ଜଗତସିଂହପୁର : ପ୍ରସିଦ୍ଧ ଝଙ୍କଡ଼ ପୀଠରୁ ହେଉଥିବା ଆୟକୁ ହରିଲୁଟ୍ କରାଯାଉଛି । ମୁଖ୍ୟ ଆୟ ଉତ୍ସ ଭୋଗ, ଦୀପ ଦୋକାନକୁ ବାଦ୍ ଦେଲେ ମାଙ୍କ ଜମି ଓ ରୟତଙ୍କ ଠାରୁ ମିଳୁଥିବା ଆୟ ମଧ୍ୟ ମନ୍ଦିର ଖର୍ଚ୍ଚରେ ଲାଗୁଛି । କିନ୍ତୁ ମନ୍ଦିର ଆୟରୁ ଶ୍ରଦ୍ଧାଳୁଙ୍କ କଲ୍ୟାଣ ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଉ ନାହିଁ । ମନ୍ଦିର ଆୟର ଭାଗ ବଣ୍ଟା ହେଉଥିବା ବେଳେ ମନ୍ଦିରର ଉନ୍ନତି ଦିଗରେ ଲାଗୁନି । ଏମିତିକି ମାଙ୍କ ନାମରେ ଥିବା ୧୩୦.୪୫ ଏକର ଜମିରୁ ଆସୁଥିବା ଆୟ ସେହି ମନ୍ଦିର ପରିଚାଳନାରେ ହିଁ ଖର୍ଚ୍ଚ ହୋଇଯାଉଛି । ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପଡ଼ିଥିବା ମା’ଙ୍କ ଜମିକୁ ଦଖଲକୁ ଆଣିବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ । ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ବଦଳି ପରେ ଏହି ଯୋଜନା ଅଧାରେ ରହିଯାଇଛି ।
ରିପୋର୍ଟ ମୁତାବକ, ତିର୍ତୋଲ ତହସିଲ ଅଧୀନରେ ମାଙ୍କର ୮୭.୦୭ ଏକର ଜମି ରହିଥିବା ବେଳେ ବାଲିକୁଦା ତହସିଲ ଅଧୀନରେ ୫.୫ ଏକର, ଏରସମାର ୧୮.୫୫, ରଘୁନାଥପୁରରେ ୧.୯୭, ଜଗତସିଂହପୁର ୧.୯୧, କୁଜଙ୍ଗ ବ୍ଲକ୍ରେ ୧୭.୮୦ ଏକର ଜମି ରହିଛି । ଜଗତସିଂହପୁର ଜିଲ୍ଲାର ବିରିଡ଼ି ଓ ନାଉଗାଁରେ ମାଙ୍କର ଆଦୌ ଜମି ନଥିବା ସଂକ୍ରାନ୍ତରେ ରିପୋର୍ଟ ଆସିଥିଲା । ମାତ୍ର ଜଗତସିଂହପୁର ଜିଲ୍ଲାର ଜମି ତାଲିକାଭୁକ୍ତ ହେବା ପରେ ପୁଣି ଥରେ ଏହାକୁ ନେଇ ସନ୍ଦେହ ବଢିଛି । ମା’ ଶାରଳାଙ୍କ ନାମରେ ଶତାଧିକ ଏକର ଜମି ରହିଥିଲେ ମଧ୍ୟ ଏହାର କୌଣସି ପ୍ରମାଣପତ୍ର ମିଳୁ ନଥିବା ଅଡିଟ୍ରୁ ଜଣାପଡ଼ିଥିଲା । ୧୯୪୭ରେ ମନ୍ଦିରର ପୂର୍ବତନ ପରିଚାଳନା ସମିତି ସଭ୍ୟ ଚିନ୍ତାମଣି ଆଚାର୍ଯ୍ୟଙ୍କ ଦ୍ବାରା ପ୍ରକାଶିତ ପୁସ୍ତକରେ ମନ୍ଦିରର ୫୧୬.୨୪ ଏକର ଜମି ରହିଥିବା ଉଲ୍ଲେଖ କରାଯାଇଛି । ମାତ୍ର ଏଜିଙ୍କ ପକ୍ଷରୁ କରାଯାଇଥିବା ଅଡିଟ୍ ସମୟରେ ମନ୍ଦିର ପ୍ରଶାସନ ଆଦୌ ପ୍ରମାଣପତ୍ର ଦେଖାଇ ପାରିନଥିଲେ । ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।
ମାଙ୍କର ଜମି କେବଳ ତିର୍ତୋଲ ତହସିଲ ନୁହଁ ବରଂ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ୍ ସହ କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ରହିଥିବା କେତେକ ପୁରୁଣା ସେବାୟତ ମତ ଦିଅନ୍ତି । ଶ୍ରଦ୍ଧାଳୁମାନେ ନିଜ ମାନସିକ ପୂରଣ ହେବା ପରେ ଦୂର ଦୂରାନ୍ତରୁ ମାଙ୍କୁ ଜମି ଦାନ କରିଛନ୍ତି । ଏହି ଜମି ଗୁଡ଼ିକୁ ହିସାବ କରିବା ସ୍ବାଭାବିକ ଭାବେ ଜିଲ୍ଲା ପ୍ରଶାସନ ପ୍ରତି ସେତେ ସହଜ ହେଉ ନାହିଁ । ତେବେ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ପଡ଼ୋଶୀ ଜିଲ୍ଲା ଗୁଡ଼ିକରେ କେତେ ଜମି ରହିଛି, ଏହାର ତର୍ଜମା କରିବାକୁ କେହି ନାହିଁ । ଏଣୁ ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।
ବିଭିନ୍ନ ସ୍ଥାନରେ ଜମି ଚାଷ କରୁଥିବା ରୟତଙ୍କ ଠାରୁ ଧାନ ମୁଗ, ବିରି ବାବଦରେ ବାର୍ଷିକ ପ୍ରାୟ ୬୦ ରୁ ୭୦ ହଜାର ଟଙ୍କା ଆୟ ହେଉଛି ବୋଲି ରାଜସ୍ବ ଆଦାୟ ଦାୟିତ୍ବରେ ଥିବା ସୁଦର୍ଶନ ମହାନ୍ତି ସୂଚନା ଦେଇଛନ୍ତି । ଗତ ବର୍ଷ ପ୍ରାୟ ୬୬ ହଜାର ଟଙ୍କା ରାଜସ୍ବ ଆଦାୟ କରାଯିବା ସହିତ ଦୋକାନ ଭଡ଼ା ଓ ହାଟ ବଜାର ମହାସୁଲ ବାବଦରେ ଆଦାୟ ଅର୍ଥ ମିଶାଇ ୧ ଲକ୍ଷ ଟଙ୍କାରୁ କିଛି ଅଧିକ ଆୟ ହୋଇଛି । ତେବେ ସମତୁଲ ଭଡ଼ା ନିର୍ଦ୍ଧାରଣ ହୋଇ ନଥିବାରୁ ମନ୍ଦିରକୁ ଏହି ସ୍ବଳ୍ପ ଆୟ ମିଳୁଛି । ଏହା ବୃଦ୍ଧି ହୋଇ ପାରନ୍ତା ବୋଲି ଶ୍ରୀ ମହାନ୍ତି ମତ ଦେଇଛନ୍ତି ।
ମାଙ୍କ ଜମିରେ ହାଟ ବଜାରରେ ନିର୍ମିତ କେତେକ ଦୋକାନା ଘରର ଭଡ଼ା ବାବଦ ଆୟରେ କୌଣସି ସମାନତା ନାହିଁ । କାହିଁ କେଉଁ କାଳରୁ ଘର ଭଡ଼ା ବାବଦରେ ଦୋକାନ ପିଛା ମାସକୁ ୪୫ ଟଙ୍କା ଜମା ହେଉଛି । ଅବଶ୍ୟ ଆଉ କେତେକ ଦୋକାନରୁ ୨ଶହ ରୁ ୫ଶହ ଟଙ୍କା ଭଡ଼ା ମିଳୁଛି । କନକପୁର ବଜାରରେ ଥିବା ୧୫ଟି ଦୋକାନଗୃହ ବାବଦରେ ଯେଉଁ ଭଡ଼ା ମିଳୁଛି ତାହା ଦୀର୍ଘ ବର୍ଷ ହେଲା ସଂଶୋଧନ ହୋଇନାହିଁ । ମନ୍ଦିର ଆୟ ପନ୍ଥା ବୃଦ୍ଧି ଦିଗରେ କୌଣସି ନିର୍ବାହୀ ଅଧିକାରୀ ମୁଣ୍ଡ ପୂରାଉ ନାହାନ୍ତି । ସେହିପରି ମନ୍ଦିରର ଅନ୍ୟ ଆୟ ଉତ୍ସ ଶାରଳା ହାଟରେ ଥିବା ୩୦ ଦୋକାନରୁ ସ୍ବଳ୍ପ ପରିମାଣର ଭଡ଼ା ଆଦାୟ ହେଉଛି । କେତେକ ଦୋକାନୀଙ୍କ ଠାରୁ ବର୍ଷ ବର୍ଷ ଧରି ଭଡ଼ା ଆଦାୟ ହୋଇ ନଥିବା ସୂଚନା ମିଳିଛି ।
