ଏବେ ଉତ୍ତରଦ୍ବାର ଖନନ ଜୋରଦାର : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଜାରି

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ତୀବ୍ର ବିରୋଧ ଓ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ଏବେ ତରବରିଆ ଭାବେ ଏହି କାମକୁ ସାରିଦେବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥା। କୌଣସି ଅପ୍ରୀତିକର ପରିସ୍ଥିତି ଅବା ହାଇକୋର୍ଟଙ୍କ ରହିତାଦେଶ ଆସିବା ଆଗରୁ ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥା ନିର୍ମାଣ କାମକୁ ସାରିଦେବା ଲକ୍ଷ୍ୟରେ ବିବାଦୀୟ ଘର ସବୁ ନିର୍ମାଣ ପରେ ଏବେ ଛାତ ପଡ଼ିବା ଆରମ୍ଭ ହୋଇଛି । ସେପଟେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ପୂର୍ବ-ଦକ୍ଷିଣଦ୍ବାରରେ ଖନନ ପରେ ଏବେ ଉତ୍ତରଦ୍ବାରରେ ଖନନକୁ ଜୋରଦାର କରିଛି ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ।

ସେପଟେ ଏହା ବିରୋଧରେ ଆସନ୍ତା ୨୭ ତାରିଖରେ ବଡ଼ ଜନ ଆନ୍ଦୋଳନର ଡାକରା ଦିଆଯାଇଛି । ‘ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ’ ଜରିଆରେ ସାରା ଓଡ଼ିଶାରୁ ୫ ହଜାରରୁ ଅଧିକ ସଂଖ୍ୟାରେ ଭକ୍ତ, ସଂଗଠକ, ରାଜନେତା ଏକାଠି ହୋଇ ବଡ଼ଦାଣ୍ଡରେ ଶୋଭାଯାତ୍ରା କରିବା ସହ ପ୍ରତିବାଦ କରିବାକୁ ସଜବାଜ ହେଲେଣି । ଆମ୍‌ସାର ଆଇନ ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧି ନିଷିଦ୍ଧାଞ୍ଚଳ ହୋଇଥିବାବେଳେ ଏଠାରେ ନିର୍ମାଣ ଓ ଖନନ ନିଷିଦ୍ଧ ରହିଛି । କିନ୍ତୁ ଆଇନକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ଖନନ ଚାଲିଛି, ତାକୁ ନେଇ ପ୍ରଥମରୁ ବିବାଦ ମୁଣ୍ଡ ଟେକିଥିଲା । ପଶ୍ଚିମ ଦ୍ବାର ଓ ଦକ୍ଷିଣ ଦ୍ବାରରେ ଭାଇବ୍ରେଟର, ଏକ୍ସାଭେଟର ଲଗାଇ ୨୦ ରୁ ୩୦ ଫୁଟର ଯେଉଁଭଳି ଗର୍ତ୍ତ କରାଗଲା, ‌ତାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଲା । ଏପରିକି ଶ୍ରୀମନ୍ଦିର ନାଟମଣ୍ଡପ ସହ ଅନ୍ୟାନ୍ୟ ଜାଗାରେ ଏବେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହା ଏହି ଖନନ ଫଳରେ ସୃଷ୍ଟି ହୋଇଛି ବୋଲି ଭକ୍ତ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ସଂଗଠନ ଗୁରୁତର ଅଭିଯୋଗ ଆଣିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ଏହାର ତଦନ୍ତ କରିନାହାନ୍ତି । ଏହାକୁ ନେଇ ବିବାଦ ଲାଗି ରହିଥିଲା ବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଥିଲା । ହଠାତ୍‌ ନିର୍ମାଣସ୍ଥଳରେ ଯେଉଁ ଫଳକ ଲାଗିଥିଲା, ତାକୁ କାଢ଼ି ଦିଆଯାଇଥିଲା । ଯେଉଁଠି ସୂଚନା କିଓସ୍କୋ ଫଳକ ଲାଗିଥିଲା, ସେଠି ମହିଳା ଶୌଚାଳୟର ଫଳକ ଲଗାଇ ଦିଆଗଲା । ଯେଉଁଠି ଗୋଟିଏ ସେଲ୍‌ଟର ପାଭିଲିୟନ୍‌ର ଫଳକ ଲାଗିଥିଲା, ସେଠି ଟାଇପ୍‌-୧ ଓ ୨ କହି ଏକାଧିକ ଫଳକ ଲଗାଇ ଦିଆଗଲା । ନକ୍ସାକୁ ସମ୍ପୂର୍ଣ୍ଣ ବଦଳାଇ ଦିଆଗଲା । ଏହି ବାଦବିବାଦ ଭିତରେ ଏବେ ଖନନ ସ୍ଥଳକୁ ପୋତି ନିର୍ମାଣକୁ ଜୋରଦାର କରିଛି ଠିକା ସଂସ୍ଥା । ଘର ତିଆରି କରି ଛାତ ପକାଇବା ଜୋରଦାର କରିଛି । ଇତି ମଧ୍ୟରେ ପଶ୍ଚିମଦ୍ବାରରେ ୩ଟି ଘରର ଛାତ ପଡ଼ିବା ପରେ ଏହି ଦ୍ବାରରେ ଥିବା ବାକି ଘର ଓ ଦକ୍ଷିଣଦ୍ବାରରେ ନିର୍ମାଣ ଘରର ଛାତ ପକାଇବା ଆରମ୍ଭ କରିଛି । ଏଥିପାଇଁ ପଟା ସେଟିଂ କରିଛି ।

ଅନ୍ୟପଟେ ଉତ୍ତରଦ୍ବାର ଖନନକୁ ଜୋରଦାର କରାଯାଇଛି । ପୂର୍ବରୁ ଅଳ୍ପ କିଛି ଜାଗା ଖନନ କରି ଏଥିରେ ଗୋଡ଼ି, ବଜୁରି, ଡଷ୍ଟ ପକାଇ ସମତୁଲ କରିବା ପରେ ଏବେ ଏହାକୁ ଲାଗି ଆଉ ଏକ ବିରାଟ ଗର୍ତ୍ତ ଖୋଳାଯାଇଛି । ପାଣି ଟାଙ୍କିକୁ ଲାଗି ଖୋଳାଯାଇଥିବା ଏହି ଗର୍ତ୍ତର ଓସାର ପ୍ରାୟ ୨୦ ଫୁଟ ହେବ । ଏହି ଖନନ ଏବେ ଜାରି ରହିଛି । ଏ ଉପରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିବା ସାମାଜିକ କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଏଭଳି ବିପଦପୂର୍ଣ୍ଣ ଖନନ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲି । କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ତଦନ୍ତ ଓ ରିପୋର୍ଟ ଆଳରେ ଯେଉଁଭଳି ସମୟ ଗଡ଼ାଇ ଚାଲିଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ବ ବିଭାଗ ଭିତରେ ମଧୁଚନ୍ଦ୍ରିକା ଚାଲିଛି । ଆମେ ଭକ୍ତମାନେ କେବଳ ମହାପ୍ରଭୁଙ୍କ ପାଇଁ ଲଢ଼େଇ ଜାରିରଖିଛୁ । ଆଇନ ଅଦାଲତ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ନିଶ୍ଚିତ ହାଇକୋର୍ଟ ନ୍ୟାୟ ଦେବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *