ରାଇରଙ୍ଗପୁର : ବାମନଘାଟି ହେଉଛି ଆଦିବାସୀ ବହୁଳ ଅଂଚଳ । ରାଇରଙ୍ଗପୁର ଉପଖଣ୍ତ ଚିକିତ୍ସାଳୟ ଉପରେ ଉପଖଣ୍ତର ୭ଟି ବ୍ଲକ୍ ସମେତ ପଡ଼ୋଶୀ ଝାଡ଼ଖଣ୍ତ ରାଜ୍ୟର ଲୋକ ନିର୍ଭର କରିଥାନ୍ତି । ଚିକିତ୍ସାଳୟ ଦେଖିବାକୁ ଚକାଚକ୍ କିନ୍ତୁ ରୋଗୀ ସେବା ବିପର୍ଯ୍ୟସ୍ତ । ଏଠାରେ ଚିକିତ୍ସା କମ୍ ରେଫର ଅଧିକ ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ରୋଗୀ ବାଧ୍ୟ ହୋଇ ଚେରମୂଳି ଔଷଧ ଉପରେ ଭରସା କରିଛନ୍ତି । ଏହି ଡାକ୍ତରଖାନାରେ ଉପଯୁକ୍ତ ରୋଗୀସେବା ମିଳୁ ନଥିବାରୁ ଚିକିତ୍ସା ପାଇଁ ରୋଗୀ ଅନିଚ୍ଛା ପ୍ରକାଶ କରୁଛନ୍ତି । ଡାକ୍ତର ରହୁନଥିବାରୁ ରୋଗୀ ପହଞ୍ଚିବା କ୍ଷଣି ଆଗରୁ ଡାକ୍ତରଙ୍କ ସ୍ବାକ୍ଷର ହୋଇ ରହିଥିବା ରେଫର କାଗଜ ରୋଗୀଙ୍କୁ ଧରାଇ ଦେଉଛନ୍ତି ନର୍ସ । ଗତବର୍ଷ ଶିଶୁ ଓ ସ୍ତ୍ରୀ ରୋଗ ଚିକିତ୍ସା ନିମନ୍ତେ ଏମ୍ସିଏଚ୍ ଉଦ୍ଘାଟିତ ହୋଇଥିଲା । ହେଲେ ଏହି ବିଭାଗରେ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଗର୍ଭବତୀ ଓ ଶିଶୁମାନେ ଉନ୍ନତ ଚିକିତ୍ସା ନିମନ୍ତେ ବାରିପଦା କିମ୍ବା ଅନ୍ୟ ହସ୍ପିଟାଲ ଯାଉଥିବା ଦେଖିବାକୁ ମିଳୁଛି । ଏହି ବିଭାଗ ଦାୟିତ୍ବରେ ଡାକ୍ତରମାନେ ଠିକ୍ ସମୟରେ ଆସୁ ନଥିବା ବେଳେ ରୋଗୀଙ୍କ ସଂପର୍କୀୟ ଡାକ୍ତରଙ୍କ ଦେଖା ପାଉନାହାନ୍ତି ।
ଏହାଛଡ଼ା ନୋଟିସ୍ ବୋର୍ଡରେ ମଧ୍ୟ ଡ୍ୟୁଟିରେ ଥିବା ଡାକ୍ତଙ୍କ ନାମ ଲେଖା ଯାଉନାହିଁ । ଏଠାରେ ତିନିଜଣ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଥିବା ବେଳେ ରୋଗୀ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି । ସେହିପରି ଭେଷଜ ବିଶେଷଜ୍ଞ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ବିଭାଗର ସ୍ପେଶାଲିଷ୍ଟ ଥିବା ସତ୍ତ୍ବେ ଆଉଟ୍ଡୋରରେ ବସୁ ନଥିବାରୁ ଜନସାଧାରଣ ସେବା ପାଇବାରୁ ବଂଚିତ ହେଉଛନ୍ତି । ଏହା ବ୍ୟତୀତ ଇନଡୋର୍ ରୋଗୀ ଡିସଚାର୍ଜ ସମୟରେ ଡାକ୍ତରଙ୍କ କ୍ବାର୍ଟରକୁ ଆସିବା ପାଇଁ କୁହାଯାଉଛି ଏବଂ ବାହାରୁ ମେଡିସିନ୍ କିଣିବାକୁ ବାଧ୍ୟ କରାଯାଉଛି । ରାତ୍ରି ସମୟରେ ଜରୁରିକାଳୀନ ଡାକ୍ତର ରହୁ ନାହାନ୍ତି । ଏ ସଂପର୍କରେ ଏସ୍ଡିଏମଓ ଡାକ୍ତର ସାଗର ନାଏକଙ୍କୁ ଯୋଗାଯୋଗ କରିବାରୁ ସେ ଡାକ୍ତରମାନଙ୍କୁ ଠିକ୍ ଭାବେ ଡ୍ୟୁଟି କରିବାକୁ ବାରମ୍ବାର ତାଗିଦ୍ କରି ଆସୁଛନ୍ତି ହେଲେ ଏଥିପ୍ରତି ସେମାନେ କର୍ଣ୍ଣପାତ କରୁନଥିବା କହିଛନ୍ତି ।
ସେହିପରି ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ତିନିଦିନ ପୂର୍ବରୁ ସଫେଇ କର୍ମଚାରୀ ଆନ୍ଦୋଳନ କରିବାରୁ ସଫେଇ କାର୍ଯ୍ୟ ବନ୍ଦ ରହିଥିଲା । ବାରମ୍ବାର ଆନ୍ଦୋଳନ ହେଉଥିବାରୁ ହସ୍ପିଟାଲ ପରିସର ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଆଜି ସଫେଇ କର୍ମଚାରୀ ଆନ୍ଦୋଳନରୁ ଓହରିବା ପରେ ହସ୍ପିଟାଲ ପରିସର ସଫେଇ ହୋଇଥିଲା । ଏହି ଉପଖଣ୍ଡ ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମାଧାନ ଦିଗରେ ଯତ୍ନାବାନ ହେବାକୁ ସାଧାରଣରେ ଦାବି ହୋଇଛି ।
