ଟ୍ରେନ୍‌ରୁ ଦିନକୁ ଚୋରି ହେଉଛି ୧୦ ଲକ୍ଷ ଟଙ୍କାର କୋଇଲା

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)କୁ ଆସୁଥିବା ବହୁମୂଲ୍ୟ କୋଇଲା ଅଧା ବାଟରେ ହିଁ ଚୋରି ହୋଇଯାଉଛି । ମାଲବାହୀ ଟ୍ରେନ୍‌ରେ ପରିବହନ ହେଉଥିବା କୋଇଲା କାରଖାନା ଭିତରକୁ ପଶିବା ପୂର୍ବରୁ ହିଁ ଚୋରି ହୋଇଯାଉଥିବାରୁ ପ୍ରବଳ ରାଜସ୍ବ ହାନୀ ଘଟୁଛି। କ୍ରସିଂ/ସିଗ୍ନାଲ ପାଇଁ ଟ୍ରେନ୍‌ ଅଟକି ରହୁଥିବାବେଳେ ଏହାର ସୁଯୋଗ ନେଇ ଚୋରି କରୁଛନ୍ତି ଚୋରଦଳ । କେବଳ ଜଣେ ୫/୧୦ ଜଣ ନୁନ୍ତି, ବରଂ ବହୁସଂଖ୍ୟାରେ ସ୍ଥାନୀୟ ଲୋକ ଟ୍ରେନ୍‌ରୁ ଅନୈତିକଭାବେ ଅନଲୋଡ୍‌ କରି ଚୋରି କରୁଛନ୍ତି । ‌ଏଭଳି ଢ଼ଙ୍ଗରେ ଦୈନିକ ପାଖାପାଖି ୧୦ ଲକ୍ଷ ଟଙ୍କାର ୧୦୦୦/୧୨୦୦ ଶହ ବସ୍ତା କୋଇଲା ଚୋରି ହେଉଥିବା ଜଣାପଡ଼ିଛି । ଏହି ରୢାକେଟ୍‌ରେ ଟ୍ରେନ୍‌ ଚାଳକ, ଗାର୍ଡ, ସିଆଇଏସ୍‌ଏଫ୍‌, ଆର୍‌ପିଏଫ୍‌ ଯବାନଙ୍କ ଆକୁଣ୍ଠ ସମର୍ଥନ ରହିଥିବା ଅଭିଯୋଗ ହୁଏ ।

ଆର୍‌ଏସ୍‌ପିକୁ ପ୍ରତିଦିନ ୫/୬ଟି ମାଲବାହୀ ଟ୍ରେନ୍‌(ରେକ୍‌)ରେ କୋଇଲା ପରିବହନ କରାଯାଉଛି । ଦିନକୁ ପାଖାପାଖି ୧୫ ହଜାର ଟନ୍‌ କୋଇଲା ହିଁ ଆସୁଛି । ଏଥିରେ ସ୍ଥାନୀୟ ଅଞ୍ଚଳ ସମେତ ଅଷ୍ଟ୍ରେଲିଆରୁ ଆମଦାନୀ ହେଉଥିବା କୋଇଲା ମଧ୍ୟ ଅନ୍ତର୍ଭୁକ୍ତ । ଏହି କୋଇଲା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାପୂର୍ବରୁ ଅଧାବାଟରେ ଚୋରି ହେବା ଏବେ ନିତିଦିନିଆ ହେଲାଣି । ତେବେ ଗତ କିଛି ଦିନ ହେଲା ଏହି କାରବାର ସୀମା ଟପିଛି । କୋଇଲା ଚୋରଙ୍କ କେନ୍ଦ୍ରସ୍ଥଳୀ ପାଲଟିଛି ବନ୍ଧମୁଣ୍ଡା ଡିଜେଲ କଲୋନି ଛକ ପାଖ ରେଳ ଧାରଣା । ବନ୍ଧମୁଣ୍ଡା ରେଲୱେ ୟାର୍ଡରୁ୍‌ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ଉକ୍ତ ରେଳପଥରେ କାରଖାନା ଭିତରକୁ ପ୍ରବେଶ କରିଥାଏ । ତେବେ କ୍ରସିଂ/ସିଗ୍ନାଲ ପାଇଁ ମାଲମାହୀ ଟ୍ରେନ୍‌ କାରଖାନା ପ୍ରବେଶ ପୂର୍ବରୁ ଡିଜେଲ କଲୋନୀ ରେଲୱେ ବ୍ରିଜ୍‌ ପାଖରେ ବେଶ୍‌ କିଛି ସମୟ ରହିଥାଏ । ଆଉ ଏହାର ଫାଇଦା ଉଠାଇଥାନ୍ତି ସ୍ଥାନୀୟ ଶୀତଳନଗର, ତିଲକାନଗରରେ କିଛି ପୁରୁଷ ଓ ମହିଳା । ଟ୍ରେନ୍‌ ଅଟକିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ଶତାଧିକ ପୁରୁଷ/ମହିଳା ରେଳ ଧାରଣାରେ ଠୁଲ ହୋଇଯାଆନ୍ତି । କିଛି ଲୋକ ଟ୍ରେନ୍‌ ଉପରକୁ ଚଢ଼ି ବସ୍ତା/ବୋରାରେ କୋଇଲା ଭର୍ତ୍ତି କରି ତଳକୁ ଫୋପାଡ଼ିଥାନ୍ତି ।

ଉକ୍ତ କୋଇଲା ଭର୍ତ୍ତି ବସ୍ତାକୁ ତଳେ ଥିବା, ବିଶେଷକରି ମହିଳାମାନେ ହିଁ ଗୋଟାଇ ସିଧାସଳଖ ନିଜ ନିଜ ଘରକୁ ନେଇଯାଆନ୍ତି । ସେଠାରେ ସେମାନେ ଚୋରି କୋଇଲାକୁ ଗଚ୍ଛିତ କରି ରଖିଥାନ୍ତି । ପ୍ରାୟ ଶହେରୁ ଅଧିକ ଲୋକ ଏକାସାଙ୍ଗରେ ଦିନ ଦ୍ବିପ୍ରହରରେ ଏଭଳି କୋଇଲା ଚୋରିରେ ମାତିଯାଆନ୍ତି । ଗୋଟିଏ ମାଲବାହୀ ଟ୍ରେନ୍‌ରୁ ପ୍ରତିଦିନ ପାଖାପାଖି ୨ ଶହ ବସ୍ତା କୋଇଲା ଚୋରି ହେଉଥିବାବେଳେ କାରଖାନାକୁ ଆସୁଥିବା ମୋଟ୍‌ ୫/୬ ଟ୍ରେନ୍‌ରୁ ପାଖାପାଖି ୧୦୦୦/୧୨୦୦ ବସ୍ତା କୋଇଲା ଚୋରି ହୋଇଥାଏ । ପ୍ରତ୍ୟେକ ବସ୍ତାରେ ପାଖାପାଖି ୫୦/୬୦ କେଜି କୋଇଲା ରହୁଛି। ଅର୍ଥାତ୍‌, କେବଳ ଦିନକରେ ପ୍ରାୟ ୮୦ ଟନ୍‌ କୋଇଲା ଚୋରି ହେଉଛି । ଚୋରଦଳ ଉକ୍ତ ଗଚ୍ଛିତ କୋଇଲାକୁ ବସ୍ତା ପିଛା ପ୍ରାୟ ୮୦୦/୧୦୦୦ ଟଙ୍କାରେ କୋଇଲା ମାଫିଆଙ୍କୁ ବିକ୍ରି କରିଥାନ୍ତି । ସନ୍ଧ୍ୟା ହେବାମାତ୍ରେ ଉକ୍ତ ବସ୍ତି ଅଞ୍ଚଳରେ କୋଇଲା କିଣାବିକା ଆରମ୍ଭ ହୋଇଯାଇଥାଏ । ଏହାସହ ଭୋର୍‌ରେ ହିଁ ଚୋରା କୋଇଲା ସବୁ ରାଉରକେଲାର ବିଭିନ୍ନ ଅଞ୍ଚଳକୁ ବାଇକ୍‌/ଅଟୋ/ପିକ୍‌ଅପ୍‌ ଯୋଗେ ଚୋରାଚାଲାଣ କରାଯାଏ ।

ଉଲ୍ଲେଖଯୋଗ୍ୟ, ଏଭଳି ଟ୍ରେନ୍‌ରୁ କୋଇଲା ଚୋରି କରୁଥିବାବେଳେ ପୂର୍ବରୁ ଅନେକଗୁଡ଼ିକ ଛୋଟବଡ଼ ଦୁର୍ଘଟଣା ବି ନଜିର ରହିଛି । କେତେବେଳେ ଟ୍ରେନ୍‌ ଧକ୍କା ତ କେତେବେଳେ ଟ୍ରେନ୍‌ ଉପରୁ ପଡ଼ି, ପୁଣି ଟ୍ରେନ୍‌ ଚକ ତଳେ ଆସି ମୃତ୍ୟୁବରଣ କରିଛନ୍ତି । ଗତ ଏକ ଦଶନ୍ଧିରେ ୧୦ ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ବହୁ କୋଇଲା ଚୋର ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ବି ହୋଇଛନ୍ତି । ତଥାପି ରୋଜଗାର ଲୋଭରେ ଟ୍ରେନ୍‌ରୁ କୋଇଲା ଚୋରି କରିବାରୁ ବିରତ ହେଉନାହାନ୍ତି । ସବୁ ଜାଣି ଆର୍‌ପିଏଫ୍‌, ଆର୍‌ଏସ୍‌ପିର ସିଆଇଏସ୍‌ଏଫ୍‌, ସ୍ଥାନୀୟ ପୁଲିସ ଚୁପ୍‌ ବସିଛି । ଫଳରେ କୋଇଲା ଚୋରି ବଢ଼ୁଛି ସିନା କମିବାର ନାଁ ନେଉନି ।

Leave a Reply

Your email address will not be published. Required fields are marked *