ପାଣି ପାଇଁ ହଟହଟା ସମ୍ବଲପୁରବାସୀ

ସମ୍ବଲପୁର : ମହାନଦୀ କୂଳରେ ରହିଛି ସମ୍ବଲପୁର ସହର । ଯେଉଁ ନଦୀରୁ ସାରା ରାଜ୍ୟର ଶିଳ୍ପ ସଂସ୍ଥାଠାରୁ ଆରମ୍ଭ କରି କଟକ ଭୁବନେଶ୍ବର ଭଳି ଅନେକ ବଡ଼ ବଡ଼ ସହର ପାଣି ପାଉଛି । କିନ୍ତୁ ଏହି ମହାନଦୀ କୂଳରେ ଥାଇ ସମମ୍ବଲପୁର ସହରବାସୀ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ଏହି ଘଟଣା ଆଜିର ନୁହେଁ । ଦୀର୍ଘ ବର୍ଷରୁ ଏହି ସମସ୍ୟା ଲାଗି ରହିଛି । ସବୁ ବର୍ଷ ଲୋକେ ଅଭିଯୋଗ କରନ୍ତି, ବିରୋଧ ହୁଏ, ଶେଷରେ ପ୍ରଶାସନର ମିଛ ପ୍ରତିଶ୍ରୁତିରେ ସବୁ କିଛି ଶେଷ ହୁଏ । କାରଣ ଅଧିକାରୀମାନେ ମିଛ ପ୍ରତିଶ୍ରୁତି ଦେଉଥିବାରୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ ।

ଲୋକେ ପ୍ରତିବର୍ଷ ପାନୀୟ ଜଳ ସମସ୍ୟା ଭୋଗି ଆସୁଛନ୍ତି । ଖରାଦିନ ଆସିଲେ ଏହି ସମସ୍ୟା ଅଧିକ ଜଟିଳ ହୋଇଯାଏ । ଚଳିତବର୍ଷ ମଧ୍ୟ ଏହି ସମସ୍ୟା ଜଟିଳ ହେବା ଆରମ୍ଭ କରିସାରିଲାଣି । ସମ୍ବଲପୁର ବାଲିବନ୍ଧା, ରାମଜୀମନ୍ଦିରପଡ଼ା, କମଲିବଜାର ଗତ ମାସେ ହେଲା ପାନୀୟ ଜଳ ଯୋଗାଣ ହେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ପଡ଼ାକୁ ଭୋର୍‌ ୫ଟା ସମୟରେ ଥରେ ପାଣି ଦିଆଯାଉଥିଲା । କିନ୍ତୁ ମାସେ ହେଲା ଏହା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା । ଯେଉଁ କାରଣରୁ ୧୦୦୦ ପରିବାର ପାଣି ନ ପାଇ ଅସୁବିଧା ଭୋଗୁଛନ୍ତି । ଏଭଳି ଅଭିଯୋଗ କରି ରବିବାର ଭୋର୍‌ ୫ଟା ୩୦ରୁ ରିଙ୍ଗ୍‌ ରୋଡ୍‌ ଓ ରାମଜୀମନ୍ଦିରପଡ଼ା ରାସ୍ତାକୁ ଅଞ୍ଚଳବାସୀ ଅବରୋଧ କରିଥିଲେ । ପଡ଼ାର ଶତାଧିକ ଲୋକେ ବିଶେଷ କରି ମହିଳାମାନେ ରାସ୍ତା ଉପରେ ବାଲଟି ଗରା ରଖି ବସି ରହିଥିଲେ । କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ଗାଡ଼ି ମୋଟରକୁ ଛଡ଼ାଯାଇଥିଲା ।

ଲୋକଙ୍କ ଅଭିଯୋଗ, ବିଭିନ୍ନ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲେଣି । ନା କୌଣସି ଅଧିକାରୀ ସେମାନଙ୍କ କଥା ଶୁଣୁଛନ୍ତି ନା କେହି ପାନୀୟ ଜଳ ସମସ୍ୟାର ସମାଧାନ ହେଉଛି । ପ୍ରତିବର୍ଷ ସମସ୍ୟା ହେଉଛି, କିନ୍ତୁ ଆଜି ଯାଏ ସମାଦାନ ବାଟ ଫିଟାଇବାରେ ଅଧିକାରୀମାନେ ବିଫଳ ହୋଇଛନ୍ତି । ଲୋକଙ୍କ ଅର୍ଥରେ ଦରମା ପାଉଥିବା ଅଧିକାରୀମାନେ ଲୋକଙ୍କ କାମ କରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଗ୍ରୀଷ୍ମପ୍ରବାହ କାରଣରୁ ଲୋକେ ଘରୁ ବାହାରିବାକୁ ଭୟ କଲେଣି । ଏଭଳି ସ୍ଥିତତିରେ ମହାନଦୀ କୂଳରେ ଥିବା ବାସିନ୍ଦାଙ୍କୁ ଯଦି ପିଇବା ପାଇଁ ପାଣି ଟିକିଏ ମିଳୁନାହିଁ ତା ହେଲେ ଅନ୍ୟ ଅଞ୍ଚଳର କଥା କିଏ ପଚାରେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଉତ୍ୟକ୍ତ ଲୋକେ ପ୍ରଥମେ କୁଂଜେଲପଡା ଠାରୁ ସମଲେଶ୍ବରୀ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଥିଲେ । ପରେ ରିଙ୍ଗରୋଡ୍‌ ରାସ୍ତାକୁ ମଧ୍ୟ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛିଦିନ ପାଇଁ ପାଣି ଟାଙ୍କି ବ୍ୟବସ୍ଥା କରାଯାଇଥିଲା କିନ୍ତୁ ଏବେ ତାହା ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ବାଧ୍ୟ ହୋଇ ଅଞ୍ଚଳବାସୀ ରାସ୍ତା ରୋକ କରିଥିବା କହିଛନ୍ତି ।

ରାସ୍ତା ରୋକ କରାଯାଇଥିବା ସୂଚନା ପାଇ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ରାସ୍ତା ରୋକର ପାଖାପାଖି ୪ ଘଣ୍ଟା ପରେ ଟାଉନ୍‌ ଥାନାଧିକାରୀ ନିଜେ ପହଞ୍ଚି ରୋସ୍ତାରୋକ ହଟାଇବାକୁ ଲୋକଙ୍କୁ ବୁଝାଇଥିଲେ । ବିନା ଅନୁମତିରେ ରାସ୍ତା ରୋକ ଗ୍ରହଣୀୟ ବୋଲି କହିଥିଲେ ମଧ୍ୟ ପାନୀୟ ଜଳ ନ ପାଇ ହଟହଟା ଅଞ୍ଚଳବାସୀ କିନ୍ତୁ ନିଜ ଜିଦ୍‌ରେ ଅଡି ବସିଥିଲେ । ଶେଷରେ ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ମଧ୍ୟ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଫଳ କିନ୍ତୁ ସମାନ ରହିଥିଲା । ‘ପିଏଚ୍‌ଡି ଏସ୍‌ଡିଓ ଆସନ୍ତୁ, ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ’, ତାପରେ ଯାଇ ରାସ୍ତାରୋକ ହଟିବ ବୋଲି ଲୋକେ ସିଧା ସିଦା ଶୁଣାଇ ଦେଇଥିଲେ ।

ଲୋକଙ୍କ ବଳ ଜାଣି ନାହାନ୍ତି ପିଏଚ୍‌ଡି ବାଲା । ଭାବିଛନ୍ତି କିଛି ସମୟ ରାସ୍ତାରେ ବସି ହଟିଯିବେ । କିନ୍ତୁ ଆମେ ଏସିରେ ରହୁଥିବା ଲୋକ ନୁହଁ, ପାଣି ପାଇଁ ହଟହଟା ହେଲୁଣି, ଏଇ ଖର କିଛି କରିପାରିବ ନାହିଁ । ପିଏଚ୍‌ଡି ଏସଡିଓ ଆସି ପ୍ରତିଶ୍ରୁତିି ଦେବା ପରେ ଯାଇ ହଟିବୁ ବୋଲି ସିଧା ସିଧା ଅଞ୍ଚଳବାସୀ ଶୁଣାଇ ଦେଇଥିଲେ । ଗୋଟିଏ ପଟେ ପାଣି ନପାଇ ହଟହଟା ହେଉଥିବା ଲୋକେ ରାସ୍ତା ରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିନ୍ତୁ ପାଣି ଯୋଗାଉଥିବା ପିଏଚ୍‌ଡି ବିଭାଗ ରବିବାର ଛୁଟି ପାଳୁଥିଲା । ଲୋକେ ଟାଣ ଖରାରେ ୪ ଘଣ୍ଟାରୁ ଅଧିକ ସମୟ ହଟହଟା ହେବା ପରେ ପିଏଚ୍‌ଡି ବିଭାଗର ଅଧିକାରୀ ପହଞ୍ଚିଥିଲେ, ତାହା ପୁଣି ପୁଲିସର ବାରମ୍ବାର ଯୋଗାଯୋଗ ପରେ ଏସ୍‌ଡିଓ ପହଞ୍ଚିବା ପରେ ଲୋକଙ୍କ ସହ କିଚି ସମୟ ଧରି ପାଟିତୁଣ୍ଡ ଓ ଆଲୋଚନା ହୋଇଥିଲା ।  ତେବେ ୨ ଦିନ ଭିତରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବୁ ବୋଲି ଏସ୍‌ଡିଓ ଗୁଲସନ୍‌ କୁମାର ସାହୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଥିଲା ।

ଉକ୍ତ ପଡ଼ାଗୁଡ଼ିକର ଅଧାରୁ ଅଧିକ ଅଞ୍ଚଳରେ ବହୁ ବର୍ଷରୁ ପୁରୁଣା ପାଇପ୍‌ ପଡ଼ିରହିଛି । ସେତେବେଳେ ଲୋକସଂଖ୍ୟା ବହୁତ କମ ଥିବାରୁ ଉକ୍ତ ପତଳା ପାଇପ୍‌ ମାଧ୍ୟମର ଲୋକଙ୍କୁ ଠିକ୍‌ରେ ପାଣି ମିଳିଯାଉଥିଲା । କିନ୍ତୁ ବର୍ତ୍ତମାନ ଲୋକସଂଖ୍ୟା ବହୁଗୁଣିତ ହୋଇସାରିଥିବା ବେଳେ ସମାନ ପାଇପ୍‌ରେ ଆସୁଥିବା ପାଣି ଲୋକଙ୍କୁ ନିଅଣ୍ଟ ହେଉଛି । ତେଣୁ ଉକ୍ତ ପୁରୁଣା ପାଇପ୍‌ଗୁଡ଼ିକୁ ତୁରନ୍ତ ବଦଳାଇବାକୁ ଅଞ୍ଚଳବାସୀ ବାଦି କରିଛନ୍ତି । ଅନ୍ୟପଟେ ପାଣି ଆସିବା ସମୟରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ପାଵାର୍‌ କଟ୍‌ କରାଯାଉଥିବା ଲୋକେ ଅଭିଯୋଗ ହେଉଛି । ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *