ମୋରମ ବଦଳରେ ମାଟିରେ କରାଯାଉଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା

ବେଗୁନିଆ : ଗ୍ରାମ୍ୟ ଉନ୍ନୟନ ବିଭାଗ ବେଗୁନିଆ ସେକ୍ସନ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଆରଡି ରାସ୍ତା ଭୁଆଶୁଣିପାଟଣା ଠାରୁ ପରିଛଳ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ୩.୫୯୨କି ମି ରାସ୍ତା କାର୍ଯ୍ୟ ନିର୍ମାଣ କରାଯାଉଛି । ଏହି ରାସ୍ତା କାର୍ଯ୍ୟ ଆରମ୍ଭରୁ ନିମ୍ନମାନର ହେଉଥିବାର ଅଭିଯୋଗ ହେଉଛି । ଏହି କାର୍ଯ୍ୟ ୨୦୨୧ ଡିସେମ୍ବର ୧୫ ରୁ ଆରମ୍ଭ ହେବା ପାଇଁ ଥିବାବେଳେ ଏବେ ୪ ମାସ ବିଳମ୍ବରେ ରାସ୍ତାକାର୍ଯ୍ୟ ଠିକାଦାର ଆରମ୍ଭ କରିଛନ୍ତି । ବିଭାଗୀୟ କର୍ମଚାରୀଙ୍କ ଅନୁପସ୍ଥିତିରେ ଠିକାଦାରଙ୍କ ଲୋକମାନେ ନିଜ ମର୍ଜିରେ କାର୍ଯ୍ୟ କରୁଛନ୍ତି ।

ଏହି କାର୍ଯ୍ୟର ଅଟକଳ ମୂଲ୍ୟ ୨୧୪.୮୭ ଲକ୍ଷ ଥିବାବେଳେ ରାସ୍ତାକାର୍ଯ୍ୟ ନିର୍ମାଣ ସରିବା ପରେ ୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୧୩.୩୯ ଲକ୍ଷ ଟଙ୍କା ରଖାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ରାସ୍ତାକାର୍ଯ୍ୟ କରାଯାଉଥିବା ବେଳେ କାର୍ଯ୍ୟ ପ୍ରତି ବିଭାଗୀୟ କର୍ମଚାରୀମାନଙ୍କର ଆଦୌ ନିଘା ନଥିବା ପରି ଜଣାପଡୁଛି। କାର୍ଯ୍ୟ ଆରମ୍ଭରୁ ରାସ୍ତାର ସବବେସ ନିର୍ମାଣ ହେଉଥିବାବେଳେ ଏଠାରେ ମୋରମ ବଦଳରେ ମାଟିରେ ରାସ୍ତାକାମ ହେଉଥିବାର ଦେଖିବାକୁ ମିଳୁଛି । ନାଲି ମୋରମ ଯେଉଁଥିରେ ଅଠା ଅଂଶ ରହୁଛି ସେହି ମୋରମରେ ଠିକାଦାର କାର୍ଯ୍ୟ ନକରି ମାଟିରେ କାର୍ଯ୍ୟ କରୁଛନ୍ତି । ଫଳରେ ରାସ୍ତାର ସ୍ଥାୟୀତ୍ୱ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ଦେଖାଦେଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ରାସ୍ତା କାର୍ଯ୍ୟ ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *