ପୁରୀ : ପାଠାଗାର ବ୍ୟକ୍ତିର ସଫଳ ଯାତ୍ରାର ମୂଳ ଆଧାର । ମଣିଷ ଏଠାରେ ଖାଲି ଜ୍ଞାନ ଅର୍ଜନ କରେ ନାହିଁ, ବରଂ ନିଜର ଭବିଷ୍ୟତ ପାଇଁ ଠିକ୍ ମାର୍ଗ ଖୋଜିପାଏ । ଅଥଚ ଶ୍ରୀକ୍ଷେତ୍ରର ପାଠାଗାର ସଂସ୍କୃତି ଧୀରେଧୀରେ ଭୁଶୁଡ଼ିବାରେ ଲାଗିଛି । କାଳଗର୍ଭରେ ନଷ୍ଟ ହେବାକୁ ବସିଛି ବହୁ ମୂଲ୍ୟବାନ ପୋଥି ଓ ପୁସ୍ତକ । ରଘୁନନ୍ଦନ ପାଠାଗାର ଓ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ତଳେ ଥିବା ଆଚାର୍ଯ୍ୟ ହରିହର ପାଠାଗାରରୁ ବହି ସ୍ଥାନାନ୍ତର କରାଯାଇଛି । ମାତ୍ର ବହିଗୁଡ଼ିକର ନା କେମିକାଲ୍ ଟ୍ରିଟ୍ମେଣ୍ଟ କରାଯାଇଛି ନା ମୂଲ୍ୟବାନ ପାଣ୍ଡୁଲିପିର ଯତ୍ନ ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଛି । ଫଳରେ ବହୁ କାଳଜୟୀ ପାଣ୍ଡୁଲିପି ଓ ପୁସ୍ତକର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି ।
ଏମାର ମଠ ଭଙ୍ଗାଯିବା ସମୟରେ ଏହା ପରିସରସ୍ଥ ରଘୁନନ୍ଦନ ପାଠାଗାର ଉଚ୍ଛେଦ କରାଯାଇଥିଲା । ବହିଗୁଡ଼ିକୁ ପାଠାଗାର ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ତଳେ ଥିବା ଆଚାର୍ଯ୍ୟ ହରିହର ପାଠାଗାରରେ ବହୁଦିନ ଧରି ବର୍ଷା ପାଣି ଜମି ରହିବାରୁ ଅନେକ ବହି ନଷ୍ଟ ହୋଇଯାଇଥିଲା । କିଛି ବହି ଥାକରେ ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁଦିନ ପର୍ଯ୍ୟନ୍ତ ଏହାକୁ ଉଦ୍ଧାର କରାଗଲା ନାହିଁ । ତେବେ ବାରମ୍ବାର ଏନେଇ ସ୍ବର ଉଠିବାରୁ ବହିଗୁଡ଼ିକୁ ସ୍ଥାନାନ୍ତର କରାଗଲା, କିନ୍ତୁ ଏହାକୁ ଅଳିଆ ଭଳି ପକାଇଦିଆଗଲା । ଫଳରେ ବହୁ ମୂଲ୍ୟବାନ ପୁସ୍ତକ ଯତ୍ନ ଅଭାବରୁ ନଷ୍ଟ ହୋଇଗଲା । ବହିଗୁଡ଼ିକର ଏଭଳି ଦୂରାବସ୍ଥା ସତ୍ତ୍ବେ ଏଗୁଡ଼ିକୁ ପଢ଼ିବା ଯୋଗ୍ୟ କରିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ ।
ପାଠାଗାରକୁ ସାର୍ବଜନୀନ ଶିକ୍ଷାକ୍ଷେତ୍ର ଭାବେ ଅଭିହିତ କରାଯାଇଛି । ଏବେ ବି ଅନେକ ଚାକିରି ପାଇଁ ସଂଘର୍ଷରତ ଯୁବଗୋଷ୍ଠୀ ସାଲବେଗଙ୍କ ସମାଧି ପୀଠ ବାରଣ୍ଡାରେ ପଢ଼ିବା ପାଇଁ ଭିଡ଼ ଜମାଉଛନ୍ତି । ପାଠାଗାରର ଅଭାବବୋଧ ଏଇଥିରୁ ଜଳଜଳ ବାରି ହୋଇ ପଡ଼ୁଛି । ଅଥଚ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଠାଗାରକୁ ଧ୍ୟାନ ଦିଆଯାଉନାହିଁ । ଆଖଡ଼ା ଘରଗୁଡ଼ିକୁ ବିକଶିତ କରାଯାଉଥିବା ବେଳେ ପୁରୀ ସଂସ୍କୃତିର ଅନ୍ୟତମ ସମ୍ପତ୍ତି ପାଠାଗାରକୁ ଅଣଦେଖା କରାଯାଉଥିବା ନେଇ ପାଠକମାନେ ଅଭିଯୋଗ କରିଆସିଛନ୍ତି ।
ସାରସ୍ବତ ଓ ସାଂସ୍କୃତିକ ଅନୁଷ୍ଠାନ ‘ଅଭିନନ୍ଦନିକା’ର ସମ୍ପାଦକ ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ଏହି ଦୁଇ ପାଠାଗାର ପରିସରରେ ଶହଶହ ବର୍ଷର ପୁରଣା ପାଣ୍ଡୁଲିପି, ମୂଲ୍ୟବାନ ବିରଳ ପୋଥି ଓ ପୁସ୍ତକ ମହଜୁଦ ରହିଥିଲା । ତେଣୁ ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆନ୍ଦୋଳନ ଓ ଅନଶନ ପରେ ଜିଲ୍ଲା ପ୍ରଶାସନ ପାଠାଗାରରୁ ବହିଗୁଡ଼ିକୁ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର କରିଥିଲା । ବହୁଦିନ ଧରି ପାଣି ଘେରରେ ବହିଗୁଡ଼ିକ ରହିବା ପରେ ବହୁ ବହି ନଷ୍ଟ ହୋଇଯାଇଥିଲା । କେମିକାଲ୍ ଟ୍ରିଟ୍ମେଣ୍ଟ୍ କରି ବହିଗୁଡ଼ିକୁ ପୁଣି ପଢ଼ିବା ଯୋଗ୍ୟ କରିବାର ଆବଶ୍ୟକତା ରହିଥିଲା । କିନ୍ତୁ ଏନେଇ କୌଣସି ପଦକ୍ଷେପ ପ୍ରଶାସନ ନେଲା ନାହିଁ । ବଡ଼କଥା ହେଉଛି, ବହିଗୁଡ଼ିକ ବାସ୍ତବରେ କେଉଁଠି ମହଜୁଦ ରଖାଯାଇଛି ନା ସେଗୁଡ଼ିକୁ କେଉଁଠି ଫୋପାଡ଼ି ଦିଆଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ଆଚାର୍ଯ୍ୟ ହରିହର ପାଠାଗାରର ବହିଗୁଡ଼ିକୁ କେଉଁଠି ରଖାଯିବ ସେନେଇ ବି କୌଣସି ସ୍ପଷ୍ଟ ଉତ୍ତର ପ୍ରଶାସନଠାରୁ ଏଯାଏ ମିଳିନାହିଁ । ବହିଗୁଡ଼ିକର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ବେଳେ ଏଯାଏ ଏହାକୁ କେଉଁଠି ରଖାଯିବ ସେନେଇ ସ୍ଥିର କରାଗଲା ନାହିଁ । ପୁସ୍ତକଗୁଡ଼ିକୁ କେବଳ ସ୍ଥାନାନ୍ତର କରି ପ୍ରଶାସନ ଦାୟିତ୍ବ ସାରିଦେଇଛି । ପୁରୀର ଏହି ଦୁଇ ପ୍ରମୁଖ ପାଠାଗାର ବହୁ ବ୍ୟକ୍ତିବିଶେଷଙ୍କ ଜ୍ଞାନର ପରିସୀମା କେବଳ ବଢ଼ାଇନାହିଁ ବରଂ ଅନେକଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ପ୍ରମୁଖ ଭୂମିକା ନେଇଛି । ତେଣୁ ତୁରନ୍ତ ଆଚାର୍ଯ୍ୟ ହରିହର ପାଠାଗରର ପୁନରୁଦ୍ଧାର କିମ୍ବା ବିକଳ୍ପ ପାଠାଗାର ପ୍ରସ୍ତୁତ କରି ବହିଗୁଡ଼ିକ ସେଠାରେ ମହଜୁଦ ରଖିବା ପାଇଁ ଦାବି ହୋଇଛି ।
