ବ୍ରହ୍ମପୁର ବିମାନବନ୍ଦର ପାଇଁ ବର୍ତ୍ତମାନ ସୁଦ୍ଧା ଟଙ୍କାଟିଏ ବି ମଂଜୁର ହୋଇନି

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟରେ ରହିଥିବା ସର୍ବପୁରାତନ ବ୍ରିଟିସ ଅମଳର ଏୟାର‌୍‌ଷ୍ଟ୍ରିପ୍‌କୁ ସବୁଦିନିଆ ବିମାନବନ୍ଦର କରିବା ପାଇଁ ଯୋଜନା ରହିଛି । ହେଲେ, ଏଥିପାଇଁ ବର୍ତ୍ତମାନ ସୁଦ୍ଧା ଟଙ୍କାଟିଏ ବି ମଂଜୁର ହୋଇ ନଥିବା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି, ଯାହାକି ଏ ନେଇ ଚାଲିଥିବା ଭିନ୍ନ ଭିନ୍ନ ଯୁକ୍ତି, ବୟାନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି । ପ୍ରାଶାସନିକ ଅଧିକାରୀ ବିଭିନ୍ନ ସମୟରେ ଏୟାର୍‌ଷ୍ଟ୍ରିପ୍‌କୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବିମାନବନ୍ଦର ସ୍ବପ୍ନ ପୂରଣ ହେବା ନେଇ ଆଶା ଦେଖାଉଛନ୍ତି । କିନ୍ତୁ ଏଥିପାଇଁ ଟଙ୍କା ମଂଜୁର ହୋଇ ନଥିବାରୁ ଏହି ଆଶା ପୂରଣ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ପ୍ରାୟ ୩୮ ଏକର ଜମିରେ ତିଆରି ହୋଇଥିବା ଏୟାର୍‌ଷ୍ଟ୍ରିପ୍‌ରେ ଥିବା ୮୩୨ ମିଟର‌୍‌ ରନ୍‌ୱେକୁ ଦ୍ବିଗୁଣିତ କରି ୧୮ ଶହ ମିଟର‌୍‌ କରିବାକୁ ଯୋଜନା ହୋଇଥିଲା । ହେଲେ, ଜମି ଅଧିଗ୍ରହଣ ହୋଇପାରୁ ନଥିବାରୁ କାମ ଆଗେଇ ପାରୁନଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି. ଶଙ୍କର ପାତ୍ର ଆର୍‌ଟିଆଇ ବଳରେ ତଥ୍ୟ ମାଗିଥିଲେ । ମିଳିଥିବା ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଅଦ୍ୟାବଧି କୌଣସି ଅର୍ଥ ମଂଜୁର କରାଯାଇ ନାହିଁ । ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ କୌଣସି ପ୍ରସ୍ତାବ ଦିଆଯାଇ ନଥିବା ସେଥିରେ ଉଲ୍ଲେଖ ରହିଛି । ଏହି ସୂଚନାରୁ ସ୍ପଷ୍ଟ ହେଉଛି ଯେ ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ସବୁ ଦିନିଆବିମାନ ବନ୍ଦର କରିବା କାମ ଆଦୌ ଆଗେଇ ନାହିଁ । କେବଳ ରଂଗେଇଲୁଣ୍ଡା ଗ୍ରାମର ୩.୯୨୦ ଏକର ଓ କରାପଲ୍ଲୀ ଗ୍ରାମର ୧୯.୦୫୮ ଏକର ଜମି ବିମାନବନ୍ଦର ପାଇଁ ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଛି । କିନ୍ତୁ ଜମି ଅଧିଗ୍ରହଣ ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟିସ ସରକାରଙ୍କ ଦ୍ବାରା ରଂଗେଇଲୁଣ୍ଡା‌ ଏୟାର୍‌ଷ୍ଟ୍ରିପ୍‌ ନିର୍ମାଣ ହୋଇଥିଲା ।

Leave a Reply

Your email address will not be published. Required fields are marked *