କଟକରେ ସିଏନ୍‌ଜି ସଙ୍କଟ : ଇନ୍ଧନ ପାଇଁ ଲମ୍ବା ଲାଇନ୍‌, ରୋଜଗାର ହରାଇଲେଣି ଅଟୋ ଚାଳକ

କଟକ : କଟକରେ ଗଲା ୨୦ ଦିନ ହେଲା ଲାଗି ରହିଛି ସିଏନ୍‌ଜି ସଙ୍କଟ । ସ୍ପଳ୍ପ ଦରରେ ଇନ୍ଧନ ମିଳିବା ଆଶାରେ ପ୍ରଭାବିତ ହୋଇ ଯିଏ ସିଏନ୍‌ଜି ଅଟୋ, କାର କିଣି ଥିଲେ ସେମାନେ ଏବେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସିଡିଏସ୍ଥିତ ରିଫିଲିଙ୍ଗ ସେଣ୍ଟରରେ ଦିନ ସାଢେ ୫ଟା ରୁ ସତୀଚଉରା ଟ୍ରାଫିକ୍‌ ଛକ ପାଖରୁ ସିଡିଏ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ପାଖାପାଖି ୩ ଶହରୁ ଅଧିକ ସିଏନ୍‌ଜି ଅଟୋର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଏଭଳି ସଙ୍କଟ ଯୋଗୁ ସିଏନ୍‌ଜି ଅଟୋ କିଣିଥିବା ଚାଳକ ନିଜର ପେଟପାଟଣାକୁ ନେଇ ସମସ୍ୟାରେ ପଡିଲେଣି ବୋଲି ଅଭିଯୋଗ କରିଛନ୍ତି କଟକ ଅଟୋ ମହାସଂଘର ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀ ।

କଟକରେ ୫ ଶହ ସିଏନ୍‌ଜି ଅଟୋ ପଞ୍ଜୀକରଣ ହୋଇଛି । କିନ୍ତୁ ତା’ ଠାରୁ ଅଧିକ ଗାଡ଼ି ଚାଲୁଛି । ତେବେ ଅଟୋ, ୪ ଚକିଆ ଗାଡିକୁ ମିଶାଇଲେ କଟକରେ ପାଖାପାଖି ହଜାରେ ସିଏନ୍‌ଜି ଗାଡି ରହିଛି । ଗେଲ୍‌ ଇଣ୍ଡିଆ ପକ୍ଷରୁ ସିଏନ୍‌ଜି ଯୋଗାଣ ହେଉଥିବା ବେଳେ କଟକରେ ଗଲା ୨୦ ଦିନ ହେଲା ସିଏନ୍‌ଜି ରିଫିଲିଂ ସେଣ୍ଟର ଥିବା ସିଡିଏ, ନୂଆବଜାର ଓ ପ୍ରତାପନଗରୀରେ ଠିକ୍‌ ଭାବରେ ଆସୁନି ଇନ୍ଧନ । ଯେତେବେଳେ ଆସୁଛି ତାହା ବି ଠିକ୍‌ରେ ମିଳିପାରୁନି । ସବୁ ଗାଡି ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡା ହେଉଛନ୍ତି । କିନ୍ତୁ ଅଧାରୁ ଅଧିକ ଗାଡ଼ି ଇନ୍ଧନ ନପାଇ ଫେରୁଛନ୍ତି । ୪/୫ ଦିନ ହେଲା ସିଏନ୍‌ଜି ଆସୁ ନଥିବାବେଳେ ଆଜି ସିଡିଏ ଟାଙ୍କିକୁ ଆସିଥିଲା ଗାଡି । ଫଳରେ ଖବରପାଇ ଶତାଧିକ ସିଏନ୍‌ଜି ଅଟୋ ଲାଇନ୍ ଲଗାଇ ଦେଇଥିଲେ । ଏଭଳି ସିଏନ୍‌ଜି ଅଭାବ ନେଇ କିଛିଦିନ ତଳେ ଅଟୋ ମହାସଂଘ ପକ୍ଷରୁ ମେୟର ସୁବାସ ସିଂହଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ମଧ୍ୟ ଯୋଗାଣକାରୀ ସଂସ୍ଥା ସହିତ କଥା ହୋଇଥିଲେ । ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା । କିନ୍ତୁ ସ୍ଥିତି ସୁଧୁରୁନି । ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ନଦେଲେ ସିଏନ୍‌ଜି ଅଟୋ ଚାଳକ ନିଜର ଜୀବିକା ହରାଇବେ ବୋଲି ଉପସଭାପତି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *