ସୋର : ତୁ କେବଳ ମୋର, ଯଦି ତୁ ହେଲୁନି ମୋର.. ଏ ଜୀବନ ଆଉ ମୁଁ କାଇଁ ରଖିବି । ରାତିରେ ଥିଲା ପ୍ରେମିକାର ବାହାଘର । ତା’ ପର ଦିନ ସକାଳୁ ଉଠିଲା ପ୍ରେମିକର କୋକେଇ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଯାହା ଆପଣ ଶୁଣିଲେ ବି ତାଜୁବ୍ ହୋଇଯିବେ ।
ଖବର ଅନୁଯାୟୀ, ଜହ୍ନିଆ ଗାଁରେ ରତ୍ନାକର ମଳିକଙ୍କ ପୁଅ ପ୍ରଦୀପ ଗୁଜୁରାଟରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ୩/୪ ତଳେ ସେ ଘରକୁ ଫେରି ପ୍ରେମିକାକୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ଶେଷରେ ବୁଧବାର ରାତିରେ ପ୍ରେମିକାର ଅନ୍ୟତ୍ର ବାହାଘର ହେଉଛି ବୋଲି ଖବର ପାଇଥିଲେ ପ୍ରେମିକ । ଯାହା ଶୁଣି ପ୍ରଦୀପଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ ନିଜର ମାନସିକ ସ୍ଥିତି ହରାଇ ବସିଥିଲେ । ହାତରେ ମଦ ବୋତଲ ସହ ଏକ ରଶି ଧରି ଘର ଠାରୁ କିଛି ଦୂରରେ ଥିବା ଏକ ଆକାଶି ଗଛରେ ଝୁଲିପଡିଥିଲେ ।
ସେପଟେ ଏହା ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ଗଛରୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଘଟଣା ସଂପର୍କରେ ଖବର ପାଇ ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
