ଶ୍ରମିକ ଚାଲାଣ ବେଳେ ଉତ୍ତେଜନା

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଶ୍ରମିକ ଚାଲାଣ ବେଳେ ଘାଟଘର ସାହିରେ ଉତ୍ତେଜନା ସୃଷ୍ଟି ହୋଇଛି । ବିହାର ସମେତ ନୀଳଗିରି ଓ ପୋଡାଶୋଳରୁ କେତେକ ଶ୍ରମିକଙ୍କୁ ନେଇ ଏକ ବସ ତାଲିମନାଡୁର ଏକ ସୂତାକଳକୁ ଯାଉଥିଲା । ସୋମବାର ବିଳମ୍ବିତ ରାତିରେ ଯିବା ରାସ୍ତାରେ ନୀଳଗିରିର ଘାଟଘରସାହି ନିକଟରେ ବସକୁ ଅଟକାଇ ଶ୍ରମିକଙ୍କୁ ମାଡ଼ମରା ଯାଇଥିବା ଅଭିଯୋଗ ହୋଇଛି । ଖବରପାଇ ଉଧାର କରିବାକୁ ଆସିଥିବା ପୁଲିସକୁ ଆକ୍ରମଣ ହୋଇଛି । ବଚସା ତୁଟାଇବାକୁ ଯାଇଥିବା କନେଷ୍ଟବଳ ଉମେଶ ପ୍ରସାଦ ଶିଅଳଙ୍କୁ ଟେକା ପଥର ମାଡ଼ ହେବାରୁ ସେ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଉକ୍ତ ବସଟି ନୀଳଗିରି ଅଞ୍ଚଳର କେତେକ ଶ୍ରମିକଙ୍କୁ ନେବାକୁ ଅଟକି ରହିଥିବା ବେଳେ ଜଣେ ପିଲାର ପରିବାର ଓ ସମ୍ପର୍କୀୟ ଲୋକେ ତାଙ୍କ ପିଲାଙ୍କୁ ନପାଇ ଚାଲାଣ କରା ଯାଉଥିବା ଅଭିଯୋଗ କରି ଗାଡିକୁ ଅଟକାଇଥିଲେ । ପୁଲିସ ବୁଝାସୁଝା କରୁଥିବା ସମୟରେ ଟେକା ପଥର ମାଡ଼ ହୋଇଛି ଏଥିରେ ଶ୍ରୀ ଶିଅଳ ଆହତ ହୋଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ନୀଳଗିରିରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ପକ୍ଷରୁ ବସକୁ ଥାନାରେ ଅଟକ ରଖାଯାଇଛି ସେପଟେ ଆକ୍ରମଣକାରୀଙ୍କୁ ପୁଲିସ ଖୋଜୁଥିବା ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *