ଭୁବନେଶ୍ବର : ଦୁଇ ବର୍ଷ ପରେ ସ୍କୁଲ ଖୋଲିଛି । ଖରାକୁ ଦୃଷ୍ଟିରେ ରଖି ସକାଳ ୬ଟା ରୁ ୯ଟା ଯାଏ ପିଲାଙ୍କ ପାଠପଢ଼ା ଚାଲିଛି । ପ୍ରଥମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଛି । ତା’ପରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇପାରୁ ନାହିଁ । ବ୍ଳକସ୍ତରୀୟ ଉପସ୍ଥାନ ଯାଞ୍ଚ ସମୟରେ ବହୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁ ନ ଥିବା ଜଣାପଡ଼ିଛି । ରାଜ୍ୟସ୍ତରୀୟ ସମୀକ୍ଷାରୁ ଜଣାପଡ଼ିଛି ଯେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୦% ରହୁଛି । ଅର୍ଥାତ୍ ୩୦ ପ୍ରତିଶତ ଛାତ୍ରଛାତ୍ରୀ କ୍ଲାସରୁମ୍ ଶିକ୍ଷା ଗ୍ରହଣ କରିବାକୁ ଆସୁନାହାନ୍ତି । ଏଭଳି ଏକ ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି । ୧୨ଟି ଶ୍ରେଣୀର ପାଖାପାଖି ୬୦ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢ଼ୁଛନ୍ତି । ଯଦି ରାଜ୍ୟ ସରକାରଙ୍କ ହିସାବକୁ ଦେଖାଯାଏ ତେବେ ୩୦% ଅର୍ଥାତ୍ ୧୮ ଲକ୍ଷ ପିଲା ଆଦୌ ସ୍କୁଲ ଯାଉ ନାହାନ୍ତି ।
ଏତେ ସଂଖ୍ୟକ ପିଲା କୁଆଡ଼େ ଗଲେ ? ଅଧାରୁ ପାଠ ଛାଡ଼ିଦେଲେ କି ? ଯଦି ପାଠପଢ଼ା ଛାଡ଼ିଲେ ତେବେ ଏବେ ସେମାନେ କେଉଁଠି କ’ଣ କରୁଛନ୍ତି ? ଏଭଳି ଆଶଙ୍କା ପ୍ରକାଶ ପାଇଥିବାରୁ ଗଣଶିକ୍ଷା ବିଭାଗ ତନାଘନା ଆରମ୍ଭ କରିଛି । ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଡ୍ରପ୍ଆଉଟ୍ ହୋଇଥିବା ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଶ୍ରୀ ସେଠୀ ଦର୍ଶାଇଛନ୍ତି ଯେ ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡ଼ା ଜିଲ୍ଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରାଜ୍ୟ ହାରଠାରୁ କମ୍ ରହିଛି ।
ଗଣଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା କରାଯିବା ସମୟରେ ଜଣାପଡ଼ିଛି ଯେ ୮ମ ଶ୍ରେଣୀ ପାସ୍ କରିବା ପରେ ବହୁ ପିଲା ୯ମ ଶ୍ରେଣୀରେ ନାମ ଲେଖାଇନାହାନ୍ତି । ଅର୍ଥାତ୍ ସେମାନେ ଡ୍ରପ୍ ଆଉଟ୍ ହୋଇଛନ୍ତି । ସେମାନଙ୍କୁ ପୁଣିଥରେ ସ୍କୁଲକୁ ଫେରାଇ ଆଣିବା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବିଦ୍ୟାଳୟକୁ ଆସୁ ନଥିବା ଛାତ୍ରଛାତ୍ରୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଏକ ମାଇକ୍ରୋ ସ୍ତରୀୟ ସର୍ଭେ କରାଯାଇପାରେ । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଜାଣିବା ପାଇଁ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକଙ୍କୁ ସେମାନଙ୍କୁ ଘରକୁ ପଠାଯାଇପାରେ । ଏହି କନିଷ୍ଠ ଶିକ୍ଷକମାନେ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କୁ ଉତ୍ସାହିତ କରିବା ଉଚିତ । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ପଠାଇବାର ଲାଭ ଏବଂ ଛାତ୍ରଛାତ୍ରୀଙ୍କୁ ମାଗଣା ବହି, ୟୁନିଫର୍ମ, ମଧ୍ୟାହ୍ନଭୋଜନ ଓ ସ୍କଲାରସିପ୍ ଯୋଗାଇବା ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରିବା ଆବଶ୍ୟକ । ଯଦି ଆବଶ୍ୟକ ହୁଏ ସ୍କୁଲ ପରିଚାଳନା କମିଟି, ଏସ୍ଏମ୍ଡିସି, ପିଆରଆଇଏସ୍, ଡବ୍ଲୁଏସ୍ଏଚ୍ଜିର ସଦସ୍ୟଙ୍କ ସହାୟତା ନିଆଯାଇପାରେ । ଏହି ପରିପ୍ରେକ୍ଷୀରେ ସମ୍ପ୍ରଦାୟସ୍ତରୀୟ କାର୍ଯ୍ୟକଳାପ ଆରମ୍ଭ କରାଯାଇପାରେ । ଶିକ୍ଷଣ ପୁନରୁଦ୍ଧାର ଯୋଜନା(ଏଲ୍ଆରପି)ର ଲାଭ ଛାତ୍ରଛାତ୍ରୀଙ୍କ ସହିତ ପ୍ରତ୍ୟେକସ୍ତରରେ ବ୍ୟାଖ୍ୟା କରାଯିବାର ଆବଶ୍ୟକତା ରହିଥିବା ନେଇ ଶ୍ରୀ ସେଠୀ ଚିଠିରେ ଉଲ୍ଲେଖ କରିଛନ୍ତି ।
