ରାତାରାତି ପୋଖରୀ ଗାଏବ, ପୋତିଲା କିଏ ?

ବ୍ରହ୍ମପୁର : ‘୧୧ ତାରିଖରେ ପୋଖରୀକୁ ଯାଇ ଗାଧୋଇଥିଲୁ, ଗୁରୁବାର ସକାଳେ ଗାଧୋଇ ଗଲାବେଳେ ପୋଖରୀ ନାହିଁ, ରାତି ଅଧିଆ କିଏ ଏହାକୁ ପୋତି ଦେଇଛି ।’ ଏଭଳି ଅଭିଯୋଗ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମର ୨୮ନଂ ୱାର୍ଡ଼ ବାସିନ୍ଦା । ଖଜୁରିଆ ଓଭରବ୍ରିଜ୍ ଠାରୁ ଅଳ୍ପ ଦୂରରେ ଥିବା ହଳଦିଆପଦର ଜାତୀୟ ରାଜପଥର ବାମପାର୍ଶ୍ବରେ ଚାଂଚଡ଼ା ପଡ଼ିଆରେ ଥିବା ଶୁଣ୍ଢି ବନ୍ଧକୁ ରାତି ଅଧିଆ କେହି ଦୁର୍ବୃତ୍ତ ପୋତି ଦେଇଥିବା ନେଇ ଆଜି ଉପଜିଲ୍ଲାପାଳ ଏବଂ ଦକ୍ଷିଣାଂଚଳ ରାଜସ୍ବ କମିସନରଙ୍କୁ ଉକ୍ତ ଅଂଚଳବାସୀ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଆଖପାଖ ଅଂଚଳର ପ୍ରାୟ ପାଂଚହଜାର ଲୋକ ଏହି ପୋଖରୀ ଉପରେ ନିର୍ଭର କରୁଥିଲେ। ତେଣୁ ଏହାର ପୁନରୁଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ।

ସୂଚନା ମୁତାବକ, ୫୦-୫୫ ବର୍ଷ ହେବ ଏହି ପୋଖରୀ ଉପରେ ଚାଂଚଡ଼ାପଡ଼ିଆ ସାହି, ସୋମନାଥ ନଗର, ବିଶ୍ବନାଥ ନଗର, ଶାନ୍ତିନଗର, ଗୋପୀନାଥନଗର ଅଂଚଳବାସୀ ନିର୍ଭର କରିଆସୁଛନ୍ତି । ସ୍ନାନ, ଶୌଚ ଠାରୁ ଆରମ୍ଭ କରି ଶୁଦ୍ଧି ଓ ଅଶୁଦ୍ଧି କାର୍ଯ୍ୟ ସମ୍ପାଦନରେ ଏହି ପୋଖରୀ ସହାୟକ ହେଉଥିଲା । ଗତକାଲି ପର୍ଯ୍ୟନ୍ତ ପୋଖରୀଟି ଯଥାବତ୍‌ ରହିଥିଲା । କିନ୍ତୁ ଆଜି ସକାଳେ ପ୍ରାୟ ଏକ ଏକର ପରିମିତ ଏହି ପୋଖରୀର ୯୫-୯୮ପ୍ରତିଶତ ପୋତି ଦିଆଯାଇଛି । କେବଳ ଗୋଟିଏ ତୁଠ ଏବଂ ଏହା ତଳେ ଛୋଟ ଖାଲଟିଏ ଥିବା ଭଳି ଦେଖାଯାଉଛି । ରାତି ଅଧରେ କୌଣସି ଜମି ମାଫିଆଙ୍କ ଦ୍ବାରା ଏଭଳି କାର୍ଯ୍ୟ କରାଯାଇଥିବା ନେଇ ସ୍ଥାନୀୟ ଅଂଚଳବାସୀ ଆଶଙ୍କା କରୁଛନ୍ତି । ଜଳାଶୟଗୁଡ଼ିକର ରକ୍ଷଣାବେକ୍ଷଣ କରିବା ଏବଂ କୌଣସି ଜଳାଶୟକୁ ନପୋତିବା ପାଇଁ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ ଏଭଳି କାଣ୍ଡ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଘଟାଇଛି, ତାହା ତଦନ୍ତ ସାପେକ୍ଷ । ସ୍ଥାନୀୟ ପ୍ରଶାସନ ଏହାକୁ ଗୁରୁତ୍ବ ଦେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଖରୀଟିର ପୁନରୁଦ୍ଧାର କରିବା ପାଇଁ ତ୍ବରିତ ପଦକ୍ଷେପ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *