କାର୍ଯ୍ୟକ୍ଷମ ହୋଇନି ଜଳ ପ୍ରକଳ୍ପ : ବିଜୁଳି ବିଲ୍ ୯୨ ହଜାର !

ଧାମନଗର : ବିଶୁଦ୍ଧ ପାନୀୟ ଜଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା ପ୍ରକୃତ ପକ୍ଷେ ଲୋକମାନଙ୍କ ସେବାରେ ଆସୁନାହିଁ । ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ଭୂତଳ ଜଳସ୍ତର କମିବାରେ ବି ଲାଗିଛି । ଅଧିକାଂଶ ସ୍ଥାନରେ ନଳକୂପରେ ମଧ୍ୟ ପାଣି ଶୁଖିଗଲାଣି । ବିଭିନ୍ନ ପଞ୍ଚାୟତମାନଙ୍କରେ ପାନୀୟ ଜଳ ବ୍ୟବସ୍ଥା କରାଇବାର ନିର୍ଦ୍ଦେଶ ଥିଲେ ମଧ୍ୟ ନାମକୁ ମାତ୍ର ହାଣ୍ଡି ବସି ଜଳଛତ୍ର ଖୋଲାହେଲା ବୋଲି କୁହାଯାଉଛି । ମାତ୍ର ହାଣ୍ଡିରେ ପାଣି ରହୁନାହିଁ । ଅପରପକ୍ଷେ ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ସରକାର ବସୁଧା ଯୋଜନାରେ ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ବସାଯାଇ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏହି ଯୋଜନା ବିଫଳ ହୋଇଛି ।

ଧାମନଗର ବ୍ଲକ ଦୋବଲ ପଂଚାୟତର ସୋଧ ଧରମପଡ଼ିଆରେ ୪ ବର୍ଷ ପୂର୍ବେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ କରାଯାଇଛି । ଏକ ଲକ୍ଷ ଲିଟର ପାଣି ଧାରଣ କରିବାର କ୍ଷମତା ରହିଛି । ୪ ବର୍ଷ ହେବ ଉକ୍ତ ଟାଙ୍କି ନିର୍ମାଣ ସରିଥିଲେ ମଧ୍ୟ ଆଜି ସୁଦ୍ଧା ପଂଚାୟତକୁ ହସ୍ତାନ୍ତର କରାଯାଇ ନାହିଁ । ହେଲେ ବିଦ୍ୟୁତ୍ ବିଭାଗ ଦୋବଲ ପଞ୍ଚାୟତର ସରପଂଚଙ୍କୁ ୯୨ ହଜାର ୭୩୧ ଟଙ୍କାର ବିଲ୍ ଭରଣା ପାଇଁ ନୋଟିସ୍ ଜାରି କରିଛି । ଆଜି ପର୍ଯ୍ୟନ୍ତ ଗାଁକୁ ପାଣି ଟେପ୍ ସମ୍ପୂର୍ଣ୍ଣ ଭାବରେ ଯୋଗାଇ ଦିଆଯାଇ ନାହିଁ । ଯେଉଁ କେତେକ ସ୍ଥାନରେ ପାଣିପାଇପ୍ ବିଛାଯାଇଛି ତାହା ଅତି ନିମ୍ନମାନର । ଏହାର ସ୍ଥାୟିତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ପଂଚାୟତର ସୋଧ, କୋଳେଇପଦା, ରୁଣୁଝୁଣୁ ପାଟଣା, ବିଷ୍ଣୁପୁର, ପତିସାହି, କୁଣ୍ଡସାହି, ଜେନାସାହି, ବାହୁବଳେନ୍ଦ୍ରସାହି, ସାହୁସାହି, ଜେନାସାହି, ମହାଦେବସାହି ଆଦି ପାଖାପାଖି ୪ ହଜାର ଲୋକ ଏହି ପାନୀୟଜଳ ଉପରେ ନିର୍ଭର କରୁଥିବା ବେଳେ ଆଜି ଯାଏ ଲୋକମାନଙ୍କ ପାଇଁ ସେବାରେ ଆସିପାରିଲା ନାହିଁ ।

ଏପରିକି ରାସ୍ତାରେ କଂକ୍ରିଟକୁ କାଟି ପାଇପ୍ ବିଛେଇଥିବା ବେଳେ କଂକ୍ରିଟ୍ ଭାଙ୍ଗି ତାହା ମଧ୍ୟ ମରାମତି କରାଯାଇ ପାରୁନାହିଁ । ଉକ୍ତ ପାଣିଟାଙ୍କି ଲୋକଙ୍କ ସେବାରେ ଆସୁନଥିବା ବେଳେ ବିଦ୍ୟୁତ୍ ବିଭାଗ ୯୨ ହଜାର ୭୩୧ ଟଙ୍କା ବିଲ୍ ଭରଣ କରିବା ପାଇଁ ଦୋବଲ ପଂଚାୟତକୁ ନୋଟିସ୍ କରିଥିବା ବେଳେ ଦୋବଲ ସରପଞ୍ଚ ଅଶୋକ କୁମାର ପଣ୍ଡା ଜିଲ୍ଳାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି । ତୁରନ୍ତ ଉକ୍ତ ସମସ୍ୟାର ସମାଧାନ ପାଇଁ ମଧ୍ୟ ଶ୍ରୀ ପଣ୍ଡା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *