ମୟୂରଭଞ୍ଜରେ ଡାକ୍ତର ମରୁଡ଼ି : ସ୍ବାସ୍ଥ୍ୟକର୍ମୀ, କ୍ବାକ୍‌ଙ୍କ ଭରସାରେ ରୋଗୀ

ବାରିପଦା : ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଡାକ୍ତର ମରୁଡ଼ି । ଫଳରେ ଜିଲ୍ଲାରେ ସ୍ବାସ୍ଥ୍ୟସେବା ବହୁ ପଛରେ ପଡ଼ିଛି । ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୩ଟି ଉପଖଣ୍ଡ ଡାକ୍ତରଖାନା ଓ ୨୬ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କେଉଁଠି ବି ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି । ବର୍ଷବର୍ଷ ଧରି ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହେଉନାହିଁ । ନୂତନ ଭାବେ ସରକାରଙ୍କ ପକ୍ଷରୁ ନିଯୁକ୍ତ ହେଉଥିବା ଡାକ୍ତର ଉଚ୍ଚଶିକ୍ଷା ଆଳ ଦେଖାଇ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ଯେଉଁ କେତେଜଣ ଯୋଗ ଦେଉଛନ୍ତି କିଛିଦିନ ପରେ ଲମ୍ବା ଛୁଟିରେ ରହି ଆଉ ଆସୁନାହାନ୍ତି । ଡାକ୍ତର ଅଭାବ ଯୋଗୁ କେଉଁଠି ରୋଗୀ ଚିକିତ୍ସା ସେବା ପାଇଁ ଏନ୍‌ଏନ୍‌ଏମ୍‌ଙ୍କ ଉପରେ ନିର୍ଭର କରୁଛନ୍ତି ତ ଆଉ କେଉଁଠି କ୍ବାକ୍‌ଙ୍କୁ ଭରସା କରିବାକୁ ବାଧ୍ୟ ହେଉଛନ୍ତି ।

ଜିଲ୍ଲାରେ ମୋଟ୍ ୫୪୯ ଜଣ ଡାକ୍ତର ରହିବା କଥା; ହେଲେ ଅଛନ୍ତି ମାତ୍ର ୨୭୭ ଜଣ । ୨୭୨ ଡାକ୍ତର ପଦ ଖାଲି ପଡ଼ିଛି । ଏମିତିକି ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୩ ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୪୦ ଜଣ ଅଛନ୍ତି । ୪୩ଟି ପଦବୀ ଖାଲି ପଡ଼ିଛି । ଜିଲ୍ଲାରେ ନୂତନ ଭାବେ ୭୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷା ପାଇଁ ଓ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ଜିଲ୍ଲାର ୩ଟି ଉପଖଣ୍ଡ ଡାକ୍ତରଖାନ‌ାରେ ବି ଅନୁରୂପ ଅବସ୍ଥା । ଉଦଳା ଉପଖଣ୍ଡ ଡାକ୍ତରଖାନାରେ ୭, କରଞ୍ଜିଆରେ ୮ ଓ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ୯ଟି ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ଅଭାବରୁ ଏଠାରେ ରୋଗୀସେବା ଠିକ୍ ଭାବେ ହୋଇ ପାରୁନାହିଁ । ସେହିପରି ବିଶୋଇ ଓ ଶୁକୃଳି ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ଏହି ଦୁଇ ବ୍ଲକ୍‌ରେ ୨ ଜଣ ଲେଖାଏ ଡାକ୍ତର ପାଳି କରି ରୋଗୀ ଦେଖୁଛନ୍ତି । ବିଶୋଇରେ ୧୨ ଓ ଶୁକୃଳିରେ ୧୧ ଡାକ୍ତର ପଦ ଖାଲି ପଡ଼ିଛି । ତିରିଂ ଓ ବାଙ୍ଗିରପୋଷି ବ୍ଲକ୍‌ରେ ୩ ଜଣ ଲେଖାଏ ଡାକ୍ତର କାମ କରୁଛନ୍ତି । ଏହି ଦୁଇ ବ୍ଲକ୍‌ରେ ୨୨ଟି ଡାକ୍ତର ପଦବୀ ଖାଲି ପଡ଼ିଛି । ଯଶିପୁରରେ ୧୨, ବହଳଦାରେ ୧୧, ଗୋପବନ୍ଧୁନଗରରେ ୧୦, ସାରସକଣାରେ ୧୦, ବିଜାତଳା, କୁସୁମୀ ଓ ଜାମଦାରେ ୯, ବଡ଼ସାହି, ମୋରଡ଼ା, କପ୍ତିପଦା ଓ କରଞ୍ଜିଆ ବ୍ଲକ୍‌ରେ ୮ଟି ଲେଖାଏ ଡାକ୍ତର ପଦବୀ ଖାଲି ରହିଛି ।

ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକ‌ରେ ବି ସମାନ ସ୍ଥିତି । ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ହେଲେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯାଉ ନଥିବାରୁ ରୋଗୀମାନେ ଶେଷରେ କ୍ବାକ୍‌ଙ୍କ ଉପରେ ଭରସା କରୁଛନ୍ତି । ନିକଟରେ ଠାକୁରମୁଣ୍ଡା ଅଞ୍ଚଳରେ ଜଣେ କ୍ବାକ୍ ମଣିଷକୁ ପଶୁ ଇଂଜେକସନ ଦେବା ଘଟଣା ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା‌ । ଡାକ୍ତର ସହ ସ୍ବାସ୍ଥ୍ୟ ବିଭାଗରେ କର୍ମଚାରୀଙ୍କ ଅଭାବ ହିଁ ଏଭଳି ଘଟଣା ପାଇଁ ଦାୟୀ ବୋଲି ଆଲୋଚନା ହେଉଛି ।

ପରିସଂଖ୍ୟାନରୁ ଜଣାଯାଇଛି ଜିଲ୍ଲାରେ ବିଭିନ୍ନ ଡାକ୍ତରଖାନାର ୮୨୦ କର୍ମଚାରୀ ପଦବୀ ଖାଲିପଡ଼ିଛି । ସେଥିରେ ନର୍ସ, ସ୍ବାସ୍ଥ୍ୟ କର୍ମୀ, ଟେକ୍‌ନିସିଆନ୍‌ ଅଛନ୍ତି । ତେବେ ମୟୂରଭଞ୍ଜ ଭଳି ବଡ଼ ଜିଲ୍ଲାରେ ଉନ୍ନତ ସ୍ବାସ୍ଥ୍ୟସେବା ନିମନ୍ତେ ସରକାର ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦ ତୁରନ୍ତ ପୂରଣ କରିବା ଜରୁରୀ ହୋଇପଡ଼ିଛି ।

Leave a Reply

Your email address will not be published. Required fields are marked *