ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ

ପୁରୀ : ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ । ପ୍ରଥମେ ଫୋନରେ ଧମକ ଦେଲେ, କିଛି ସମୟ ପରେ ଆସି ବୋମା ଫିଙ୍ଗି ଫେରାର ହୋଇଗଲେ । ଏପରି ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମସଜିଦ ପାଖରେ ।

ସୂଚନାନୁସାରେ, ପୁରୀ ମୁନିସିପାଲିଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି କାଶିନାଥ ମହାରଣା । ତାଙ୍କ ଘର ଉପରକୁ ହୋଇଛି ବୋମାମାଡ । ଦୁର୍ବୁତ୍ତମାନେ ତିନୋଟି ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୁତ୍ତଙ୍କ ବୋମାମାଡରେ କାଶିନାଥଙ୍କ ଝିଅ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି ।

ତେବେ ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ ଦୁର୍ବୁତ୍ତମାନେ ପାରା ଚୋରି କରିଥିଲେ । ଏନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିନଥିଲା । ତେବେ ଶନିବାର ଅଭିଯୁକ୍ତମାନେ ଥାନାରୁ ଚୋରି କେଶ୍ ଉଠାଇବା ପାଇଁ ଫୋନରେ ଧମକ ଦେଇଥିଲେ । ଧମକ ଦେବାର କିଛି ସମୟ ପରେ ଆସି ବୋମା ପକାଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି କାଶୀନାଥଙ୍କ ପରିବାର ଲୋକେ ।

Leave a Reply

Your email address will not be published. Required fields are marked *