ଗଞ୍ଜାମ : ବାଲି ମାଫିଆଙ୍କ ଆକ୍ରମଣରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଓ ୨ ଜଣ ଆର୍ଆଇ (ରାଜସ୍ବ ନିରୀକ୍ଷକ) ଗୁରୁତର ଆହତ ହୋଇଛନ୍ତି । ୨ ଜଣ ଆର୍ଆଇ ହେଲେ; ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା । ଅନ୍ୟଜଣେ ଆର୍ଆଇ ଭାସ୍କର ସାହୁ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି । ଅତିରିକ୍ତ ତହସିଲଦାର ଶ୍ରୀ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଓ ଥାନା ଅଧୀନ କାଇଞ୍ଚପୁର ପଞ୍ଚାୟତ ମାଳିଜଗନ୍ନାଥପୁର ଗ୍ରାମରେ ଏହିଭଳି ଏକ ଘଟଣା ଘଟିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବାଲିମାଫିଆଙ୍କ ଦୌରାତ୍ମ୍ୟ କିଭଳି ବଢ଼ିଚାଲିଛି, ଏହା ହେଉଛି ତାହାର ଆଉ ଏକ ଉଦାହରଣ । ପୂର୍ବରୁ ଯାଜପୁର ଜିଲ୍ଲାରେ ବି ସମାନ ଧରଣର ଘଟଣା ଘଟିଥିଲା ।
ଏହି ଘଟଣା ପ୍ରଘଟ ହେବା କ୍ଷଣି ଗଞ୍ଜାମ ଥାନାଧିକାରୀ ସ୍ବରୂପ କିଷାନଙ୍କ ନେତୃତ୍ବରେ ଏକ ଟିମ୍ କରପଡ଼ାରେ ପହଞ୍ଚି ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ପାଇଁ ଛତ୍ରପୁର ଡାକ୍ତରଖାନାକୁ ପଠାଇଥିଲା । ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାଜସ୍ବ ନିରୀକ୍ଷକ ସୀତାରାମ ଓ ସୁଶାନ୍ତ ଛତ୍ରପୁର ଡାକ୍ତରଖାନା ଏବଂ ଭାସ୍କର ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ଅନ୍ୟପକ୍ଷରେ, ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା । ଖବର ଲେଖାଯିବା ସୁଦ୍ଧା, ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ ଗଞ୍ଜାମ ଅତିରିକ୍ତ ଏସ୍.ପି. ଠାକୁର ପ୍ରସାଦ ପାତ୍ର ଓ ଛତ୍ରପୁର ଏସଡ଼ିପିଓ ଗୌତମ କିଷାନ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଏହି ଘଟଣାପରେ ମାଳିଜଗନ୍ନାଥପୁର ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
