ମୟୂରଭଞ୍ଜ : ପିଟି ପିଟି ମାରି ଦେଲା ପୋଲିସ । ମୟୂରଭଞ୍ଜ ଉଦଳାରୁ ଆସିଲା ସାଂଘାତିକ ଅଭିଯୋଗ । ଅଭିଯୁକ୍ତର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଗତ ଜାନୁଆରୀ ମାସରେ ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ଜଣେ ମହିଳାଙ୍କ ଘରେ ପଶି ସୁନା ଅଳଙ୍କାର ସଫା କରିବା ବାହାନାରେ ଲୁଟ କରିନେଇଥିଲେ ଲୁଟେରା ।
ଉକ୍ତ ଘଟଣାରେ ବାଲେଶ୍ୱର ଜିଲ୍ଲା ମନ୍ଦାରପୁର ଅଞ୍ଚଳର ଯୁବକ ପ୍ରଦୀପ ଦାସଙ୍କୁ ଗତକାଲି ରାତିରେ ପୋଲିସ ତାଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ହେଲେ ଯୁବକ ଜଣଙ୍କୁ ପୋଲିସ ଆଣି ତଦନ୍ତ କରିଥିବା ବେଳେ ଆଜି ପ୍ରଦୀପର ଶରୀର ଅସୁସ୍ଥ ହୋଇଥିଲା । ତାକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତରଖାନାରେ ତାର ମୃତ୍ୟୁ ହୋଇଛି ।
ତେବେ ପୋଲିସ ଯୁବକ ପ୍ରଦୀପଙ୍କୁ ବାଡେଇ ବାଡେଇ ମାରିଦେଇଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଉଦଳା ଡାକ୍ତରଖାନା ପରିସରରେ ଉତେଜନା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ଗ୍ରାମ୍ୟ ଜଳଯୋଗାଣ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ କୌଣସି ଅଭିଯୋଗ ନଥିବା ଏବଂ ପୋଲିସ ବିନା କୌଣସି କାରଣରେ ତାଙ୍କୁ ଉଠାଇ ଆଣି ବାଡେଇ ବାଡେଇ ହତ୍ୟା କରିଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ ।
