ଅଣ୍ଡା ଦୋକାନକୁ କେନ୍ଦ୍ର କରି ଗୋଷ୍ଠୀ ସଙ୍ଘର୍ଷ

ବାଲିପାଟଣା : ଅଣ୍ଡା ଦୋକାନକୁ କେନ୍ଦ୍ର କରି ଗୋଷ୍ଠୀ ସଙ୍ଘର୍ଷ । ଗୁରୁବାର ରାତିରେ ଅଣ୍ଡା ଦୋକାନ ଦେବାକୁ କେନ୍ଦ୍ର କରି ବାଲିଅନ୍ତା ଥାନା ବାଳକାଟୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ବାପ-ପୁଅ ଆହତ ହୋଇଛନ୍ତି । ଘଟଣା ଉଗ୍ରରୂପ ନେବା ଆଶଙ୍କା କରି ଭୁବନେଶ୍ଵର ଡିସିପି ଘଟଣା ସ୍ଥଳରେ ପହଁଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।

ସୂଚନାନୁସାରେ, ବାଳକାଟୀ ସାଇଫନ୍ ଛକରେ ବାଇଁଆପଦା ଗ୍ରାମର ଦିଲ୍ଲୀପ ଦାସଙ୍କ ଏକ ଅଣ୍ଡା ଦୋକାନ ଅଛି । ସେହି ଦୋକାନ ନିକଟରେ ସାତକାଣିଆ ଗ୍ରାମର ଟିକମ ଖାଁଙ୍କର ଏକ ଚିକେନ ଦୋକାନ ମଧ୍ୟ ରହିଛି । ଗୁରୁବାର ଟିକମ ନୂଆକରି ଏକ ଅଣ୍ଡା ଦୋକାନ ଖୋଲିଥିଲେ । ଏହା ଦ୍ଵାରା ଦିଲ୍ଲୀପଙ୍କର ବେପାରରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା କରିଥିଲେ ଦିଲ୍ଲୀପ । ତେଣୁ ସେ ତାଙ୍କ ଗ୍ରାମରୁ କିଛି ଯୁବକଙ୍କୁ ଡାକି ଟିକମ୍ ଏବଂ ତାଙ୍କର ପୁଅକୁ ଧମକ ଦେଇଥିଲେ । ଏହା ସହ ଠେଙ୍ଗା, ବାଡ଼ିରେ ଆକ୍ରମଣ କରିଥିଲେ  ।

ଆକ୍ରମଣରେ ଟିକମ୍ ଖାଁ ଏବଂ ତାଙ୍କ ପୁତ୍ର ତସଲିମ୍ ଖାଁ ଗୁରୁତର ହୋଇ ପଡିଥିଲେ । ଘଟଣା ପ୍ରଚାରିତ ହେବା ପରେ ବାଇଁଆପଦା ଏବଂ ସାତକାଣିଆ ଗ୍ରାମ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା ।  ଖବର ପାଇ ଘଟଣାସ୍ଥଳରେ ଭୁବନେଶ୍ଵର ଡ଼ିସିପି ପ୍ରତୀକ ସିଂ, ଜୋନ୍ – ୪ ଏସିପି ପରେଶ କୁମାର ରାଉତ, ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ଵାଇଁ , ପାହାଳ ଥାନା ଅଧିକାରୀ ଷ୍ଟାଲିନ ବିଶ୍ଵାଳ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ । ଏବେବି ସେହି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *