ଭୁବନେଶ୍ବର : ନିଆଁର ଆଁ ଭିତରେ ଓଡ଼ିଶାର ଜଙ୍ଗଲ । ମୟୂରଭଞ୍ଜଠାରୁ ଆରମ୍ଭ କରି କୋରାପୁଟ, ସମ୍ବଲପୁରଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ, ସବୁଠି ନିଆଁର ପ୍ରକୋପ ଦେଖିବାକୁ ମିଳିଛି । କେତେବେଳେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ତ ଆଉ କେତେବେଳେ ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ଲାଗୁଛି ନିଆଁ । ହେକ୍ଟର ହେକ୍ଟର ଜମି ଜଳିପୋଡ଼ି ପାଉଁଶ ହେଉଛି । ସ୍ଥାନେ ସ୍ଥାନେ ନିଆଁର ପ୍ରକୋପ ଏତେ ରହୁଛି ଯେ ଜୀବଜନ୍ତୁ ପୋଡ଼ି ହୋଇ ଯାଉଛନ୍ତି । ଗାଁ ମୁହାଁ ହୋଇ ଶିକାରୀଙ୍କ ପଞ୍ଝାରେ ପଡ଼ୁଛନ୍ତି । ଗତ ୫ ବର୍ଷ ହେଲା ନିଆଁ କବଳରେ ଓଡ଼ିଶାର ଜଙ୍ଗଲ । ଗତ ୪ ବର୍ଷ ଅର୍ଥାତ୍ ୨୦୧୮ ରୁ ୨୦୨୧ ମଧ୍ୟରେ ରାଜ୍ୟର ୧ ଲକ୍ଷ ୪ ହଜାର ୫୫୮ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ୫୧ ହଜାର ୬୧୬ ହେକ୍ଟର ଜଳି ପୋଡ଼ି ପାଉଁଶ ହୋଇଛି । ଏବର୍ଷ ବି ନିଆଁର ପ୍ରକୋପ କିଛି କମ୍ ନାହିଁ । ଜାନୁଆରିରୁ ଏବେ ସୁଦ୍ଧା ରାଜ୍ୟର ୧୮ ହଜାର ୧୪୩ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ପାଖାପାଖି ୭ ହଜାର ହେକ୍ଟର ଜଙ୍ଗଲ ଜଳିଯାଇଛି । ଗ୍ରୀଷ୍ମ ଋତୁ ଜାରି ରହିଥିବାରୁ ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ଶିମିଳିପାଳରେ ଭୟଙ୍କର ନିଆଁ ଲାଗିବା ପରେ ଗତବର୍ଷ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଅବସରପ୍ରାପ୍ତ ପିସିସିଏଫ୍ଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ । ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସହ ବନାଗ୍ନିକୁ ରୋକିବାକୁ ଲାଗିପଡ଼ିଥିଲେ । ଏଥିସହ ଭବିଷ୍ୟତରେ ଯେପରି ଭୟଙ୍କର ପରିସ୍ଥିତି ନ ହୁଏ ତାହାକୁ ଦୃଷ୍ଟିରେ ରଖି କମିଟି ଠାରୁ ପ୍ରସ୍ତାବମାନ ଗ୍ରହଣ କରିଥିଲେ । ମାତ୍ର ପ୍ରସ୍ତାବଗୁଡ଼ିକୁ କିଭଳି କାର୍ଯ୍ୟକାରୀ କରାଗଲା ତାହା ଜଣାପଡ଼ିଲା ନାହିଁ । ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ସରପଞ୍ଚମାନଙ୍କୁ ଅଧିକ କ୍ଷମତା ଦେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାରୁ ବିଗତବର୍ଷ ପରି ଏଥର ମଧ୍ୟ ସମାନ ସ୍ଥିତି ଲାଗିରହିଛି । ୪ ମାସ ମଧ୍ୟରେ ୧୮ ହଜାରରୁ ଅଧିକ ନିଆଁ ଲାଗିଛି । ଆଗକୁ ମେ’ ଓ ଜୁନ୍ ମାସ ଥିବାରୁ ନିଆଁ ସଂଖ୍ୟା ଆହୁରି ଅଧିକ ହେବାର ଆଶଙ୍କା ରହିଛି । ୨୦୨୧ରେ ଓଡିଶା ଜଙ୍ଗଲରେ ଲାଗୁଥିବା ନିଆଁ ଘଟଣା ଦେଶର ଅନ୍ୟ ସମସ୍ତ ରାଜ୍ୟଠାରୁ ବହୁ ଆଗରେ ରହିଥିଲା ।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍ ମଧ୍ୟରେ ଦେଶରେ ୩ ଲକ୍ଷ ୪୫ ହଜାର ୯୮୯ଟି ବନାଗ୍ନି ଘଟିଥିବା ବେଳେ କେବଳ ଓଡ଼ିଶାରେ ୫୧ ହଜାର ୯୬୮ ରହିଥିଲା । ଏହି ସମୟ ମଧ୍ୟରେ ମଧ୍ୟ ପ୍ରଦେଶ ୪୭ ହଜାର ୭୯୫, ଛତିଶଗଡ଼ରେ ୩୮ ହଜାର ୧୦୬, ମହାରାଷ୍ଟ୍ରରେ ୩୪ ହଜାର ୨୫ଟି ସ୍ଥାନରେ ନିଆଁ ଚିହ୍ନଟ ହୋଇଥିଲା । ୨୦୨୨ ସ୍ଥିତି ଯଦି ଦେଖିବା ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଟିକିଏ ଭଲ ରହିଛି । ମାତ୍ର ଗତ ୧୫ ଦିନ ମଧ୍ୟରେ ଓଡ଼ିଶାରେ ଯେଉଁଭଳି ଜଙ୍ଗଲ ନିଆଁର ପ୍ରକୋପ ବଢ଼ିଚାଲିଛି ଆଗକୁ ଭୟଙ୍କର ପରିସ୍ଥିତି ଉପୁଜିବା ଏକପ୍ରକାର ଥୟ । କାରଣ ଏହି ସମୟ ମଧ୍ୟରେ ମଧ୍ୟପ୍ରଦେଶରେ ୨୭ ହଜାର ୯୬୪, ଛତିଶଗଡ଼ରେ ୨୨ ହଜାର ୧୨ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି । ପ୍ରତିବର୍ଷ ନଭେମ୍ବରରୁ ମେ’ ମାସ ମଧ୍ୟରେ ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡ ସଂଖ୍ୟା ବଢ଼ିବାରେ ଲଗିଛି । ଏହି ସମୟରେ ଜଙ୍ଗଲରେ ନିଆଁ ଧରୁଥିବା ସାମଗ୍ରୀ ଯଥା ଶୁଖିଲା କାଠ, ପତ୍ର, କାଠି ଆଦି ପଡିବା ଦ୍ୱାରା ଅଗ୍ନିକାଣ୍ଡ ଘଟୁଛି । ଅଧିକାଂଶ ଜଙ୍ଗଲ ନିଆଁ ସ୍ଥଳ ଭାଗରେ ପରିଲକ୍ଷିତ ହୋଇଥିବାରୁ ସବୁଜିମା ନଷ୍ଟ ହୁଏ । ଜଙ୍ଗଲ ଅଗ୍ନିକାଣ୍ଡ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ୬.୩୪ ନିୟୁତ ଟନ୍ରୁ ୧୨୩.୮୪ ନିୟୁତ ଟନ୍କୁ ବୃଦ୍ଧି ପାଉଛି ।
ଜଙ୍ଗଲ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ବିଶ୍ୱ ବ୍ୟାଙ୍କ ସହାୟତାରେ ଭାରତୀୟ ଜଙ୍ଗଲରେ ଅଗ୍ନିକାଣ୍ଡ ପରିଚାଳନା ଶୀର୍ଷକ ଏକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ଅଗ୍ନିକାଣ୍ଡ ରୋକିବା ପାଇଁ ଅନେକଗୁଡ଼ିକ ସୁପାରିଶ କରାଯାଇଥିଲା । ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସତର୍କତା ସହ ସ୍ଥାନୀୟ ଗୋଷ୍ଠୀଗୁଡ଼ିକୁ ଏଥିରେ ସାମିଲ କରିବାକୁ ପ୍ରସ୍ତାବ ରହିଥିଲା । ମାତ୍ର ତାହା ଠିକ୍ ଭାବେ ପାଳନ ହେଉ ନାହିଁ। ଜଙ୍ଗଲରେ ଲାଗୁଥିବା ନିଆଁକୁ ପ୍ରତିହତ କରିବା ଲାଗି ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆର୍ଥିକ ସହାୟତା ସହ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ବିଭିନ୍ନ ପ୍ରକାର ସରଞ୍ଜାମ ଯୋଗାଇ ଦିଆଯାଉଛି । ୨୦୧୮-୧୯ ରୁ ୨୦୨୦-୨୧ ମଧ୍ୟରେ ଏହି ଯୋଜନାରେ ରାଜ୍ୟଗୁଡ଼ିକୁ ୧୨୫ କୋଟି ଟଙ୍କାର ସହାୟତା ଯୋଗାଯାଇଥିବା ସୂଚନା ମିଳିଛି ।
