କମରେ ଆସୁନି ନଳକୂପ, ପାଣି ପାଇଁ ଡ଼ହଳ ବିକଳ ଲୋକେ

ଦଶପଲ୍ଲା : ଅସହ୍ୟ ଗ୍ରୀଷ୍ମକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳର ଘୋର ସଂକଟ ସୃଷ୍ଟି ହୋଇଛି । କେଉଁଠି ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ କାମରେ ଆସୁନି ତ ପୁଣି କେଉଁଠି ଅଚଳ ହୋଇ ପଡ଼ିଥିବା ନଳକୂପଗୁଡ଼ିକୁ ମରାମତି କରାଯାଉନି । ଏପରି ସ୍ଥଳେ ଅନେକ ସ୍ଥାନରେ ଫ୍ଲୋରାଇଡ୍ ପ୍ରଭାବିତ ନଳକୂପରେ ଲଗାଯାଇଥିବା ୱାଟର୍ ରିମୁଭାଲ୍‌ ପ୍ଲାଣ୍ଟଗୁଡିକ ଅଚଳ ହୋଇ ପଡ଼ିଥିବା ବେଳେ ଏସବୁକୁ ମରାମତି କରାନଯିବା ଦ୍ବାରା ଗ୍ରାମବାସୀ ଫ୍ଲୋରାଇଡ୍‌ଯୁକ୍ତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ବିଭାଗୀୟ ଅଧିକାରୀମାନେ ଏଥିପ୍ରତି କୈାଣସି ଗୁରୁତ୍ବ ଦେଉନଥିବା ହେତୁ ଏବେ ଗାଁ ଗାଁରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।

ଏପଟେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଏକ ପ୍ରକାର ସ୍ଥାଣୁ ପାଲଟିଛି । ଦୁଇ ଜଣ ଯନ୍ତ୍ରୀଙ୍କ ସ୍ଥାନରେ ଦୀର୍ଘ ବର୍ଷ ଧରି ଜଣେ ମାତ୍ର ଯନ୍ତ୍ରୀରେ ଚାଲିଛି କାର୍ଯ୍ୟାଳୟ । ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଗୁରୁତ୍ବ ଦେଉନଥିବା ବେଳେ ବିଭିନ୍ନ ପଞ୍ଚାୟତରେ ଶତାଧିକ ନଳକୂପ ଅଚଳ ହୋଇପଡ଼ିଛି । ବିଶେଷକରି ଆଦିବାସୀ ବହୁଳ ନୂଆଗାଁ, ଚଡ଼େୟାପଲ୍ଲୀ, କଳସାଖମଣ, କୁଜାମେଣ୍ଢି, ଦୁଡ଼ା ଭଳି ଆଦିବାସୀ ବହୁଳ ପଞ୍ଚାୟତର ଅଧିକାଂଶ ସ୍ଥାନରେ ବହୁ ନଳକୂପ ଅଚଳ ହୋଇ ପଡ଼ିରହିଛି । କେଉଁଠି ଜଳସ୍ତର ହ୍ରାସ ପାଇଁ ନଳକୂପ ଶୁଖିଲା ପଡ଼ିଲାଣି ତ ପୁଣି କେଉଁଠି ଭାଙ୍ଗିରୁଜି ପଡିଛି । ଏଥିସହିତ ଅଧିକାଂଶ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପଗୁଡିକ ମଧ୍ୟ ଠିକ୍ ଭାବେ କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ହେଉଛି ।

ଏପଟେ ନଛିପୁର ପଞ୍ଚାୟତର ଅଧିକାଂଶ ନଳକୂପରୁ ଫ୍ଲୋରାଇଡ୍‌ଯୁକ୍ତ ପାଣି ବାହାରୁଛି । ଯାହାକୁ ନେଇ ରଥିପୁର ଗ୍ରାମର ଅଧିକାଂଶ ବ୍ୟକ୍ତିଙ୍କ ଦାନ୍ତ କସରା ହେବା ସହ ଆଣ୍ଠୁ ଓ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅତ୍ୟଧିକ ଫ୍ଲୋରାଇଡ୍‌ଯୁକ୍ତ ପାଣିକୁ ନେଇ ନଳକୂପରେ ଲଗାଯାଇଥିବା ୱାଟର୍ ରିମୁଭାଲ୍ ପ୍ଲାଣ୍ଟଟି ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିରହିଛି । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି କୈାଣସି ଗୁରୁତ୍ବ ଦେଉନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । କାଗଜପତ୍ରରେ ଏସବୁର କାର୍ଯ୍ୟକାରୀ ଏବଂ ମରାମତି କାର୍ଯ୍ୟ ପାଇଁ ଲକ୍ଷଲକ୍ଷ ଟଙ୍କା ବାଟମାରଣା କରାଯାଉଥିବା ବେଳେ ଏବେ ଅସହ୍ୟ ଗ୍ରୀଷ୍ମରେ ବିଭିନ୍ନ ପଞ୍ଚାୟତରେ ପାଣି ପାଇଁ ଡହଳବିକଳ ପରିସ୍ଥିତି ସୃଷ୍ଟି ହୋଇଛି । ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *