ଓଡ଼ଗାଁ : ଆହା ପଦେ କହିବାକୁ କେହି ନାହିଁ । ସ୍ବାମୀ ଚାଲିଯିବା ପରେ ଏକାକି ଦିବ୍ୟାଙ୍ଗ ପୁଅକୁ ଧରି ସାରା ଜୀବନ ଚାଲିବାକୁ ପଡୁଛି । ଅବସ୍ଥା ଏମିତି ହୋଇଛି ମାଆ ପୁଅଙ୍କ ଦେହରେ ଆଉ ଚାଲିବାକୁ ଶକ୍ତି ନାହିଁ । ପେଟ ଚାଖଣ୍ତକ ପାଇଁ ବାରଦୁଆର ବୁଲି ହାତ ପାତିବାକୁ ପଡୁଛି । ସେ ଏଭଳି ଗାଁ ଗାଁ ବୁଲି ଚାଉଳ, ପଇସା ମାଗି ପେଟ ପୋଷିଥାନ୍ତି । ଓଡ଼ଗାଁ ପାଟଣାସାହିରେ ଏକ ଭଡ଼ା ଘରେ ପଞ୍ଚୁ ସେଠୀଙ୍କ ସ୍ତ୍ରୀ ସୁଶୀଳା ସେଠୀ ଏବଂ ତାଙ୍କ ଦିବ୍ୟାଙ୍ଗ ପୁଅ ଦିଲୀପ ସେଠୀ ରହି ଆସୁଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ସୁଶୀଳାଙ୍କ ଦେଢଶୁର ଏବଂ ଦିଅର ତାଙ୍କ ସହିତ କଳି ଝଗଡା କରି ଘରୁ ବାହାର କରିଦେଲେ । ସେବେଠାରୁ ସେ ଓଡ଼ଗାଁ ପାଟଣାସାହିରେ ୭ ଶହ ଟଙ୍କା ଭଭାଘର ନେଇ ରହୁଛନ୍ତି ।
ରୋହିବାଙ୍କ ଗ୍ରାମରେ ତାଙ୍କର ଜାଗାବାଡ଼ି ଥିଲା ଏବଂ ସେ ଆବାସ ଯୋଜନାରେ ଘର ପାଇଥିଲେ । ଠିକାଦାର ଘର କରିଦେବ କହି ସବୁ ଟଙ୍କା ନେଇଯିବା ପରେ ଆଉ ଘର କଲାନାହିଁ । ଏଭଳି ପରିସ୍ଥିତିରେ ମାଆ ପୁଅ ଦୁହେଁ ଘର ଛାଡିବାକୁ ବାଧ୍ୟ ହେଲେ । ପୁଅ ଦିଲୀପ ସେଠୀ ପିଲାଦିନରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଚାଲବୁଲ କରି ପାରୁନାହାନ୍ତି । ଗୋଟିଏ ବୋଲି ପୁଅର ମୁହଁକୁ ଚାହିଁ ମା’ ବାର ଦୁଆର ବୁଲି ଭିକ୍ଷାବୃତ୍ତି କରୁଛି । ସରକାରଙ୍କ ତରଫରୁ ତାଙ୍କୁ ୩୫ କିଲୋ ଚାଉଳ ଏବଂ ୫ ଶହ ଟଙ୍କା ଲେଖାଏଁ ଭତ୍ତା ବାବଦକୁ ମିଳୁଛି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ବୋଲି ସୁଶୀଳା କହିଛନ୍ତି । ରୋହିବାଙ୍କ ପଞ୍ଚାୟତରୁ ତାଙ୍କୁ ଭତ୍ତା ଏବଂ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି, କିନ୍ତୁ ଓଡ଼ଗାଁରୁ ରୋହିବାଙ୍କ ୧୨ କିଲୋମିଟର ଦୂର ଅଟୋ ଭଡ଼ା କରି ଗଲେ ଥରକୁ ଅଢେଇ ଶହ ଟଙ୍କା ଅଟୋ ଭଡ଼ାରେ ଯାଏ ବୋଲି ସେ କହିଛନ୍ତି । ଏମିତି ପ୍ରତିମାସରେ ଭତ୍ତା ଏବଂ ରାସନ ପାଇଁ ଦୁଇଥର ଯିବାକୁ ପଡ଼ିଥାଏ । ନିଜ କର୍ମକୁ ଆଦରି ବାଧ୍ୟ ହୋଇ ବାର ଦୁଆର ବୁଲି ଆକୁତାକୁ ହାତ ପାତିବାକୁ ପଡୁଛି । ସକାଳୁ ଉଠି ରୋଷେଇ ବାସ ସାରି ଦିବ୍ୟାଙ୍ଗ ପୁଅକୁ ସାଙ୍ଗରେ ଧରି ମାଆ ଭିକ୍ଷା ମାଗିବାକୁ ଯାଇଥାନ୍ତି । ଚାରିରୁ ପାଞ୍ଚ କିଲୋମିଟର ଚାଲି ଚାଲି ଗଲେ ଚାଉଳ, ପଇସା ବାବଦକୁ ଦୁଇ ଶହରୁ ତିନିଶହ ଟଙ୍କା ମିଳୁଥିବା ସେ କହିଛନ୍ତି ।
ଡହଡହ ଖରାରେ ଖାଲି ପାଦରେ ମାଆ ଦିବ୍ୟାଙ୍ଗ ପୁଅକୁ ସାଇକେଲରେ ଠେଲି ଠେଲି ନେଉଥିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ ନିଶ୍ଚୟ କରିବ । ଏହି ମାଆ ପୁଅ ଦୁଇଜଣଙ୍କୁ ପ୍ରଶାସନ ସରକାରୀ ଜାଗା ଯୋଗାଇ ଦେବା ସହିତ ରୋହିବାଙ୍କ ପଞ୍ଚାୟତ ଓଡ଼ଗାଁରୁ ଭତ୍ତା-ରାସନ ଦେବାର ବ୍ୟବସ୍ଥା କଲେ ମା’-ପୁଅ ଦୁହେଁ ଉଦ୍ଧାର ପାଆନ୍ତେ ବୋଲି ଚର୍ଚ୍ଚା ହେଉଛି ।
