ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ, ସହଯୋଗୀ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ

ସମ୍ବଲପୁର : କିଛିବର୍ଷ ବ୍ୟବଧାନରେ ପୁଣି ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଦୁର୍ନାମ ମୁଣ୍ଡାଇଛି । ଜମି ଦୁର୍ନୀତି ମାମଲାରେ ଜଣେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଭିଜିଲାନ୍ସ ଇନ୍‌ସପେକ୍ଟର ପ୍ରବୀରକେଶରୀ ତ୍ରିପାଠୀ ଚାକିରିରୁ ନିଲମ୍ବିତ ହୋଇଥିବା ବେଳେ ଏଥର ସିଧାସଳଖ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭିଜିଲାନ୍ସ ଇନ୍‌ସପେକ୍ଟର ମାନସୀ ଜେନା । ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି ।

ଭିଜିଲାନସ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆଗରୁ ଭିଜିଲାନ୍ସରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଭିଜିଲାନ୍ସ ଇନ୍‌ସ୍ପେକ୍ଟର ମାନସୀ ଜେନା । ସଂପୃକ୍ତ ଅଧିକାରୀଙ୍କ ମାମଲା ରଫାଦଫା କରିବା ପାଇଁ ସେ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବେସରକାରୀ ଲୋକଙ୍କ ଜରିଆରେ ମାନସୀ ୧୦ ଲକ୍ଷ ଟଙ୍କା ମାଗିଥିଲେ । ଆଜି ଅପରାହ୍ନ ୨ଟାରେ ମୁକେଶ ୧୦ ଲକ୍ଷ ଟଙ୍କା ଦେବାବେଳେ ଓଡ଼ିଶା ଭିଜିଲାନ୍ସର ଆଭ୍ୟନ୍ତରୀୟ ୟୁନିଟ୍(ଆଇଭିୟୁ) ହାତରେ ସେ ଧରାପଡ଼ିଥିଲେ । ମାନସୀଙ୍କ ନିର୍ଦ୍ଦେଶ ଅନୁସାରେ ମୁକେଶ ଏହି ଟଙ୍କା ଗ୍ରହଣ କରିଥିଲେ । ମାନସୀଙ୍କୁ ଦେବାପୂର୍ବରୁ ରାସାୟନିକ ପ୍ରଲେପ ଦିଆ ଏହି ଟଙ୍କା ସବୁକୁ ଭିଜିଲାସ୍ ଅଧିକାରୀମାନେ ଜବତ କରିଥିଲେ । ଏହାପରେ ମାନସୀଙ୍କ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଭୁବନେଶ୍ବରରେ ଥିବା ଘରେ ଚଢ଼ଉ କରାଯାଉଛି । ଏଥିସହିତ ମୁକେଶଙ୍କ ବରଗଡ଼ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ଉ ଜାରି ରହିଛି ।

ଗତକାଲି ଅଭିଯୋଗକାରୀଙ୍କ ଏତଲା ଆଧାରରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଧାରା ୭/୧୨ ପିସି ଆକ୍ଟ, ୧୯୮୮ ଅନୁସାରେ କେସ୍‌ ୫/୧୨.୫.୨୦୨୨ ରୁଜୁ କରାଯାଇଛି । ମାନସୀ ଏବଂ ମୁକେଶଙ୍କ ଜରିଆରେ ଅଧିକ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ.କେ ଜେଠୱା କହିଛନ୍ତି ଯେ, ଭିଜିଲାନ୍ସ ଅଧିକାରୀମାନଙ୍କ ଉପରେ ଏବ‌େ ନଜର ରଖାଯାଇଛି । ଏଥିପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଭିଜିଲାନ୍ସ ସେଲ୍ ଡିଭିଜନରେ ଏକ ଆଭ୍ୟନ୍ତରୀଣ ଭିଜିଲାନ୍ସ ୟୁନିଟ୍ ଖୋଲାଯାଇଛି । ଏହି ୟୁନିଟ୍ ଭିଜିଲାନ୍ସ ଅଧିକାରୀମାନଙ୍କ କାର୍ଯ୍ୟକଳାପ ଉପ‌ରେ ଦୃଷ୍ଟିରଖୁଛି । ଯିଏ ବି ଦୁର୍ନୀତି କରିବ, ତାଙ୍କ ବିରୋଧରେ ନିଶ୍ଚିତ ଭାବ‌େ କାର୍ଯ୍ୟାନୁ୍ଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଜେଠୱା କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭିଜିଲାନ୍ସ ଇନ୍‌ସପେକ୍ଟର ପ୍ରବୀର କେଶରୀ ତ୍ରିପାଠୀ ମିଥ୍ୟ ସତ୍ୟପାଠ ଜରିଆରେ ନିଜ ପତ୍ନୀ, ଭାଇ, ଶଳା ଓ ଶ୍ବଶୁରଙ୍କ ନାମରେ ୪୦ ଡେସିମିଲ୍ ସରକାରୀ ଜମି ହାତେଇ ନେଇଥିଲେ । ଅବସରପ୍ରାପ୍ତ ଅତିରିକ୍ତ ସଚିବ ଅଶୋକ ପୁରୋହିତଙ୍କ ଅଭିଯୋଗକ୍ରମେ ଏହି ମାମଲାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା । ‌ସେତ‌େବେଳେ ଏ ସଂପର୍କରେ ଲଗାତାର ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ୨୦୧୫ ମସିହାରେ ଦୁର୍ନୀତି ଅଭିଯୋଗରେ ପ୍ରବୀରଙ୍କୁ ନିଲମ୍ବନ କରାଯିବା ସଂପର୍କରେ ‌ଘୋଷଣା କରିଥିଲେ । ଏହାପରେ ପ୍ରବୀରଙ୍କ ସହିତ ଘଟଣାରେ ସଂପୃକ୍ତ କେତେକ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ହେଲେ, ଏଭଳି ସଂଗିନ ମାମଲାକୁ ନାଲିଫିତା ତ‌ଳେ ଚାପି ଦିଆଯାଇଥିବା ଅଭିଯୋଗକାରୀ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଶ୍ରୀ ପୁରୋହିତ ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *