୭ ରେ ମିଳିବ ବାତ୍ୟାର ସ୍ପଷ୍ଟ ଚିତ୍ର

ଭୁବନେଶ୍ବର : ଆସନ୍ତା ୧୦ ତାରିଖରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା । ଏନେଇ ବିଭିନ୍ନ ମଡେଲ ପକ୍ଷରୁ ଭିନ୍ନଭିନ୍ନ ଆକଳନ କରାଯାଇଥିଲେ ମଧ୍ୟ ଏଯାଏ ଆଇଏମ୍‌ଡି ବାତ୍ୟାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଆଙ୍କି ନାହିଁ । ଭାରତୀୟ ପାଣିପା‌ଗ ବିଭାଗ ଆଜି କହିଛି ଯେ ୬ ତାରିଖରେ ଲଘୁଚାପ ସୃଷ୍ଟି ହେବ ଓ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ।

ଆଇଏମ୍‌ଡିର ସୂଚନା ମୁତାବକ, ଆସନ୍ତା ୪ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ସେହି ଅଞ୍ଚଳରେ ୬ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ସୃଷ୍ଟିର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ । ତେବେ ଏହା ଆହୁରି କେତେ ଘନୀଭୂତ ହେବ, ବାତ୍ୟାରେ ପରିଣତ ହେବ କି ଭୀଷଣ ବାତ୍ୟାର ରୂପ ନେବ, କେଉଁ ଦିଗରେ ଗତି କରିବ ଓ କେଉଁଠାରେ ସ୍ଥଳ ଭାଗ ସ୍ପର୍ଶ କରିବ; ସେନେଇ କୌଣସି ସୂଚନା ଦିଆଯାଇନାହିଁ । ଲଘୁଚାପ ସୃଷ୍ଟି ପରେ ୭ ତାରିଖ ବେଳକୁ ଅଧିକ ସ୍ପଷ୍ଟ କହି ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଏବେଠାରୁ ବାତ୍ୟା ଆକଳନ କରିବା ଠିକ୍‌ ହେବ ନାହିଁ । ଲଘୁଚାପ ସୃଷ୍ଟି ପରେ ହିଁ ଏହାର ତୀବ୍ରତା ଓ ଦିଗ ନେଇ ସ୍ପଷ୍ଟ କହି ହେବ । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଉ କି ନନେଉ; ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ । ଦକ୍ଷିଣ ଓଡ଼ିଶା, କେନ୍ଦ୍ରୀୟ କିମ୍ବା ଉତ୍ତର ଓଡ଼ିଶା; ଲଘୁଚାପ ଯୋଗୁଁ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏପରିକି ଲଘୁଚାପ ବାତ୍ୟା ରୂପ ନେଲେ ବି ତାହା ଅଧିକ ଘନୀଭୂତ ହୋଇ ଅତିଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା କମ୍‌ ରହିଛି । ଯଦି ୯ ତାରିଖ ଆଡ଼କୁ ପାଗ ଅନୁକୂଳ ହୁଏ, ସମ୍ଭାବ୍ୟ ବାତ୍ୟା ସମୁଦ୍ରରେ ବଳ ଗୋଟାଇ ଅଧିକ ଘନୀଭୂତ ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଅବା ସମ୍ଭାବ୍ୟ ବାତ୍ୟାରେ ପବନର ବେଗ ୧୦୦ କିମି ମଧ୍ୟରେ ରହିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *