ଗାଡି ଧକ୍କାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ ଆଇନ ବ୍ୟବସ୍ଥାର ସ୍ଥିତାବସ୍ଥା ନ ଥିବା ଭଳି ପରିଲକ୍ଷିତ ହେଉଛି । ମଙ୍ଗଳବାର ରାତ୍ର ପ୍ରାୟ ୧୦ଟା ସମୟରେ ଟାଉନ ଥାନାରୁ ମାତ୍ର କିଛି ମିଟର ଦୂରରେ ଅବସ୍ଥିତ ଗୋଲବଜାର ଛକ ଠାରେ ସାମାନ୍ୟ ଗାଡି ଧକ୍କାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ମରଣାନ୍ତକ ମାଡପିଟ ଘଟଣା ଘଟିଯାଇଛି ।

ସୂଚନାନୂଯାୟୀ, ରାତ୍ର ପ୍ରାୟ ୧୦ଟା ସମୟରେ ଗୋଲବଜାରରୁ ସେନପାର୍କ ପଟକୁ ଯାଉଥିବା ଫଳ ଗୋଦାମ ଗଳିରେ ଏକ ଚାରି ଚକିଆ ଯାନ ଛିଡା ହୋଇଥିଲା । ଫଳରେ ରାସ୍ତାଟି ସାଙ୍କୁରିଆ ହୋଇଯାଇଥିବାରୁ ଏକ ବାଇକରେ ଯାଉଥିବା ଜଣେ ଯୁବକ ସେଠାରେ ଥିବା ଏକ ସ୍କୁଟି ସହିତ ସାମାନ୍ୟ ଧକ୍କା ହୋଇ ଯାଇଥିଲା । ଫଳରେ ଉଭୟ ଗାଡି ମାଲିକଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେବା ସହିତ କଥା ମାଡପିଟ ପର୍ଯ୍ୟର୍ନ୍ତ ଚାଲି ଯାଇଥିଲା । ସେହି ସମୟରେ ଆକ୍ରମଣକାରୀ ଯୁବକ ଜଣକ ମହମ୍ମଦ ଅଜଗର ଓରଫ ବିଟ୍ଟୁ ନାମକ ଅପରପକ୍ଷର ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଣୁ ତାଙ୍କର ବାମ କାଖ ପଟରୁ ପିଠି ପଟକୁ ଏକ ବଡ ଗଭୀର ଆଘାତ ଲାଗିଛି ।

ତେବେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ଆହତ ଯୁବକଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଧ୍ୟାନରେ ରଖି ବୁର୍ଲା ଭିମସାରକୁ ପଠାଇ ଦିଆଯାଇଛି ବୋଲି ଟାଉନ ପୁଲିସ କହିଛି। ଅପରପକ୍ଷରେ ଆକ୍ରମଣକାରୀ ଯୁବକ ସୁନାପାଲି ଗୋସିଆ ମସଜିଦ ନିକଟ ନିବାସୀ ମହମ୍ମଦ ସୋନୁ ଓରଫ ସେହନୱାଜଙ୍କୁ ପୁଲିସ ଟାଉନ ଥାନାକୁ ନେଇ ଅଟକ ରଖିଛି । ଏ ନେଇ ଗୋଲବଜାର ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବା ବେଳେ ଟାଉନ ଥାନାରୁ ମାତ୍ର କିଛି ମିଟର ଦୂରରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମରଣାନ୍ତକ ଆକ୍ରମଣ ଘଟଣା ସହରର ହୁଗୁଳା ଆଇନ ବ୍ୟବସ୍ଥାକୁ ସୁଚାଉଛି ।

Leave a Reply

Your email address will not be published. Required fields are marked *