ଭୁବନେଶ୍ବର : ଅଖାଦ୍ୟ ଖାଉଛି ଓଡ଼ିଶା। ବରବାଦ୍ ହେଲା ସରକାରଙ୍କ ୨୩ କୋଟି ୭୫ ଲକ୍ଷ ଟଙ୍କା । ହେଲେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କଲାଣି । ଏପ୍ରିଲରେ ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗ ସହକାରୀ ନିର୍ଦେଶକ ପ୍ରୀତି ଶୁକ୍ଳାଙ୍କ ଗଠିତ ଯାଞ୍ଚ ରିପୋର୍ଟ ୯୧ ପ୍ରତିଶତ ଚାଉଳ ନିମ୍ନମାନର ବୋଲି ପାଇଥିଲେ । ଏଥିରୁ ୩୯ ଷ୍ଟ୍ରାକ୍ ଚାଉଳ ଗୋଖାଦ୍ୟ ବୋଲି ପାଇଛି । ପ୍ରୀତି ଶୁକ୍ଳାଙ୍କ ଏହି ରିପୋର୍ଟରେ କେବଳ ଚାଉଳ ନୁହେଁ, ବରଂ ପୁରୁଣା ବସ୍ତା ବ୍ୟବହାର, ଗୋଦାମକୁ ନେଇ ପ୍ରଶ୍ନ ଉଠାଯାଇଛି ।
ପିଡିଏସ, ଆଇସିଡିଏସ ଏବଂ ସ୍କୁଲ ମଧ୍ୟାହ୍ନ ଭୋଜନରେ ବିତରଣ ହେଉଥିବା ୧ କ୍ବିଣ୍ଟାଲ ଚାଉଳ ପିଛା ସରକାର ଖର୍ଚ କରୁଛନ୍ତି ୩୫ ଶହ ଟଙ୍କା । ଫେବ୍ରୁଆରି ମାସରେ ସମ୍ବଲପୁର, ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କଳାହାଣ୍ଡି ଜିଲ୍ଲାର ଚାଉଳ ଯାଞ୍ଚ କରି ୩୯ ଷ୍ଟ୍ରାକ ଅର୍ଥାତ ୧୭୪୦ କ୍ବିଣ୍ଟାଲ ଅଖାଦ୍ୟ ଅର୍ଥାତ ଖାଇବା ପାଇଁ ଅଯୋଗ୍ୟ ବୋଲି ପାଇଥିଲା । ଅର୍ଥାତ ୧୭୪୦ କ୍ବିଣ୍ଟାଲ ବାବଦରେ ସରକାର ପାଖାପାଖି ୨୪ କୋଟି ଟଙ୍କା ଖର୍ଚ କରିଥିଲେ ରାଜ୍ୟର ଗରିବ ଲୋକଙ୍କ ପେଟକୁ ଦାନା ଦେବା ପାଇଁ । ମାତ୍ର ମିଲର ଏବଂ ଯୋଗାଣ ବିଭାଗ ଅଧିକାରୀଙ୍କ ଯୋଗୁଁ ୨୪ କୋଟି ଟଙ୍କାର ଚାଉଳ ଅଖାଦ୍ୟରେ ପରିଣତ ହୋଇସାରିଛି । ଯାହା ନଷ୍ଟ କରିବା ପାଇଁ କେନ୍ଦ୍ରୀୟ ଟିମ ସୁପାରିସ କରିଛି । ଅର୍ଥାତ ଏହି ଚାଉଳକୁ ମଦଭାଟି କିମ୍ବା ଗୋଶାଳାରେ ବିକ୍ରି ପାଇଁ ନିଲାମ ଡକାଯିବ । ପ୍ରୀତି ଶୁକ୍ଳାଙ୍କ ଟିମ କେବଳ ୯ଟି ଜିଲ୍ଲାର ଚାଉଳ ଯାଞ୍ଚ କରି ଏତେ କୋଟି ଟଙ୍କାର ଚାଉଳ ଅଖାଦ୍ୟ ବୋଲି ଜାଣିବାକୁ ପାଇଲେ ସମୁଦାୟ ରାଜ୍ୟର ଚାଉଳ ଯାଞ୍ଚ କରିଥିଲେ ସ୍ଥିତି କଣ ହୋଇ ଥାଆନ୍ତେ ସ୍ପଷ୍ଟ ଅନୁମାନ କରାଯାଇ ପାରେ ।

ଅନ୍ୟ ଦିଗରେ ଜୀବନ ସହିତ ଚାଉଳ ପ୍ରସଙ୍ଗରେ ଏତେ କୋଟି ଟଙ୍କାର ଅନିୟମିତତା କେନ୍ଦ୍ରୀୟ ଟିମ ଚିହ୍ନଟ କରିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ସଚିବଙ୍କ ରହସ୍ୟମୟ ନିରବତା ସମୁଦାୟ ଘଟଣାକୁ ଜଟିଳ କରି ଦେଉଛି । ରାଇସ ମିଲରଙ୍କ ପ୍ରତି ଯୋଗାଣ ବିଭାଗର ନରମ ଆଭିମୁଖ୍ୟ ଏହା ପ୍ରଥମ ନୁହେଁ; ଧାନ ସଂଗ୍ରହ ସମୟରେ ବାରମ୍ବାର ଦେଖାଯାଏ । ଗୁଣାତ୍ମକ ମାନ ଆଳରେ ରାଇସ ମିଲରମାନେ ଚାଷୀଙ୍କ କ୍ବିଣ୍ଟାଲ-କ୍ବିଣ୍ଟାଲ ଧାନ କାଟି ଦିଅନ୍ତି । ଘଣ୍ଟା-ଘଣ୍ଟା ଚାଷୀ ଅପେକ୍ଷା କରାଇ ହୀନସ୍ତା କରାନ୍ତି । ଏହି ସମୟରେ ଯୋଗାଣ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ମିଲରଙ୍କ ପକ୍ଷଭୁକ୍ତ ହୋଇ କଟନିଛଟନିକୁ ସମର୍ଥନ କରନ୍ତି । ଆଜି ମିଲର ଅଖାଦ୍ୟ ଦେଉଥିବା କେନ୍ଦ୍ରୀୟ ସରକାରୀ ଟିମ ରିପୋର୍ଟ ଦେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଆଶ୍ଚର୍ଯ୍ୟଜନକ ।
ପ୍ରୀତି ଶୁକ୍ଳଙ୍କ ଟିମ ଚାଉଳ ନୁହେଁ ତାଙ୍କ ରିପୋର୍ଟରେ ବିଭିନ୍ନ ଜିଲ୍ଲାର ଗୋଦାମ ଯାଞ୍ଚ ବେଳେ ୨୦୨୦ ମସିହାର ବସ୍ତା ବ୍ୟବହାର, ଗୋଦାମ ଛାତରେ କଣା, ଆର୍ଦ୍ରତା ମାପିବା ପାଇଁ ବ୍ୟବହୃତ ମଶ୍ଚର ମିଟର ଅକାମି ହୋଇ ପଡ଼ିବା, ସିଏମଆର(ଧାନ ବଦଳରେ ରିସାଇକ୍ଲିଂ ଚାଉଳ) ସମ୍ପର୍କରେ ତଥ୍ୟ ନଥିବା, ଷ୍ଟୋରେଜ ବେଳେ ଧାନ ନଷ୍ଟ ହେବା ଭଳି ଦେଖିବାକୁ ପାଇଛନ୍ତି । ଧାନ ସଂଗ୍ରହ ବେଳେ ସ୍ବତନ୍ତ୍ର ବସ୍ତା ବ୍ୟବହାର ପାଇଁ ମଧ୍ୟ କୋଟି-କୋଟି ଟଙ୍କା ଖର୍ଚ ହୁଏ । ଯଦି ଦୁଇ ବର୍ଷ ପୁରୁଣା ବସ୍ତା ଗୋଦାମରେ ବ୍ୟବହାର ହେଉଛି ସେହି ଟଙ୍କା କେଉଁଠିକୁ ଯାଉଛି ?
