ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଷ୍ପତ୍ତିଙ୍କୁ ଅଭିଭାବକଙ୍କ ବିରୋଧ, ପରୀକ୍ଷା ବର୍ଜନ କଲେ ୧୮୭ ପରୀକ୍ଷାର୍ଥୀ

ଧାମରା : ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଷ୍ପତ୍ତିଙ୍କୁ ଅଭିଭାବକଙ୍କ ବିରୋଧ । ନିଜ ମନମାନୀରେ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ସ୍ଥାପନା କରିବାକୁ ନେଇ ହୋଇଥିବା ଚିଠିକୁ ଧାମରା ଅଂଚଳର ୧୮୭ ଅଭିଭାବକ ବିରୋଧ କରିଛନ୍ତି । ଏହା ସହ ଆଗାମୀ ୨୯ ତାରିଖରେ ହେବାକୁ ଥିବା ଏସଏ ୨ ପରୀକ୍ଷା ବର୍ଜନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏହି ବାବଦରେ ଅଭିଭାବକ ସଂଘ ଜିଲ୍ଲା ଶିକ୍ଷାଧିକାରୀ, ଭଦ୍ରକ ଜିଲ୍ଲାପାଳ, ରାଜ୍ୟ ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅନୁସାରେ ହାଇସ୍କୁଲ ଛାତ୍ରଛାତ୍ରୀ ଏସଏ ୨ ପରୀକ୍ଷା ପାଇଁ ନିଜ ଅଧ୍ୟୟନରତ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ଏହି ଚିଠିରେ ଉଲ୍ଲେଖ ଥିବା କୁହାଯାଇଛି । ହେଲେ କୌଣସି ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱଳ୍ପ ସମୟ ମଧ୍ୟରେ ଅଥବା ପାଦଚଲା ରାସ୍ତାରେ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଏହି ପରୀକ୍ଷା ଦେବେ ବୋଲି ମଧ୍ୟ ଏହି ପତ୍ରରେ ଉଲ୍ଲେଖ ରହିଛି । ମାତ୍ର ଏହି ନିୟମକୁ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ୟାଳୟ ଠାରୁ ୧୨-୨୫ କି.ମି ଦୂର ବିଦ୍ୟାଳୟରେ ପରୀକ୍ଷା ଦେବାକୁ ଜିଲ୍ଲା ଶିକ୍ଷାଧିକାରୀ ସଂପୃକ୍ତ ବେସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି ।

କରଣପଲ୍ଲୀ ପଂଚାୟତରେ ଥିବା ଜିପି ହାଇସ୍କୁଲର ୧୦୪ ଜଣ ଛାତ୍ରଛାତ୍ରୀମାନଙ୍କୁ ନିଜ ବିଦ୍ୟାଳୟ ଠାରୁ ୨୫ କି.ମି ଦୂର ଦୋସିଙ୍ଗା ହାଇସ୍କୁଲରେ ପରୀକ୍ଷା ଦେବା ପାଇଁ ଆଦେଶ ଦେଇଥିବା ବେଳେ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠର ୮୩ ଜଣ ଛାତ୍ରଛାତ୍ରୀମାନଙ୍କୁ ନିଜ ନିକଟରେ ଥିବା ୩ଟି ବିଦ୍ୟାଳୟକୁ ଛାଡି ୧୨ କି.ମି ଦୂର ଧାମରାଇ ନୋଡାଲ ହାଇସ୍କୁଲକୁ  ଟ୍ୟାଗ କରାଯାଇଛି । ବର୍ତ୍ତମାନ ୪୦ଡିଗ୍ରୀ ରୋଦ୍ର ତାପରେ କିପରି ଛାତ୍ରଛାତ୍ରୀମାନେ ଦୀର୍ଘ ରାସ୍ତା ଅତିକ୍ରମ କରିବା ସହ ଦୀର୍ଘ ସମୟ ନଷ୍ଟ କରି ପରୀକ୍ଷା ଦେବାକୁ ଯିବେ ତାହା ଚିନ୍ତାର କାରଣ ପାଲଟିଛି । ଅନ୍ୟ ପକ୍ଷରେ କୌଣସି ଅପ୍ରିତୀକର ପରିସ୍ଥିତି ପାଇଁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଦାୟୀ ରହିବେ ବୋଲି ଅଭିଭାବକ ସଂଘ ନିଜର  ନିଷ୍ପତ୍ତି ଶୁଣାଇ ଦେଇଛି । ନୂତନ ନୀତି ଏବଂ ନିଷ୍ପତି ଅନୁଯାୟୀ ୨୦୨୨-୨୩ ଶିକ୍ଷା ବର୍ଷରେ ସମସ୍ତ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତି ନିଆଯାଇଛି । ମାତ୍ର ଏହି ନିଷ୍ପତି ଅନୁଯାୟୀ ଧାମରା ଅଂଚଳରେ ୪ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ କେଉଁ ପରିସ୍ଥିତିରେ ଧାମରାଇ ଉଚ୍ଚ ବିଦ୍ୟାଳୟ ଏବଂ ଶଶିକାଦେଇପୁର ଉଚ୍ଚ ବିଦ୍ୟାଳୟରେ ସିସି ଟିଭି ଲଗାଯାଇଥିବା ବେଳେ ବାଂଶଡା ଉଚ୍ଚ ବିଦ୍ୟାଳୟ ଏବଂ ଦୋସିଙ୍ଗା ବିଦ୍ୟାଳୟରେ ଏହି ନିୟମ ଲାଗୁ କରାଯାଇ ନାହିଁ । ତାହା ଅଭିଭାବକ ମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ମହାମାରୀ କରୋନାକୁ ଆଖି ଆଗରେ ରଖି ଦୀର୍ଘ ୨ବର୍ଷ ହେବ  ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅଭିଭାବକ ମାନଙ୍କର ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇ ପଡିଛି ତେଣୁ ୧୮୭ ଅଭିଭାବକ  ନିଜର ପିଲା ମାନଙ୍କ ପାଇଁ ଆଉ ଆର୍ଥିକ ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ମତ ପ୍ରକାଶ ପାଇଛି । କେଉଁ ପରିସ୍ଥିତିରେ ଏହି ୨ଟି ବିଦ୍ୟାଳୟର ୧୮୭ ଜଣ ଛାତ୍ରଛାତ୍ରୀମାନଙ୍କ ପାଇଁ ପାତର ଅନ୍ତର କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି ବୋଲି ଅଭିଭାବକ ସଂଘ କହିଛି । ଏ ବାବଦରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କରୋନା ଭୟାବହତାକୁ ଆଖି ଆଗରେ ରଖି ସାମାଜିକ ଦୂରତା ଦୃଷ୍ଟିରେ ରଖି ଏହି ପ୍ରକାର ନିଷ୍ପତ୍ତି ନେଇଥିବା କଥା ଦୋହରାଇଛନ୍ତି । ମାତ୍ର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଅଭିଭାବକ ସଂଘ ନିଜର ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *