କେନ୍ଦୁଝର ଜିଲ୍ଲାରେ ବିନା ଲାଇସେନ୍ସରେ ପେଟ୍ରୋଲ, ଡିଜେଲ ବିକ୍ରି

କେନ୍ଦୁଝର : ଲାଇସେନ୍ସ ଅବଧି କେବେଠାରୁ ଶେଷ ହୋଇଗଲାଣି । କିନ୍ତୁ ଏହାର ନବୀକରଣ ହେଉନି । ବିନା ଲାଇସେନ୍ସରେ ପେଟ୍ରୋଲ ପମ୍ପଗୁଡ଼ିକ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଛନ୍ତି । କେନ୍ଦୁଝର ଜିଲ୍ଲ‌ାରେ ଏବେ ପ୍ରାୟ ୩୨ଟି ପେଟ୍ରୋଲ ପମ୍ପର ଲାଇସେନ୍ସ ଅବଧି ଶେଷ ହୋଇଥିବା ବେଳେ ତାହାର ନବୀକରଣ ହୋଇ ନଥିବା ଜଣାପଡ଼ିଛି । ପେଟ୍ରୋଲ ପମ୍ପ ଗୁଡ଼ିକର ଲାଇସେନ୍ସ ନବୀକରଣ ଫାଇଲ ମାସମାସ ଧରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଡ଼ିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ପ୍ରାୟ ୩୨ଟି ପଟ୍ରୋଲ ପମ୍ପର ଲାଇସେନ୍ସ ଅବଧି ଶେଷ ହୋଇଛି । କିଛି ପେଟ୍ରୋଲ ପମ୍ପର ଲାଇସେନ୍ସ ଅବଧିକ ସେପ୍ଟେମ୍ବର ମାସରୁ ସରିଥିବା ବେଳେ କିଛି ପମ୍ପର ଅକ୍ଟୋବର ଏବଂ ମାର୍ଚ୍ଚ ମାସରୁ ଶେଷ ହୋଇଛି । ଏସବୁ ପେଟ୍ରୋଲ ପମ୍ପଗୁଡ଼ିକର ଲାଇସେନ୍ସ ନବୀକରଣ ପାଇଁ ମାଲିକମାନେ ଆବେଦନ କରିବା ସହିତ ଚାଲାଣ ମଧ୍ୟ ଦାଖଲ କରିଛନ୍ତି । ମାତ୍ର ଏହାର ଫାଇଲ୍‌ ଜିଲ୍ଲା ଯୋଗାଣ ଅଧିକାରୀ (ସିଏସ୍‌ଓ)ଙ୍କ କାର୍ଯ୍ୟାଳୟରେ ମାସମାସ ଧରି ପଡ଼ିଥିବାରୁ ଲାଇସେନ୍ସ ନବୀକରଣ ହୋଇପାରୁ ନାହିଁ । ନିୟମ ଅନୁସାରେ, ଲାଇସେନ୍ସ ନଥିଲେ କିମ୍ବା ଲାଇସେନ୍ସର ଅବଧି ଶେଷ ହୋଇଯାଇଥିଲେ ପମ୍ପଗୁଡ଼ିକ ପେଟ୍ରୋଲ, ଡିଜେଲ ବିକ୍ରି କରିପାରିବା କଥା ନୁହେଁ । ମାତ୍ର ପ୍ରଶାସନର ଭୁଲ୍‌ ଯୋଗୁଁ ଏବେ ଲାଇସେନ୍ସ ନ ଥିବା ସତ୍ତ୍ବେ ପମ୍ପ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଚାଲିଛି ।

ଏ ସମ୍ପର୍କରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌)ର ସେଲ୍‌ସ ମ୍ୟାନେଜର ବିପିନ ମିଞ୍ଜ କହିଛନ୍ତି, ଲାଇସେନ୍ସ ନବୀକରଣ ହୋଇ ନଥିଲେ ପେଟ୍ରୋଲ ପମ୍ପମାନେ ତେଲ ବିକ୍ରି କରିପାରିବେ ନାହିଁ । ପେଟ୍ରୋଲ ପମ୍ପଗୁଡ଼ିକର ଲାଇସେନ୍ସ ନବୀକରଣ ହୋଇଛି କି ନାହିଁ ସେ ତାହାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ସେହିପରି ଯୋଗାଣ ଅଧିକାରୀ ଦାୟିତ୍ବରେ ଥିବା ମନମୋହନ ପଟ୍ଟନାୟକ କହିଛନ୍ତି, ସେ ଆଜି ଦାୟିତ୍ବରେ ଅଛନ୍ତି । ଏ ସଂପର୍କରେ ସେ ବିଶେଷ କିଛି ଜାଣି ନଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *