ବିଶିଷ୍ଟ ‌ଗବେଷକ ତଥା ପ୍ରାଣୀବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ଦାସ କହିଛନ୍ତି, ଚାନ୍ଦିପୁର ବେଳାଭୂମିରେ ବର୍ତ୍ତମାନ ଯେଉଁ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଛି, ତାହା ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି କୁହାଯାଇପାରିବ । ଏହାଛଡ଼ା ଏବେ ବିଭିନ୍ନ ସମୟରେ ଯେଉଁ ସାମୁଦ୍ରିକ ଝଡ଼ବାତ୍ୟା ସୃଷ୍ଟି ହେଉଛି, ସେଥିରେ କେଉଁଠି ସମୁଦ୍ର ଜୁଆର ସ୍ଥଳଭାଗକୁ ଅଧିକ ମାଡ଼ିଯାଉଛି ତ କେଉଁଠି ଘୁଞ୍ଚି ଘୁଞ୍ଚି ଯାଉଛି । ଯେଉଁଠି ଜୁଆର ଅଧିକ ଭିତରକୁ ଘୁଞ୍ଚିଯାଉଛି ଘୁଞ୍ଚିଯାଉଛି ସେଠାରେ ଲଗାତାର ବର୍ଷା ହୋଇ ସେ ମାଟିରୁ ଲବଣ ଭାଗ କମିଯାଉଛି ଓ ମଧୁରଜଳ ଓ ପଟୁମାଟି ପ୍ରଭାବରେ ସେଠି ବିଭିନ୍ନ ପ୍ରକାର ଗଛ ଉଠୁଛି । ଆମ ପରମ୍ପରା ଅନୁସାରେ ବିଭିନ୍ନ ସମୟରେ ଲୋକେ ସମୁଦ୍ରରେ ପୂଜାପାଠ କରିବାକୁ ଆ‌ସିଥାନ୍ତି । ପୂଜା ପାଇଁ ସେମାନେ ଆଣିଥିବା ଦୁବଘାସ, ଧାନ ଓ ବିଭିନ୍ନ ପ୍ରକାର ଶସ୍ୟ ସେଠାରେ ବ୍ୟବହାର କରାଯାଇଥାଏ । ସେଗୁଡ଼ିକ ଯେତେ ପର୍ଯ୍ୟନ୍ତ ଲୁଣି ଜୁଆର ପ୍ରଭାବରେ ରହିଥାଏ, ସେତେ ଯାଏ ଗଜା ହୋଇନଥାଏ । ଏବେ ଯଦି ସମୁଦ୍ର ଭିତରକୁ ଘୁଞ୍ଚି ଯାଇଥିବ, ତା’ ହେଲେ ବେଳାଭୂମି ବାଲି ଓ ମାଟିରୁ ଲବଣ ଭାଗ ହ୍ରାସ ପାଇଥିବ । ଯେଉଁଥି ପାଇଁ ସେ ଅଞ୍ଚଳରେ ଘାସ ଉଠୁଛି ।‌ ତେବେ ଏହା ଉପରେ ଅଧିକ ଗବେଷଣା ଓ ପରୀକ୍ଷା‌ନିରୀକ୍ଷାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *