ବଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ତହସିଲ ଅନ୍ତର୍ଗତ କଲେଇପୋଷ ପଞ୍ଚାୟତର କେନାପାଲି (ଲଡାମ) ଗ୍ରାମର ବ୍ରାହ୍ମଣୀ ନଦୀ ଶଯ୍ୟାରୁ ଦୀର୍ଘ ଦିନ ଧରି ବେନିୟମ ଭାବେ ଚାଲିଥିବା ବାଲି ଉତ୍ତୋଳନ ( ବାଲିଘାଟ ) ମାମଲାରେ, ବାରମ୍ବାର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୁଫଳ ନ ମିଳିବାରୁ ଶେଷରେ ବଣାଇଵାସୀ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏନଜିଟି ଘଟଣାକୁ ହୃଦୟଙ୍ଗମ କରିବା ସହିତ ତା୦୮/୧୨/୨୦୨୧ରିଖ ରେ ହୋଇଥିବା ଶୁଣାଣିକୁ ଆଧାର କରି ଏନଜିଟି ଏକ ୫ ଜଣିଆ କମିଟି ଗଠନ କରିଵା ସହିତ ସରଜମିନ ତଦନ୍ତ କରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉକ୍ତ ୫ ଜଣିଆ କମିଟିରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ମୁଖ୍ୟ ଆଞ୍ଚଳିକ ଅଧିକାରୀ ଭୂବନେଶ୍ବର, ରାଉରକେଲା ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ, ସୁନ୍ଦରଗଡ଼ ଜିଲ୍ଲାପାଳ, ଅତିରିକ୍ତ ଖଣି ନିର୍ଦ୍ଦେଶକ କୋଇଡା, ତଥା ସ୍ଥାନୀୟ ତହସିଲଦାର ଲହୁଣୀପଡ଼ାଙ୍କୁ ନେଇ ୨୧/୦୧/୨୦୨୧ ଦିନ ଏହି ପ୍ରତିନିଧି ଦଳ କେନାପାଲି ବାଲିଘାଟରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବେଆଇନ ବାଲି ଉତ୍ତୋଳନର କ୍ଷୟ କ୍ଷତିର ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିଥିଲେ । ପରିବେଶର କ୍ଷୟକ୍ଷତିକୁ ଆକଳନ କରି ପରିବେଶ କ୍ଷତିପୂରଣ ଭରଣା ନିମନ୍ତେ Rs.3,84,99,137/- ( ତିନି କୋଟି ଚୌରାଶି ଲକ୍ଷ ଅନେଶତ ହଜାର ଏକ ଶହ ସଇଁତିରିଶ ଟଙ୍କା) ଏବଂ ବେଆଇନ ବାଲି ଉତ୍ତୋଳନର ଜରିମାନା ବାବଦକୁ Rs.13,07,192/- (ତେର ଲକ୍ଷ ସାତ ହଜାର ଏକ ଶହ ବୟାନବେ ଟଙ୍କା) ଯାହାକି ସମୁଦାୟ Rs.3,98,063,29/- (ତିନି କୋଟି ଅଠାନବେ ଲକ୍ଷ ଛଅ ହଜାର ତିନି ଶହ ଅଣତିରିଶ ଟଙ୍କା) ଟଙ୍କା ଲଡାମ ଓ କେନାପାଲୀ ବାଲୁଘାଟର ଠିକା ସଂସ୍ଥା ଜୋରିମାନା ଦେବା ନିମନ୍ତେ ସତ୍ୟପାଠରେ ଦର୍ଶାଯାଇଥିବା ଜଣାଯାଇଛି । ଏହି ସତ୍ୟପାଠକୁ ଆଧାର କରି ୨୯/୦୪/୨୦୨୨ ଦିନ ଜାତୀୟ ସବୁଜ ପ୍ରାଧିକରଣ ( କଲିକତା ) ଅଦାଲତର ଜଷ୍ଟିସ ଅମିତ ଷ୍ଟାଲେକାର ଓ ଜଷ୍ଟିସ ସାଇବଲ୍ ଦାସଗୁପ୍ତା ବେଆଇନ ବାଲି ଖନନ ଏବଂ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଲଡାମ ଓ କେନାପାଲୀ ବାଲୁଘାଟର ଠିକା ସଂସ୍ଥାଙ୍କୁ ସତ୍ୟପାଠରେ ଦର୍ଶାଯାଇଥିବା କ୍ଷତିପୂରଣ ତୁରନ୍ତ ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
