ରାଉରକେଲା : ସହରରେ ସ୍କ୍ରାପ୍ ବେପାର ପୁଣିଥରେ ଜମିବାରେ ଲାଗିଛି । କୋଭିଡ୍ ମହାମାରୀ ସମୟରେ ଅତ୍ୟଧିକ ଯାଞ୍ଚ୍ ଯୋଗୁଁ ସ୍କ୍ରାପ୍ ଚୋରାଚାଲାଣ ଆଖିଦୃଶିଆ ହ୍ରାସ ପାଇଥିଲା; ଏବେ କିନ୍ତୁ ଏହା ପୁଣି ବେଗ ଧରିଲାଣି । ମାସକୁ ପାଖାପାଖି ୨ ଶହ ଟନ୍ ସ୍କ୍ରାପ୍ ଚୋରାଚାଲାଣ ହେଉଛି । ୪ଟି ଥାନା ଅତିକ୍ରମ କରି ଏହି ଚୋରାଚାଲାଣ ଚାଲିଛି । ବିଡ଼ମ୍ବନାର ବିଷୟ ଏହା ଯେ, ପୁଲିସ କିନ୍ତୁ ସବୁ ଜାଣି ଚୁପ୍ ବସିଛି ।
ରାଉରକେଲା ସମେତ ବେଦବ୍ୟାସ, କଳୁଙ୍ଗା ଆଦି ଶିଳ୍ପାଞ୍ଚଳରୁ ସ୍କ୍ରାପ୍ ଚୋରାଚାଲାଣର ଇତିହାସ ଢ଼େର୍ ପୁରୁଣା । ଏବେ ମୁଖ୍ୟତଃ ରାଉରକେଲାର ବିଭିନ୍ନ ଅଞ୍ଚଳ, ଯଥା- ମାଲଗୋଦାମ, ଫାଟାପାଇପ୍, ତିଲକାନଗର, ବନ୍ଧମୁଣ୍ଡାର କୁକଡ଼ା ଫାଟକ ନିକଟରେ ବେଆଇନ ଲୁହା ବ୍ୟବସାୟ ଜୋର୍ ଧରିଛି । ବିଶେଷକରି ମାଲଗୋଦାମରେ କାରବାର ଆଶାତୀତଭାବେ ବୃଦ୍ଧି ପାଇଛି । ଗାଡ଼ି ଚାଳକଙ୍କ ସହ ଭିତିରିଆ ସଲାସୁତୁରା କରି ଆର୍ଏସ୍ପିରୁ ବାହାରୁଥିବା ପିଗ୍ ଆଇରନ୍କୁ ଚୋରି କରୁଛନ୍ତି । ପ୍ରକାଶଥାଉକି, ଆର୍ଏସ୍ପିରୁ ପରିବହନ ହେଉଥିବା ପିଗ୍ ଆଇରନ ଭର୍ତ୍ତି ଗାଡ଼ି ପ୍ରଥମେ ପ୍ଲାଣ୍ଟ୍ସାଇଟ୍ସ୍ଥ ପାର୍କିଂରେ ରହୁଛି । ସେଠାରେ ଗାଡ଼ି ଚାଳକମାନେ ଭୋଜନ କରିବା ବାହାନାରେ କିଛି ସମୟ ଅଟକି ରହୁଛନ୍ତି । ଏତିକିବେଳେ ପୂର୍ବ ଯୋଜନା ଅନୁଯାୟୀ ସ୍କ୍ରାପ୍ ମାଫିଆଙ୍କ ଦ୍ବାରା ନିୟୋଜିତ କର୍ମଚାରୀ ପିଗ୍ ଆଇରନ୍କୁ ଅନଲୋଡ୍ କରୁଛନ୍ତ ।
ଏତଦ୍ବ୍ୟତୀତ ଆର୍ଏସ୍ପି ଭିତରୁ ଚୋରି ହେଉଥିବା ସ୍କ୍ରାପ୍କୁ ମାଫିଆମାନେ କିଣୁଛନ୍ତି । ଏସବୁ ସ୍କ୍ରାପ୍କୁ ସେଠାରୁ ସ୍ଥାନାନ୍ତର କରି ମାଲଗୋଦାମ ଖଟାଲ ନିକଟସ୍ଥ ସ୍କ୍ରାପ୍ ଗୋଦାମରେ ଗଚ୍ଛିତ କରୁଛନ୍ତି । ସେଠାରୁ ବିଳମ୍ବିତ ରାତିରେ ପିକ୍ଅପ୍ ଯୋଗେ ଝାଡ଼ଖଣ୍ଡର ଚକ୍ରଧରପୁର, ଟାଟାନାଗର, ଜାମଶେଦପୁର, ବଡ଼ବିଲ ଅଞ୍ଚଳକୁ ପଠାଯାଉଛି । ତେବେ ଏମାନେ କୌଣସି ଚୋରାପଥରେ ନୁହେଁ, ବରଂ ବୀର୍ସା ଛକ-ବନ୍ଧମୁଣ୍ଡା ରାସ୍ତା ଦେଇ ଚାଲାଣ କରୁଛନ୍ତି। ଅର୍ଥାତ୍ ଏମାନେ ଉଦିତନଗର-ପ୍ଲାଣ୍ଟ୍ସାଇଟ୍-ବନ୍ଧମୁଣ୍ଡା-ବିଶ୍ରା ଥାନା ଅତିକ୍ରମ କରି ଚାଲାଣ କରୁଛନ୍ତି ।
ମାଫିଆମାନେ ମାସିକ ପାଖାପାଖି ୨ ଶହ ଟନ୍ ସ୍କ୍ରାପ୍ ଚାଲାଣ କରୁଥିବା ଆକଳନ କରାଯାଉଛି । ପ୍ରାୟତଃ ଏମାନେ ପିକ୍ଅପ୍ରେ ଚାଲାଣ କରୁଛନ୍ତି । ପିକ୍ଅପ୍ରେ ଏକାଥରକେ ୧୭/୧୮ ଟନ୍ ଲୋଡ୍ କରାଯାଉଛି । ସପ୍ତାହକୁ ଅନ୍ୟୁନ ୩ ଥର ଚାଲାଣ ହେଉଛି । ଅର୍ଥାତ୍ ସପ୍ତାହକୁ ପାଖାପାଖି ୫୦ ଟନ୍ର ସ୍କ୍ରାପ୍ ହିସାବରେ ମାସିକ ୨ ଶହ ଟନ୍ ଚାଲାଣ ହେଉଛି । ଉଲ୍ଲେଖଯୋଗ୍ୟ, ଗୋଟିଏ କେଜି ସ୍କ୍ରାପ୍ର ଦାମ୍ ୧୪ ଟଙ୍କା । ଏହି ହାରରେ ଚୋରାଚାଲାଣ ହେଉଥିବା ୨ ଶହ ଟନ୍ ସ୍କ୍ରାପ୍ର ମୂଲ୍ୟ ପାଖାପାଖି ୨୮/୩୦ ଲକ୍ଷ ହେବ । ପୂର୍ବରୁ ମାଫିଆମାନେ ଟ୍ରେନ୍ରେ ଚାଲାଣ କରୁଥିଲେ । ତେବେ କୋଭିଡ୍ ମହାମାରୀ ସମୟରେ ଟ୍ରେନ୍ ଚଳାଚଳ ବନ୍ଦ ହେବାସହ ଯାଞ୍ଚ କଡ଼ାକଡ଼ି କରାଯାଇଛି । ଏଣୁ ଏଥିରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏଣୁ ଏମାନେ ଟ୍ରେନ୍ ପରିବର୍ତ୍ତେ ପିକ୍ଅପ୍ରେ ଚାଲାଣ କରିବା ଆରମ୍ଭ କରିଦେଇଛନ୍ତି । ରେଳବାଇର ପାର୍ସଲ୍ ବିଭାଗ କର୍ମଚାରୀ-ଆର୍ପିଏଫ ସହ ମିଶି ଅବାଧରେ ଚାଲାଣ ଚାଲିଥିଲା । ଏ ଦିଗରେ ପୁଲିସର ନିଷ୍କ୍ରିୟତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିୟମିତ ବ୍ୟବଧାନରେ ଚୋରାଚାଲାଣ ହେଉଥିଲେ ସୁଦ୍ଧା ପୁଲିସ ହାତବାନ୍ଧି ବସିବା ପଛରେ ସ୍କ୍ରାପ୍ ମାଫିଆ-ପୁଲିସର ଅନୈତିକ ମେଣ୍ଟ୍ ଥିବା ଅଭିଯୋଗ ହୁଏ ।
