ବାହାନଗା : ବାହାନଗା ବ୍ଲକ ଗୋପାଳପୁର ନିକଟସ୍ଥ ଘିଅ କାରଖାନା ଉପରେ ଚଢ଼ାଉ ହେବାକୁ ୨୪ ଘଣ୍ଟା ବିତିଛି । ଗତକାଲି ଦିନସାରା କାରଖାନା ଉପରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ଖାଦ୍ୟ ସୁରକ୍ଷା ନିରୀକ୍ଷିକା ପୋଲିସ ସହିତ ଚଢ଼ାଉ ଜାରି ରଖିଥିଲେ । କାରଖାନା ପରିସରରୁ ଘିଅ ସହିତ ବିଭିନ୍ନ ସାମଗ୍ରୀର ନମୁନା ଲାବ ଟେଷ୍ଟ ପାଇଁ ମାଳିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ସଂଗ୍ରହ କରିଥିଲେ । ତେବେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଘିଅ କାରଖାନା ଉପରେ ଚଢ଼ାଉ ପରେ ଗୋପାଳପୁର ବଜାର ତଥା ଏହାର ଆଖପାଖ ଅଞ୍ଚଳରେ କୋକୁଆ କୋକୁଆ ଭୟ ଖେଳିଯାଇଛି । ଗ୍ରାମାଞ୍ଚଳ ବଜାର ପ୍ରତି ଜନସ୍ବାସ୍ଥ୍ୟ ବିଭାଗ ଆଖି ବୁଜି ଦେଇଥିବାରୁ କିଛି ମୁନାଫାଖୋର ବ୍ୟବସାୟୀ ଅପମିଶ୍ରିତ ଜିନିଷ ବେପାର କରିବାରେ ମାହିର ଥିବା ହୋଟେଲ, ଫାଷ୍ଟଫୁଡ଼ ତଥା ମିଠା ଦୋକାନୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏପରିକି ହୋଟେଲ, ଫାଷ୍ଟଫୁଡ଼ ଦୋକାନୀ ବ୍ୟବହାର କରୁଥିବା ଟମାଟୋ, ଚିଲି ସସ ମଧ୍ୟ ଉଭୟ ପାଷ୍ଟଫୁଡ଼ ଓ ତେଜରାତି ଦୋକାନରୁ ହଠାତ ଉଭାନ ହୋଇଯାଇଛି । ରାତିରେ ସମ୍ପୃକ୍ତ କାରଖାନାରୁ ଦୋକାନୀଙ୍କ ଗୋଦାମକୁ ଆସିଥିବା ଘିଅ, ତେଲ ସାମଗ୍ରୀକୁ ଦୋକାନୀ ବିଳମ୍ବିତ ରାତିରେ ଘରକୁ ବୋହିନେଇଥିବାର ଦେଖାଯାଇଛି । ଗତକାଲି ବଢ଼ଉ ଖବର ନିଆଁ ଭଳି ରାଜ୍ୟସାରା ବ୍ୟାପି ଯାଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଉକ୍ତ କାରଖାନାରୁ ଘିଅ, ତେଲ ବେପାର କରୁଥିବା ବ୍ୟବସାୟୀ ଗୋପାଳପୁର ବଜାରରେ ଆଡ୍ଡା ଜମେଇଥିଲେ । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଘିଅ କାରଖାନା ଉପରେ ଚଢାଉ ପରେ ମାମଲାକୁ ଚାପିବା ପାଇଁ ମଧ୍ୟ ଉଦ୍ୟମ ଜୋରସୋରରେ ଆରମ୍ଭ ହୋଇଯାଇଛି । ଘିଅ କାରଖାନାକୁ ସୁରକ୍ଷା ଦେବାପାଇଁ ରାଜନେତା ଲବି କରୁଥିବାର ଦେଖାଯାଇଛି ।
ପ୍ରକାଶ ଥାଉକି ଦୀର୍ଘଦିନରୁ ଗୋପାଳପୁର ନିକଟରେ ରାସ୍ତା କଡ଼ରେ ନକଲି ଘିଅ, ତୈଲ ପ୍ରସ୍ତୁତ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା । ବିଭିନ୍ନ ସମୟରେ ସେଠାରେ ନକଲି ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବାର ପ୍ରଶାସନ ନିକଟରେ ଅଭିଯୋଗ ଉଠିଥିଲେ ମଧ୍ୟ ପ୍ରଶାସନିକ ମଧୁଚନ୍ଦ୍ରିକା ଯୋଗୁଁ ବେପାର ସୁରୁଖୁରୁରେ ଚାଲିଥିଲା । ବିଳମ୍ବରେ ହେଲେବି ଗତକାଲି ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ ଖନ୍ତାପଡ଼ା ପୁଲିସ ସହାୟତାରେ ଉକ୍ତ ନକଲି ଘିଅ ତେଲ ପ୍ରସ୍ତୁତକାରୀ କାରଖାନାରେ ଚଢ଼ାଉ କରିଥିଲା । ଚଢଉ ସମୟରେ ଗୋଦାମରେ ଶ୍ରମିକମାନେ ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ କରିବାରେ ନିୟୋଜିତ ଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ନକଲି ସାମଗ୍ରୀ ମହଜୁତ ରହିଥିବାର ଦେଖିବାକୁ ମିଳିଥିବା । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଅଭିଯୋଗ ଆସିଥିବା ଅପମିଶ୍ରିତ ସାମଗ୍ରୀର ନମୁନା କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଇଥିବାର ସୂଚନା ମିଳିଛି । ହେଲେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଘିଅ କାରଖାନାକୁ କ୍ଲିନ ଚିଟ ଦେବା ପାଇଁ ସ୍ଥାନୀୟ ଅଂଚଳର କିଛି ଅସାଧୁ ବ୍ୟବସାୟୀ ଓ କୁଜିନେତା ଜନସ୍ୱାସ୍ଥ୍ୟ ବିଭାଗ ତଥା ପ୍ରଶାସନ ନିକଟରେ ଚାପ ପ୍ରୟୋଗ କରିଛନ୍ତି । ସ୍ଥାନୀୟ ଅଚଂଳର ସନସାଧାରଣ ମଧ୍ୟ ସଂଗୃହିତ ନମୁନା ଲାବ୍ ରିପୋର୍ଟକୁ ଅପେକ୍ଷା କରିଥିବା ଜଣାପଡିଛି ।
