କେନ୍ଦ୍ରାପଡ଼ା କେନାଲ୍‌ ସଂଯୋଗ ସେତୁ ସ୍ଥଳ ଅସୁରକ୍ଷିତ : ମାର୍ଚ୍ଚରେ ଧସିଥିଲା, ଶୁକ୍ରବାର ପୁଣି ଧସିଲା

କଟକ : ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ଚମ୍ପତି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ କେନ୍ଦ୍ରାପଡ଼ା କେନାଲ ହୁରାସାହି-ସୁନାରିବଣ ଅଧିବାସୀଙ୍କ ଗମନାଗମନ ପାଇଁ ଏକ ସଂଯୋଗ ସେତୁ ନିର୍ମାଣ କାର୍ଯ୍ୟ ୩ ମାସ ପୂର୍ବରୁ ଆରମ୍ଭ କରାଯାଇଥିଲା । ମାତ୍ର ଶୁକ୍ରବାର ସକାଳୁ ଚମ୍ପତି ପଞ୍ଚାୟତ ଅଫିସ ପାର୍ଶ୍ଵ ହୁରାସାହିସ୍ଥିତ କେନାଲବନ୍ଧଟି ପ୍ରାୟ ୭୦ ଫୁଟ ଲମ୍ବର ଧସି ପଡ଼ିଛି । ଏହି କେନାଲବନ୍ଧ ରାସ୍ତା ଉପରେ ଚମ୍ପତି, ପଶ୍ଚିମକଛ, ମଧ୍ୟକଛ ପ୍ରଭୃତି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ପୋଲ ଆରମ୍ଭ ସମୟରେ କେନାଲବନ୍ଧ ଧସିଥିଲା । ବର୍ତ୍ତମାନ ଖରା ସମୟରେ କେନାଲରେ ପାଣି ଛଡ଼ାଯିବାରୁ ପୂର୍ବରୁ ଧସିଥିବା ବନ୍ଧଟି ଅର୍ଦ୍ଧାଧିକ ବନ୍ଧ କେନାଲ ପାଣିରେ ଧୋଇଯାଇଛି । ଗତ ମାର୍ଚ୍ଚ ୨୨ ତାରିଖରେ କେନାଲ୍‌ର ଦକ୍ଷିଣପାର୍ଶ୍ବ (ସୁନାରୀବଣ) ବନ୍ଧଟି ଧସିଥିବା ବେଳେ ଏବେ ବାମପାର୍ଶ୍ୱ (ହୁରାସାହି ଓ ଚମ୍ପତି ପଞ୍ଚାୟତ ଅଫିସ) ପାର୍ଶ୍ବ ବନ୍ଧ ଅତଡ଼ା ଧସିଯାଇ ବିପଦସଂକୁଳ ସ୍ଥିତିରେ ରହିଛି । ଅପରପକ୍ଷେ ପୋଲ ନିର୍ମାଣ ହେଉଥିବା ସ୍ଥାନରେ ପଥଚାରୀଙ୍କ ପାଇଁ ବିକଳ୍ପ ରାସ୍ତା କରାଯାଇ ନାହିଁ । ବିଭାଗୀୟ ଅଧିକାରୀମାନେ ନିର୍ମାଣ କାର୍ଯ୍ୟ ସଠିକ୍ ଭାବେ ତଦାରଖ କରୁ ନଥିବାରୁ କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *