ବଣାଇ : ବଣାଇର ପ୍ରସିଦ୍ଧ ଶୈବପୀଠ ବାବା ବାଣେଶ୍ୱର ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ଶ୍ରୀ ଶନି ଦେବ ଓ ବିଘ୍ନରାଜ ଗଣେଶଙ୍କ ମନ୍ଦିର ଓ ବିଗ୍ରହ ସମୂହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗତକାଲି ମହାସମାରୋହରେ ପାଳିତ ହୋଇଯାଇଛି ।

ଅତିଥି ଭାବେ ବଣାଇ ରାଜା ବୀର କେଶରୀ ଇନ୍ଦ୍ର ଦେଓଦେଵ ଯୋଗଦେଇ ନବୀକରଣ କରାଯାଇଥିବା ଗୀତା ଆଶ୍ରମରେ ପୂଜାର୍ଚ୍ଚନା କରିବା ସହିତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ତା’ ସହିତ ସେଠାରେ ଚାଲିଥିବା ସମୂହ ବ୍ରତ ପୋନୟନ କାର୍ଯ୍ୟକ୍ରମରେ ଯୋଗଦାନ କରି ୭ ଜଣ ବ୍ରହ୍ମଚାରୀଙ୍କୁ ଶୁଭାର୍ଶିବାଦ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ସାହୁ, ଵଣାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଲତା କିସାନ, ବିଜେଡି ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଉପସ୍ଥିତ ରହିଥିଲେ । ତା’ ସହିତ ମନ୍ଦିର ଉନ୍ନୟନ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଦୀପ ମହାରଣାଙ୍କ ସମେତ ମନ୍ଦିର ପୂଜକ ମୀରା ଶକଂର ଦେହୁରୀ, ଜୟ ଶକଂର ଦେହୁରୀ, ଇନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।
