ଠିକାକାମ ପାଇଁ ବିଜେଡି କର୍ମୀଙ୍କୁ ହତ୍ୟା

କେନ୍ଦୁଝର : ଠିକାକାମକୁ କେନ୍ଦ୍ରକରି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ଜଣେ ବିଜେଡି କର୍ମୀଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି । ମୃତକ ଜଣଙ୍କ ହେଲେ ପୂର୍ବତନ ୱାର୍ଡସଭ୍ୟା ସବିତା ଘଣାଙ୍କ ସ୍ବାମୀ ଭାଗ୍ୟଧର ଘଣା (୩୯) ଓରଫ କାଳିଆ । ଏହି ଘଟଣାରେ ପୁଲିସ ମାମୁଭଣଜାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, କାଳିଆ ବାଉରୀପଦା ଅଞ୍ଚଳରେ ବିଜେଡିର ଜଣେ ଆଗଧାଡ଼ିର କର୍ମୀ ଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ଠିକାକାମ କରୁଥିଲେ । ଗତକାଲି ରାତି ପ୍ରାୟ ୧୦ଟା ବେଳେ ୪ ଜଣ ଯୁବକ କାଳିଆଙ୍କ ଘରେ ପହଞ୍ଚିଥିଲେ । ମଦ ପିଇବା ପାଇଁ ତାଙ୍କୁ ଗାଁମୁଣ୍ଡ‌ ଖମାର ମଝିରେ ଥିବା ଏକ ପୋଖରୀ ନିକଟକୁ ଡାକିଥିଲେ । କାଳିଆ ଓ ତାଙ୍କ ସାଙ୍ଗ ତରଣୀସେନ ଦେହୁରୀ ସେଠାକୁ ଯାଇଥିଲେ । ମଦ ପିଇବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଫଳରେ ସମ୍ପୃକ୍ତ ଯୁବକମାନେ କାର୍‌ରୁ ଜ୍ୟାକ୍‌ରଡ୍‌ ବାହାର କରି କାଳିଆଙ୍କୁ ଆକ୍ରମଣ କରିଥିଲେ । ସାଙ୍ଗରେ ଯାଇଥିବା ତରଣୀସେନ ସେଠାରୁ ଦୌଡ଼ି ପଳାଇ ଆସିବାରୁ ବର୍ତ୍ତି ଯାଇଥିଲେ । ତରଣୀସେନ ଗାଁକୁ ଆସି ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଲୋକେ ପୁଲିସକୁ ଖବର ଦେବାସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ କାଳିଆ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ଆଜି ସକାଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଲ୍ଲେଖଯୋଗ୍ୟ ଯେ, ଠିକାକାମକୁ ନେଇ ଅପରଗୋଷ୍ଠୀଙ୍କ ସହ କଥା କଟାକଟି ହୋଇଥିଲା । ଏହାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *