ବାଲିଅନ୍ତା : ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ରାଜଧାନୀ ଉପକଣ୍ଠ ପାହାଳ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଆବର୍ଜନାପୂର୍ଣ୍ଣ ପରିତ୍ୟକ୍ତ ଗାତରେ ନିଆଁ ଲାଗିଯିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଗାତରେ ପୂର୍ବରୁ ମୋବିଲ୍ ଭର୍ତ୍ତି ହୋଇଥିବାରୁ ନିଆଁ ଭୟଙ୍କର ରୂପ ନେଇଥିଲା ଓ ଘନ କଳାଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପିଯାଇଥିଲା । ବେଶି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ଜାତୀୟ ରାଜପଥରେ । ନିଆଁକୁ ଦେଖି ଭୟରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ପ୍ରାୟ ଏକ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିବା ପରେ ଲୋକେ ଆଶ୍ବସ୍ତ ହୋଇଥିଲେ ।
ସୂଚନାନୁସାରେ ପାହାଳ ଅଗ୍ରୱାଲ୍ ଷ୍ଟକ୍ୟାର୍ଡ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଗତ ୧୪ ତାରିଖ ଦିନ ସେଠାରେ ଏକ ମୋବିଲ୍ ବୋଝେଇ ଟ୍ୟାଙ୍କର ଅଟକିଥିଲା । ଟ୍ୟାଙ୍କରରେ ଲିକ୍ ହୋଇଥିବାରୁ ପ୍ରଚୁର ମୋବିଲ୍ ବହିଯାଇଥିଲା । ଫଳରେ ରାସ୍ତାରେ ବିପଜ୍ଜନକ ସ୍ଥିତି ଉପୁଜିଥିଲା । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଏଣେ ତୁରନ୍ତ ୱେଲ୍ଡିଂ କରି ଉକ୍ତ ଲିକ୍କୁ ବନ୍ଦ କରିବା ସମ୍ଭବ ନହେବାରୁ ଚାଳକ ଗାଡ଼ିକୁ ଜାତୀୟ ରାଜପଥକୁ କଡ଼କୁ ନେଇ ଏକ ଗାତ ଭିତରକୁ ମୋବିଲ୍ ତକ(ପ୍ରାୟ ଏକ ହଜାରରୁ ଲିଟରରୁ ଅଧିକ) ଡ୍ରେନ୍ କରାଇଥିଲେ । ସେହି ଦିନରୁ ଉକ୍ତ ଗାତରେ ମୋବିଲ୍ ପଡ଼ି ରହିଥିଲା । କୌଣସି କାରଣରୁ ସେହି ଗାତରେ ନିଆଁ ଲାଗିଯାଇଥିଲା । ନିକଟସ୍ଥ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଆତଙ୍କିତ ହୋଇପଡ଼ିଥିଲେ । ସେହିଭଳି ପାଖାପାଖି ଗାଁରେ ବି ଭୟର ବାତାବରଣ ଖେଳିଯାଇଥିଲା । ବିଶେଷକରି ରାଜପଥରେ ଗାଡ଼ିମଟର ଚଳାଚଳ ବନ୍ଦ ହୋଇଗଲା ଓ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲେ ।
