ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ‘ଅସାନି’ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛି । ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ରଖିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଓଡିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇସାରିଥିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ । ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିମି ଏବଂ ପୁରୀ ଠାରୁ ୧୫୩ କିମି ଦୂରରେ ରହିବ । ଅସାନି ପ୍ରଭାବରେ ଆଜିଠାରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଆରମ୍ଭ ହୋଇଯିବ । ଆଜି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୨ ତାରିଖ ଦିନ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଉପକୂଳର ଅଳ୍ପ କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ । ରାଜ୍ୟକୁ ପବନର ମଧ୍ୟ ଡର ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
