ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷା ପ୍ରମାଣପତ୍ରରେ ଚାକିରି କରିଥିବା ଶିକ୍ଷକଙ୍କ ତାଲିକା ବଢ଼ି ୩୪୭ରେ ପହଞ୍ଚିଲାଣି । ତଦନ୍ତ ଯେତିକି ଆଗକୁ ବଢ଼ୁଛି, ଜାଲ୍ ଶିକ୍ଷକଙ୍କ ତାଲିକା ମଧ୍ୟ ସେହି ଅନୁସାରେ ଲମ୍ବୁଛି । ଇତିମଧ୍ୟରେ ଆଜିସୁଦ୍ଧା ମୋଟ ୬୩ ଜଣ ଜାଲ୍ ଶିକ୍ଷକଙ୍କ ନାମରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି । ତନ୍ମଧ୍ୟରୁ କେତେଜଣ ଶିକ୍ଷକଙ୍କୁ ପୁଲିସ ଗିରଫ କରିଥିବାବେଳେ ଅଧିକାଂଶ ଶିକ୍ଷକ ଫେରାର୍ ହୋଇ ଯାଇଛନ୍ତି । ଏପରିସ୍ଥଳେ, ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅଭିଯୋଗ ହୋଇଥିବା ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଛି ।
ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷା ପ୍ରମାଣପତ୍ର ଦେଇ ଶହ ଶହ ଶିକ୍ଷକ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ୨୦୧୯ ଅକ୍ଟୋବର ମାସରେ ଏଭଳି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଜାରି ହୋଇଥିଲା । ହେଲେ ନାମକୁ ମାତ୍ର ତଦନ୍ତ କରି ଜାଲ୍ ସାର୍ଟିଫିକେଟ୍ରେ ଚାକିରି ଅଭିଯୋଗର ତଦନ୍ତକୁ ଚାପି ଦିଆ ଯାଇଥିଲା । ପରେ କିଛି ସୂଚନା ଅଧିକାର କର୍ମୀ ଏ ନେଇ ଗଣଶିକ୍ଷା ବିଭାଗକୁ ତଥ୍ୟ ମାଗିବା ପରେ ପୁଣି ଥରେ ଜାଲ୍ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ୍ ଓ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ୨୦୨୦ରେ ଅଲ୍ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଏବଂ ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍ ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଭିନ୍ନ ବ୍ଲକ୍ରେ ୧୬୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରା ଯାଇଥିଲା । ଯାଞ୍ଚ୍ ପରେ ସେ ସମୟରେ ୪୧ ଜଣ ଶିକ୍ଷକଙ୍କ ନାମରେ ଏତଲା ଦିଆ ଯାଇଥିଲା ।
ଏହାପରେ ପୁଣିଥରେ ଗତ ଡିସେମ୍ବର ମାସରେ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ପିଟିସନ୍ ଦାଖଲ କରି ଆହୁରି ୧୧୫ ଜଣ ଜାଲ୍ ଶିକ୍ଷକ ଚାକିରି କରୁଥିବା ନେଇ ପ୍ରମାଣ ସହ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ତଦନ୍ତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବିଇଓମାନଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିଛି ବିଇଓ ପ୍ରମାଣପତ୍ର ଦାଖଲ କରିଥିବା ବେଳେ ଆଉ କେତେକ ବ୍ଲକ୍ରୁ ଆସି ନଥିବା ସୂଚନା ମିଳିଛି । ଜାଲ୍ ଶିକ୍ଷକଙ୍କ ତାଲିକା ଏବେ ବୃଦ୍ଧି ପାଇ ମୋଟ ୩୪୭ରେ ପହଞ୍ଚିଥିବା ଡିଇଓ କାର୍ଯ୍ୟାଳୟରୁ ପ୍ରକାଶ । ଗଞ୍ଜାମ ଜିଲ୍ଲାର ମୋଟ ୩୪୭ ଜଣ ଶିକ୍ଷକଙ୍କ ନାମରେ ଜାଲ୍ ଶିକ୍ଷା ପ୍ରମାଣପତ୍ର (ସିଟି, ବିଇଡି, ଯୁକ୍ତଦୁଇ) ଦାଖଲ କରିଥିବା ଅଭିଯୋଗ ହୋଇଛି । ଯାହାର ତଦନ୍ତ ଜାରି ରଖିଛି ଗଣଶିକ୍ଷା ବିଭାଗ ।
ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ର ସର୍ବାଧିକ ୬୭ ଶିକ୍ଷକଙ୍କ ନାମରେ ଜାଲ୍ ଶିକ୍ଷା ପ୍ରମାଣପତ୍ର ଦାଖଲ ଅଭିଯୋଗ ହୋଇଥିବା ବେଳେ କବିସୂର୍ଯ୍ୟନଗରରରୁ ୬୦, ବେଗୁନିଆପଡ଼ାରୁ ୪୫, ପୋଲସରାରୁ ୩୯, ଛତ୍ରପୁରରୁ ୨୯, ରଂଗେଇଲୁଣ୍ଡାରୁ ୨୨, ଆସିକାରୁ ୨୧ ଜଣ ଏଭଳି ବିଭିନ୍ନ ବ୍ଲକ୍ର ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ଚାଲିଛି । କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ବ୍ଲକ୍ରୁ ୧୧ ଜଣ ଲେଖାଏଁ ଶିକ୍ଷକଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବା ବେଳେ ବେଗୁନିଆପଡ଼ାର ୯, ଧରାକୋଟର ୮, ଛତ୍ରପୁରର ୭, ପୁରୁଷୋତ୍ତମପୁରର ୫ ଜଣ ଶିକ୍ଷକ ଏଭଳି ୬୩ଜଣଙ୍କ ନାମରେ ଶିକ୍ଷା ବିଭାଗ ତରଫରୁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି ।
