ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ, ଅସରାଏ ବର୍ଷାରେ ଜମୁଛି ଆଣ୍ଠୁଏ ପାଣି

ଘୁ.ଉଦୟଗିରି : କାହାର ଭୁଲ, ଦୁର୍ଦ୍ଦଶା ଭୋଗୁଛି କିଏ । ଏନଏସି କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଇଲେକ୍ଟ୍ରି ଅଫିସ ଛକ ବାସିନ୍ଦା ସାମାନ୍ୟ ବର୍ଷା ହେଲେ ଜଳବନ୍ଦୀ ଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ରାସ୍ତାରେ ଆଣ୍ଠୁଏ ପାଣି ଭରି ରହୁଛି । କହିବାକୁ ଗଲେ ରାସ୍ତା ଉପରେ ଡ୍ରେନ ପାଣି ଲହଡ଼ି ଭାଙ୍ଗୁଛି । ଘର ଭିତରକୁ ବି ପଶିଯାଉଛି ଡ୍ରେନ ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗତକାଲିର ବର୍ଷା ପରେ । କିଛି ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏନ୍‌ଏସି ପକ୍ଷରୁ ଇଲେକ୍ଟ୍ରି ଅଫିସ ଛକରୁ ଏନ୍‌ଏସି ଅଫିସ ପାଖ ପର୍ଯ୍ୟନ୍ତ ଏକ ଡ୍ରେନ ନିର୍ମାଣ କରାଯାଇଥିଲା ।

ହେଲେ ଉକ୍ତ ଡ୍ରେନ ନିର୍ମାଣ ପରଠାରୁ ଏଥିରେ ପାଣି ନଯାଇ ଜମି ରହୁଛି । ସାମାନ୍ୟ ବର୍ଷା ହେଲେ ଡ୍ରେନର ମଇଳା ପାଣି ଅଳିଆ ଆବର୍ଜନା ରାସ୍ତା ଉପରକୁ ଆସି ଏକ ଆବର୍ଜନା କୁଣ୍ଡରେ ପରିଣତ ହେବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଗତକାଲି ବର୍ଷାରେ ଲୋକ ଘରେ ଶୋଇଥିବା ବେଳେ ଡ୍ରେନ ପାଣି ଘରେ ପଶିଯାଇଥିଲା । କାହାକୁ କହିବେ ନିଜ ଭାଗ୍ୟକୁ ଆଦରି ଘରୁ ଜଳ ନିଷ୍କାସନ କଲେ । ଏନ୍‌ଏସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଡ୍ରେନ ନିର୍ମାଣ କରିବା ସତ୍ୱେ ଲୋକଙ୍କ କାମରେ ଆସିବା ବଦଳରେ ଅଧିକ ସମସ୍ୟା ସୃଷ୍ଟି ହେଉଛି । ତୁରନ୍ତ ଏହି ଡ୍ରେନ ନିର୍ମାଣ କରି ସମସ୍ୟାର ସମାଧାନ କରିବାକୁ ଇଲେକ୍ଟ୍ରି ଅଫିସ ସାହି ବାସିନ୍ଦା ଦାବି କରିଛନ୍ତି । ଏନ୍‌ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କୁ ଏ ବିଷୟରେ ଅବଗତ କରିବା ପରେ ସେ କହିଛନ୍ତି ଏହା ଏକ ଗୁରୁତର ସମସ୍ୟା ଏହି ସମସ୍ୟାର ସମାଧାନ ନିମନ୍ତେ ସେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ଅତିଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *