ଆଠଗଡ : ବାତ୍ୟା କି ବନ୍ୟା ଆସିବା ପୂର୍ବରୁ ପ୍ରଥମେ ଖୋଜା ପଡେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ । ସରକାର ହୁଅନ୍ତୁ ବା ଗ୍ରାମବାସୀ ବାତ୍ୟା ବା ବନ୍ୟା ପୂର୍ବରୁ ପ୍ରଥମେ ଆଶ୍ରୟସ୍ଥଳ ଖୋଜନ୍ତି । ଆଠଗଡ ଅଞ୍ଚଳରେ ଏଭଳି ଏକ ବାତ୍ୟା ଆଶ୍ରୟସ୍ଥଳ ରହିଛି ଯାହା ଆଶ୍ରିତକୁ ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ କରୁଛି । କୁଲାଇଲୋ ପଞ୍ଚାୟତ ଅଧିନ ପାଟଲିଙ୍ଗା ଗ୍ରାମରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଟି ଏବେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଥିବା ଦେଖିବାକୁ ମିଳିଛି । ଆଉ ଦୁଇ ତିନି ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେବାର ଆଶଙ୍କା ପ୍ରକାଶ ପାଇବା ପରେ ମାଟିଝାଟି କାନ୍ଥ ଓ ଚାଳଛପର ଘରେ ରହୁଥିବା ଲୋକେ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେବାକୁ ସରକାର ପରାମର୍ଶ ଦେଉଛନ୍ତି । ତେବେ ପାଟଲିଙ୍ଗା ଗ୍ରାମରେ ଗତ ୧୯୯୯ ମସିହା ମହାବାତ୍ୟା ପରେ ନିର୍ମାଣ ହୋଇ ୨୦୦୧ରେ କାର୍ଯ୍ୟକ୍ଷମ ହୋଇଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବେ ଜରାଜୀର୍ଣ୍ଣ ଓ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଏହା ଆଠଗଡ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଜଣାପଡୁଛି ।

ଏହି ଆଶ୍ରୟସ୍ଥଳର ଛାତରୁ ବଡବଡ ସିମେଣ୍ଟ ଖଣ୍ଡ ଛାଡି ତଳେ ବିଛାଡି ହୋଇ ପଡିଥିବାବେଳେ କଳଙ୍କିଲଗା ଲୁହାଛଡ ଛିଣ୍ଡିପଡିବା ଅବସ୍ଥାରେ ରହିଛି । ସେହିପରି ଗୋଟିଏ କି ଦୁଇଟି ନୁହେଁ ବରଂ ଏହି ଆଶ୍ରୟସ୍ଥଳର ସମସ୍ତ କଂକ୍ରିଟ ଖମ୍ବରୁ ସିମେଣ୍ଟ କଂକ୍ରିଟ ଛାଡିଯିବା ସହ କଳଙ୍କି ଲଗା ଲୁହାଛଡ ଦେଖାଯାଉଛି । ଏହି ଆଶ୍ରୟସ୍ଥଳ ଉପରେ କେବଳ ପାଟଲିଙ୍ଗା ନୁହେଁ ଶିଳାପାଟ, ବିରିଜିଙ୍ଗା ଗ୍ରାମକୁ ମିଶାଇ ୩ଟି ଗ୍ରାମରେ କଚ୍ଚା ଚାଳଛପର ଘରେ ବସବାସ କରୁଥିବା ଲୋକମାନେ ବାତ୍ୟା ଓ ବନ୍ୟା ସମୟରେ ସଂପୂର୍ଣ୍ଣ ନିର୍ଭରଶୀଳ ରହିଥାନ୍ତି । ସଂପୃକ୍ତ ୩ଟି ଗ୍ରାମରେ ଏବେବି ଅନେକ ଲୋକ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି । ବାତ୍ୟା ଓ ବନ୍ୟା ଆସିଲେ ସେମାନେ କେଉଁଠି ଆଶ୍ରୟ ନେବେ ତାକୁ ନେଇ ଚିନ୍ତାରେ ରହିଥିବାବେଳେ ସରକାରଙ୍କ କାଗଜ କଲମରେ ସେଠାରେ ଏକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଲୋକଙ୍କ ସୁରକ୍ଷା ପାଇଁ ରହିଛି ବୋଲି ଦର୍ଶାଯାଉଛି । କେବଳ ମଣିଷ ନୁହେଁ ଗାଇଗୋରୁଙ୍କ ପାଇଁ ମଧ୍ୟ ଉକ୍ତ ଆଶ୍ରୟସ୍ଥଳ ବିପଦପୂର୍ଣ୍ଣ ପାଲଟିଛି । ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେବ ନିର୍ମାଣ ହୋଇଥିବା ଏହି ବାତ୍ୟା ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ଅଭାବ ଏବଂ ନିମ୍ନମାନର କାମ ଯୋଗୁଁ ଏବେ ଜରାଜୀର୍ଣ୍ଣ ଓ ବିପଦପୂର୍ଣ୍ଣ ହୋଇପଡିଛି ବୋଲି ପାଟଲିଙ୍ଗା ଗ୍ରାମର ବିଚିତ୍ରାନନ୍ଦ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ ଓ ରମେଶ ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଆଠଗଡ ଉପଜିଲ୍ଲାପାଳଙ୍କ ମତାମତ ନେଇ ପଚାରିବାରେ ସେ ଖୁବ୍ଶୀଘ୍ର ଏହି ବାତ୍ୟା ଆଶ୍ରୟସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହିତ ତାର ମରାମତି ବା ନବୀକରଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି । ତେବେ ଏହି ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ଏତେ ଖରାପ ହୋଇଛି ଯେ ତାହା ମରାମତି ନୁହେଁ ବରଂ ତାକୁ ଭାଙ୍ଗି ସଂପୂର୍ଣ୍ଣ ନୂଆ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବା ଆବଶ୍ୟକ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି ।
